ବିଶ୍ବବିଦ୍ୟାଳୟ ଓ କଲେଜ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡ୍‌ଲାଇନ୍‌ : ୧୩ରୁ ଅନ୍‌ଲାଇନ୍‌ରେ ପାଠପଢ଼ା

୫୦% କର୍ମଚାରୀରେ ଚାଲିବ ଶିକ୍ଷାନୁଷ୍ଠାନ
ଅଗଷ୍ଟ ୩୧ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ

ଭୁବନେଶ୍ବର : ସାଧାରଣ ପ୍ରଶାସନ ବିଭାଗର ଗାଇଡ୍‌ଲାଇନ୍‌ ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜ ଜୁଲାଇ ୧ରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଛାତ୍ରଛାତ୍ରୀଙ୍କର କ୍ଲାସରୁମ୍‌ ପାଠପଢ଼ା ହେବନି। ହଷ୍ଟେଲରେ ବି ଖୋଲିବ ନାହିଁ। ଶିକ୍ଷାନୁଷ୍ଠାନର ମୁଖ୍ୟ ଶିକ୍ଷକ, ଅଫିସର ଓ କର୍ମଚାରୀଙ୍କର ରୋଷ୍ଟର ଡ୍ୟୁଟିକୁ ଏଭଳି ଧାର୍ଯ୍ୟ କରିବେ, ଯଦ୍ବାରା ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ନିଶ୍ଚିତ ହୋଇପାରିବ। ଯେଉଁ କର୍ମଚାରୀ ରୋଷ୍ଟର ଡ୍ୟୁଟିରେ ସାମିଲ ହୋଇ ନ ଥିବେ ସେମାନେ ସବୁବେଳେ ମୋବାଇଲ୍‌କୁ ଅନ୍‌ ରଖିଥିବେ ଏବଂ ଆବଶ୍ୟକ ପଡ଼ିଲେ ଅଳ୍ପ ସମୟ ମଧ୍ୟରେ ଅଫିସ୍‌ କାର୍ଯ୍ୟରେ ଯୋଗଦେବେ। ତେବେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ଯଦି କୌଣସି କଟକଣା ଲଗାଇଥିବ ତେବେ ତାହାକୁ ପାଳନ କରିବାକୁ କୁହାଯାଇଛି।

କେତେକ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନର କ୍ୟାମ୍ପସ/ବିଲ୍‌ଡିଂକୁ କ୍ବାରାଣ୍ଟିଇନ୍‌ ସେଣ୍ଟର/ହସ୍ପିଟାଲ କରାଯାଇଛି। ଏଭଳିସ୍ଥଳେ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ କ୍ୟାମ୍ପସରେ ଥିବା ଅନ୍ୟ ବିଲ୍‌ଡିଂରେ କାମ କରିପାରିବେ। ଏଥିସହ ଯେତେଶୀଘ୍ର ସମ୍ଭବ ଶିକ୍ଷାନୁଷ୍ଠାନ ବିଲଡିଂ/କ୍ୟାମ୍ପସ ଖାଲି କରିବାକୁ ଜିଲ୍ଲା ପ୍ରଶାସନକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଗତ ଜୁନ୍‌ ୧୮ ତାରିଖରେ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶେଷ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମୂଲ୍ୟୟାନ ତଥା ବିକଳ୍ପ ମୂଲ୍ୟାୟନ ଶେଷ କରି ଅଗଷ୍ଟ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ କୁହାଯାଇଛି। ଇଣ୍ଟରମିଡିଏଟ୍‌ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୧୩ରୁ ଅନ୍‌ଲାଇନ୍‌ରେ କ୍ଲାସ ଆରମ୍ଭ ହେବ। ଲାଇବ୍ରେରିରୁ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ପ୍ରଦାନ କରାଯିବ। ଏଥିସହ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଏକ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରିବେ, ଯାହାଦ୍ବାରା ଶିକ୍ଷକମାନେ ଟେଲିଫୋନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଯୋଗଯୋଗ କରିପାରିବେ। ସେମାନଙ୍କ ପାଠପଢ଼ା, ପରୀକ୍ଷା, ପ୍ରୋଜେକ୍ଟ, ବୃତ୍ତି ଆଦି ବିଷୟରେ ଜଣାଇପାରିବେ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଏହାକୁ ପାଳନ କରିବାକୁ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ବିଶ୍ବବିଦ୍ୟାଳୟ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର