ଅନ୍‌ଲାଇନ୍‌ରେ ପଢ଼ିବେ ଯୁକ୍ତ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଯୁକ୍ତ୨ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅନ୍‌ଲାଇନ୍‌‌ରେ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରସ୍ତୁତି ଆରମ୍ଭ କରିଛି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କଠାରୁ ଡିଜିଟାଲ ଶିକ୍ଷା ଉପାଦାନ ତଥା ଭିଡ଼ିଓ ମଗା ଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଇ-ମେଲ ‘[email protected] <mailto:[email protected]> ‘ ରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ନି‌ର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା ଲେଖିଥିବା ଚିଠିରେ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଯୁକ୍ତ୨ ଦ୍ୱିତୀୟ ବର୍ଷ ତଥା ଏକାଦଶରୁ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ତାହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ କରିବାର ଆବଶ୍ୟକତା ରହିଛି। ଫଳରେ ଘରେ ରହୁଥିବା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ତେଣୁ କଲେଜର ଅଧ୍ୟକ୍ଷମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସିଲାବସ୍‌ ଅନୁଯାୟୀ ନିଜ ନିଜ ଅଧ୍ୟାପକମାନଙ୍କଠାରୁ ଡିଜିଟାଲ ଶିକ୍ଷା ଉପାଦାନ ତଥା ଭିଡିଓ ସଂଗ୍ରହ କରି ମେ’ ୨୦ ସୁଦ୍ଧା ନିର୍ଦ୍ଦେଶାଳୟକୁ ଇ-ମେଲ୍ ଯୋଗେ ପଠାଇବେ। ସେଗୁଡ଼ିକ ମିଳିବା ପରେ ବିଶେଷଜ୍ଞ କମିଟି ଏହାର ଯାଞ୍ଚ କରି ଚୂଡ଼ାନ୍ତ କରିବା ପରେ ତାହାକୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ।

ସମ୍ବନ୍ଧିତ ଖବର