୬୩% ପିଲାଙ୍କ ପାଖରେ ପହଞ୍ଚୁନି ଅନ୍‌ଲାଇନ୍‌ ଶିକ୍ଷା

ଗଛମୂ‌ଳେ, ପାଣି ଟାଙ୍କି ଓ ପାହାଡ ଉପରେ ଖୋଜୁଛନ୍ତି ନେଟୱାର୍କ

ସୁନ୍ଦରଗଡରେ ପ୍ରଥମରୁ ଦଶମ ପିଲା ୧.୮୦ ଲକ୍ଷ

ରାଉରକେଲା : ଗତ ୨୧ରୁ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆରମ୍ଭ ହୋଇଛି ୟୁଟ୍ୟୁବ୍‌ରେ ପାଠପଢ଼ା। ପୂର୍ବାହ୍ନ ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ। ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୯ମ ଓ୧୦ମ ଶ୍ରେଣୀ ପିଲାଙ୍କୁ ଦିଆଯାଉଛି ଅନ୍‌ଲାଇନ ଶିକ୍ଷା। ବିଡମ୍ବନା, ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ଅନ୍‌ଲାଇନ ଶିକ୍ଷା ଏକ ପ୍ରକାର ପ୍ରହସନ ପାଲଟିଛି। କାରଣ ଅଦ୍ୟାବଧି ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ଟେନ୍‌ୱାର୍କ ପହଞ୍ଚି ନାହିଁ। କେତେକ ସ୍ଥାନରେ ମୋବାଇଲ୍‌ ନେଟ୍‌ୱାର୍କ ଥିଲେ ମଧ୍ୟ ନେଟ୍‌ ସ୍ଲୋ ଚାଲୁଛି। ଅଧିକାଂଶ ସମୟରେ ଘଣ୍ଟା ଘଣ୍ଟା ନେଟ୍‌ୱାର୍କ କଟି ଯାଉଛି। ବାଧ୍ୟ ହୋଇ କିଛି ପିଲା ପାଣି ଟାଙ୍କି, ପାହାଡ ଉପରେ ତ ଅନ୍ୟ କିଛି ପିଲା ଗଛ ତଳେ ବସି ପାଠ ପଢ଼ିବାକୁ ଘଣ୍ଟାଏ ଆଗରୁ ନେଟ୍‌ୱାର୍କ ଖୋଜୁଛନ୍ତି।

ଗୋଟିଏ ପଟେ ନେଟ୍‌ୱାର୍କ ସମସ୍ୟା, ଅନ୍ୟପଟେ ସ୍ମାର୍ଟ ଫୋନ୍‌ ନଥିବାରୁ ଜିଲ୍ଲାର ଅନ୍‌ଲାଇନ୍‌ ପାଠରେ ଡୋରି ବାନ୍ଧି ଦେଇଛନ୍ତି ଅଧିକାଂଶ ଉପାନ୍ତ ଅଞ୍ଚଳ ପିଲା। ସୁନ୍ଦରଗଡର ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୮୦ ହଜାର ପିଲା ପାଠ ପଢ଼ୁଛନ୍ତି। ଏମାନଙ୍କ ମଧ୍ୟରୁ ୯ମ ଓ ୧୦ମ ପିଲା ହେଉଛନ୍ତି ୪୮ ହଜାର। ଜିଲ୍ଲା ଶିକ୍ଷା ବିଭାଗ କହୁଛି ୩୭% ପିଲାଙ୍କୁ ଅନ୍‌ ଲାଇନ ଶିକ୍ଷା ପାଉଛନ୍ତି। ଅର୍ଥାତ୍‌ ୬୬ ହଜାର ୬୦୦ ପିଲା ପାଖରେ ଅନ୍ ଲାଇନ୍‌ ଶିକ୍ଷା ପହଞ୍ଚୁଛି। ଅବଶିଷ୍ଟ ୬୩% ଅର୍ଥାତ୍‌ ୧ ଲକ୍ଷ ୧୩ ହଜାର ୪୦୦ ପିଲା ଅନ୍‌ ଲାଇନ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତେବେ ଏଥିରୁ ଜିଲ୍ଲାରେ ୟୁଟ୍ୟୁବ୍‌ କ୍ଲାସ୍‌ କେମିତି ଚାଲିଛି ସ୍ପଷ୍ଟ ବାରି ହୋଇ ପଡୁଛି। ଉଦାହରଣସ୍ବରୂପ ଗୁରୁଣ୍ଡିଆ ବ୍ଲକର ମୋଟ ୧୩୦ଟି ଗାଁ ରହିଛି। ୪୦ଟି ଗାଁରେ ନେଟ୍‌ୱାର୍କ ପହଞ୍ଚୁଥିଲାବେଳେ ବାକି ୯୦ ଗାଁରେ ଠପ୍‌। ବାଙ୍କି ସମେତ ପଙ୍କଡିହି, ଟାମ୍ପରକେଲାବାସୀଙ୍କ ପାଇଁ ମୋବାଇଲ୍‌ ନେଟ୍‌ୱାର୍କ ସାତସପନ। ନୂଆଗାଁର ଉର୍ମେଇ, କୁଲାଗଜ, କୁଲବେଡା, ଚିତାପେଡି, ପିତଲ ଆଦି ଅଞ୍ଚଳରେ ସମାନ ସ୍ଥିତି। ଲାଠିକଟା ବ୍ଲକର ରାମରୋଡି, ମୁଣ୍ଡାଜୋର, ବଡଦଲକି ସମେତ ଅନ୍ୟ କିଛି ଅଞ୍ଚଳରେ ନେଟ୍‌ୱାର୍କ ପହଞ୍ଚି ପାରିନି।

କୋଇଡା ବ୍ଲକରେ ସ୍ଥିତି ଆହୁରି ସଂଘାତିକ। କପଟାମୁଣ୍ଡା ସମେତ ପ୍ରାୟ ସମସ୍ତ ପଞ୍ଚାୟତରେ କେତେବେଳେ କେମିତି ନେଟ୍‌ୱାର୍କ ଆସୁଛି। ବାକି ସମୟରେ ଟେନ୍‌ୱାର୍କ ନାହିଁ। ଏହି ବ୍ଲକରେ ପ୍ରାୟ ୨୦% ପିଲା ଅନ୍ ଲାଇନ୍‌ ଶିକ୍ଷା ପାଉଥିଲାବେଳେ ବାକି ୮୦% ପିଲା ନେଟ୍‌ୱାର୍କ ଖୋଜୁଛନ୍ତି। କିଛି ପିଲା ବିପଦ ସଙ୍କୁଳ ସ୍ଥିତିରେ ପାଣି ଟାଙ୍କି ଉପରେ ଚଢ଼ି ଅନ୍ ଲାଇନ୍‌ରେ ପାଠ ପଢ଼ୁଛନ୍ତି। ତଳେ ଅଭିଭାବକ ସେମାନଙ୍କ ପିଲାଙ୍କୁ ଜଗୁଛନ୍ତି। ଓଡ଼ିଶା-ଝାଡଖଣ୍ଡ ବିଶ୍ରା ବ୍ଲକର ମନ୍‌କୋ ପଞ୍ଚାୟତର ଚିରୁବେଡା, ମନ୍‌କୋ, ରାମଲୋଇ, ତୁଳସୀକାନି ପଞ୍ଚାୟତର ତୁଳସିକାନୀ ଓ ଝାରବେଡା, ଜରାଇକେଲା ପଞ୍ଚାୟତର କୋପସିଙ୍ଗା, ଜାମାଲା, ଭୁର୍ତା, ବମ୍ବୁଆ, ‌ଠେଠେଇପୋଷ, ଅଜୟକେଳା, କପାଟମୁଣ୍ଡା ପଞ୍ଚାୟତ ବିରକେରା ଆଦି ଅଞ୍ଚଳରେ ନେଟ୍‌ୱାର୍କ ସମାନ ଅବସ୍ଥା। ଜରେଇକେଲାରେ କିଛି ଅଞ୍ଚଳରେ ଅନ୍‌ ଲାଇନ୍‌ରେ ପାଠ ପଢ଼ିବାକୁ ପିଲାମାନେ ଗଛ ଉପରେ ଚଢ଼ି ନେଟ୍‌ୱାର୍କ ଖୋଜୁଛନ୍ତି। କୋଇଡା ପରି ଏଠି ମଧ୍ୟ ସେମାନଙ୍କ ଅଭିଭାବକ ଗଛତଳେ ଜଗି ରହୁଛନ୍ତି। ‌ବଣାଇଁ, ଲେଫ୍ରିପଡା, ଟାଙ୍ଗରପାଲି, ହେମଗିରି, ବାଲିଶଙ୍କରା ଆଦି ବ୍ଲକ କେତେକ ଅଞ୍ଚଳରେ ଅନୁରୂପ ସମସ୍ୟା ।

ଅନ୍ୟପଟେ ୟୁଟ୍ୟୁବ୍‌ କ୍ଲାସ୍‌ କରିବା ପାଇଁ ଅଭିଭାବକଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରାଯାଉଛି। କରୋନାର ପ୍ରଥମ ଓ ଦ୍ବିତୀୟ ଲହର ଗରିବ ଆଦିବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି। ଏଭଳି ଜଟିଳ ସମୟରେ ପିଲାଙ୍କ ପାଇଁ ସ୍ମାର୍ଟଫୋନ୍‌ କିଣିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଛି। ଏସବୁ ଦୃଷ୍ଟିକୋଣରୁ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ୟୁଟ୍ୟୁବ୍‌ ପାଠପଢ଼ାରୁ ଜିଲ୍ଲାର ପିଲାମାନେ କେତେଦୂର ସଫଳ ହେବ, ଏଥିରୁ ସ୍ପଷ୍ଟ ଅନୁମେୟ।

ସମ୍ବନ୍ଧିତ ଖବର