ଭୁବନେଶ୍ୱର : ଗ୍ରୀଷ୍ମ ଛୁଟିକୁ ଦୃଷ୍ଟିରେ ରଖି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କାର୍ଯ୍ୟକଳାପ ଜାରି ରଖିବା ପାଇଁ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବାହ୍ନରେ ଅନୁଷ୍ଠିତ ହେବ ଏବଂ ସେଥିପାଇଁ ଅନ୍ଲାଇନ୍ ପ୍ରତିକାରମୂଳକ ଶିକ୍ଷାଦାନ ସାରଣୀ ପ୍ରସ୍ତୁତ କରାଯିବ। ଏ ସଂକ୍ରାନ୍ତରେ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସମସ୍ତ ବିଦ୍ୟାଳୟକୁ ପଠାଯାଇଛି।
ସେହିପରି ଜେଇଇ, ନିଟ୍ ଓ ପ୍ରତିରକ୍ଷା ପରୀକ୍ଷା ଭଳି ବିଭିନ୍ନ ଜାତୀୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ କୋଚିଂ ଯୋଗାଇ ଦିଆଯାଉଥିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଗ୍ରାମାଞ୍ଚଳ ଓ ଛୋଟ ସହରର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିବିଏସ୍ଇ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ବ୍ଲକ୍ସ୍ତରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି।