ଓଡ଼ିଶାରେ କେମିତି ଆଗେଇବ ଅନ୍‌ଲାଇନ୍‌ ଶିକ୍ଷା? ୧୫ ଲକ୍ଷ ପିଲାଙ୍କର ନାହିଁ ଡିଜିଟାଲ ଡିଭାଇସ୍‌

ଦେଶରେ ୩ କୋଟି ପିଲାଙ୍କର ମୋବାଇଲ୍‌ ନାହିଁ
ପିଲାଙ୍କ ଘରେ ପୁସ୍ତକ ପହଞ୍ଚାଉଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : କୋଭିଡ୍‌-୧୯ ଯୋଗୁଁ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ରାଜ୍ୟର ପ୍ରାଥମିକ ସ୍କୁଲ ବନ୍ଦ ରହିଛି। କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ହ୍ବାଟ୍ସଆପ୍ ସମେତ ଟିଭି, ରେଡିଓ, ବିଭିନ୍ନ ଆପ୍‌, କମ୍ପ୍ୟୁନିଟି ପାଠପଢ଼ା ଆଦି ମାଧ୍ୟମରେ ଶିକ୍ଷକମାନେ ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚାଉଛନ୍ତି। ତା’ପରେ ବି ବହୁ ପିଲା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାର ପ୍ରାୟ ୧୫ଲକ୍ଷ ୮ହଜାର ୯୩୭ ପିଲାଙ୍କ ପାଖରେ ମୋବାଇଲ କିମ୍ବା ଅନ୍ୟ କୌଣସି ପ୍ରକାର ଡିଜିଟାଲ ଡିଭାଇସ୍‌ ଉପଲବ୍ଧ ନାହିଁ। ପିଲାଙ୍କ ନିକଟରେ ଏହି ଡିଭାଇସ୍‌ ଉପଲବ୍ଧ କରାଇବା ଦିଗରେ ବି ସେଭଳି କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇ ନ ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମାଗିଥିବା ତଥ୍ୟରେ ଓଡ଼ିଶା ସରକାର ଏଭଳି ସୂଚନା ଦେଇଛନ୍ତି।

ରାଜ୍ୟରେ ମୋଟ ୬୭ହଜାର ୨୦ ସ୍କୁଲ ଥିବା ବେଳେ ୩ଲକ୍ଷ ୪୮ହଜାର ୨୪୯ଶିକ୍ଷକ ରହିଛନ୍ତି। ୭୬ଲକ୍ଷ ୮୬ହଜାର ୮୯୪ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ କୌଣସି ଡିଜିଟାଲ ଡିଭାଇସ୍‌ ନାହିଁ। ଏତେ ପିଲାଙ୍କ ପାଖରେ ମୋବାଇଲ ନଥିବା ଯୋଗୁଁ ପାଠପଢା କେମିତି ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ସେଭଳି ସମସ୍ୟା ଲାଗିରହିଛି। ୨ କୋଟି ୯୬ଲକ୍ଷ ୪୮ହଜାର ୫୮୩ପିଲାଙ୍କ ପାଖରେ ମୋବାଇଲ୍‌ ନାହିଁ। ବିହାରରେ ସର୍ବାଧିକ ୧କୋଟି ୪୩ଲକ୍ଷ ପିଲାଙ୍କ ନିକଟରେ ଡିଜିଟାଲ ଡିଭାଇସ ନାହିଁ। ତାମିଲନାଡ଼ୁରେ ୧୭ଲକ୍ଷ ୫୦ହଜାର, କର୍ଣ୍ଣାଟକରେ ୩୧ଲକ୍ଷ ୩୧ହଜାର ୯୮, ଝାଡ଼ଖଣ୍ଡରେ ୩୨ଲକ୍ଷ ୫୨ହଜାର ୨୫୫ ଓ ଆସାମରେ ୩୧ଲକ୍ଷ ୬ହଜାର ୨୫୫ଜଣ ପିଲାଙ୍କ ପାଖରେ ମୋବାଇଲ ନାହିଁ।

IndiaTV News

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୧୭ରୁ ସ୍କୁଲ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରେଣୀ ଓ ପିଲା ଅନୁଯାୟୀ ଡିଜିଟାଲ ପାଠ୍ୟଖସଡ଼ା ପ୍ରସ୍ତୁତ କରାଯାଇ ଶିକ୍ଷା ପ୍ରଦାନ କରାଯାଇଛି। ୨୦୨୦ ଏପ୍ରିଲ-ମେ’ ମାସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଘରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚା ଯାଇଛି। ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପିଲାଙ୍କ ପାଇଁ ମଧ୍ୟ ବଜାରରେ ପାଠ୍ୟପୁସ୍ତକ ଉପଲବ୍ଧ ହୋଇଛି। ଉଜ୍ଜ୍ବଳ, ଉତ୍ଥାନ ଓ ଉତ୍କର୍ଷ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇ ପିଲାଙ୍କ ନିକଟରେ ପହଞ୍ଚାଯାଇଛି। ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଲ୍‌ ଇଣ୍ଡିଆ ରିଡିଓରେ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ଦକ୍ଷ ଶିକ୍ଷକଙ୍କୁ ନେଇ ଲେସନ୍‌ ପ୍ରସ୍ତୁତ ହୋଇଛି, ଯାହାକୁ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତିଦିନ ଦୁଇ ଘଣ୍ଟା ଲେଖାଏଁ ରେଡିଓରେ ପ୍ରସାରିତ କରାଯାଉଛି।

କମ୍ୟୁନିଟି ତଥା ହୋମ୍‌-ବେସ୍‌ଡ ଶିକ୍ଷଦାନ କାର୍ଯ୍ୟକ୍ରମ ହୋଇଛି। କୋଭିଡ୍‌ ମହାମାରୀ ସମୟରେ ଖୋର୍ଧା ଜିଲ୍ଲାରେ ‘ଶିକ୍ଷା ଶିଖର’, ବରଗଡ଼ରେ ‘ଶିକ୍ଷା ସେତୁ’, ଯାଜପୁରରେ ‘ଶିକ୍ଷା ସଂକଳ୍ପ’, ଭଦ୍ରକରେ ‘ଶିକ୍ଷା ସଞ୍ଜୀବନୀ’, ସୁନ୍ଦରଗଡ଼ରେ ‘ମୋ ଶିକ୍ଷା ସାଥୀ’ ଓ ‘ଆଶାର ପଥେ’ ପରି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପାଠ୍ୟଖସଡ଼ାରୁ ୩୦% ହ୍ରାସ କରିବା, ନିୟମିତ ଭାବେ ଅଭିଭାବକଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହେବା, ବିକଳ୍ପ ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମନିଟରିଂ କରିବା ପାଇଁ ବ୍ୟବସ୍ଥା‌ ହୋଇଛି। ଓଡ଼ିଶା ଶିକ୍ଷା ସଂଯୋଗ ହ୍ବାଟ୍ସଆପ୍‌ ମାଧ୍ୟମରେ ପିଲାଙ୍କ ନିକଟରେ ପାଠ୍ୟକ୍ରମକୁ ପହଞ୍ଚା ଯାଇଛି। ଦ୍ବିତୀୟରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଅଲଗା ଅଲଗା ଗ୍ରୁପ୍‌ ଗଠନ ସହ ଡିଇଓ, ଡିପିସି, ବିଇଓ, ଏବିଇଓ, ବିଆରସିସି, ସିଆର୍‌ସିସି, ପ୍ରଧାନଶିକ୍ଷକ, ଶିକ୍ଷକମାନଙ୍କୁ ସେଥିରେ ସାମିଲ କରାଯାଇଛି। ଏହି ପାଠପଢ଼ା ସୁବିଧାରୁ ୩୪ ପ୍ରତିଶତ ଛାତ୍ରଛାତ୍ରୀ ବଞ୍ଚିତ ହେଉଥିବା ନେଇ ରିପୋର୍ଟରେ ଉଲ୍ଲେଖ ହୋଇଛି।

ସମ୍ବନ୍ଧିତ ଖବର