ପଦାକୁ ଆସିଲା ଅନ୍‌ଲାଇନ ଶିକ୍ଷାର ବାସ୍ତବ ଚିତ୍ର : ନାଁକୁ ମାତ୍ର କାଗଜ କଲମରେ ପାଠପଢ଼ା

କେବଳ ୬୧.୯୩% ପିଲାଙ୍କ ଘରେ ଟିଭି ଅଛି
୨, ୭୯, ୭୫୫ଟି ହ୍ବାଟ୍‌ସଆପ୍‌ ଗ୍ରୁପ ଗଠନ ହୋଇଛି
୩୧.୯୫% ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନରେ ଶିକ୍ଷା

ଭୁବନେଶ୍ୱର : କୋଭିଡ୍‌-୧୯ ପାଇଁ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ହୋଇପାରୁନି। ୪ ମାସ ହେଲା ପାଠପଢ଼ା ପ୍ରଭାବିତ। ନା ଶିକ୍ଷକ ସ୍କୁଲକୁ ଆସିପାରୁଛନ୍ତି ନା ପିଲା। ସମସ୍ତେ ଘରେ ଏକପ୍ରକାର ବନ୍ଦୀ। ଏଭଳି ସମୟରେ ପିଲାଙ୍କୁ ପଢ଼ାଇବାର ଏକମାତ୍ର ବିକଳ୍ପ ସାଜିଛି ଅନ୍‌ଲାଇନ ଶିକ୍ଷା। ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡ଼ିକ ଏ ଦିଗରେ ପଦକ୍ଷେପ ନେଇଛନ୍ତି। ହ୍ବାଟ୍‌ସଆପ୍‌, ଇ-ମେଲ୍‌, ବିଭିନ୍ନ ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ତେବେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଆଜି ପର୍ଯ୍ୟନ୍ତ ଅନ୍‌ଲାଇନ ଶିକ୍ଷାଦାନ ସଫଳ ହୋଇପାରିନି।

ସବୁଠାରୁ ବଡ଼ କଥା ହେଉଛି, କିଛି ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ ଯେ ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ ଅନ୍‌ଲାଇନରେ ପଢୁଛନ୍ତି। ସବୁ ପିଲାଙ୍କ ନିକଟରେ ପହଞ୍ଚିବା ଲାଗି ଉଦ୍ୟମ କରାଯାଉଛି। ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ‘ସମ୍ବାଦ’ ହାତରେ ଲାଗିଥିବା ଏକ ଦସ୍ତାବିଜରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ଏ ପର୍ଯ୍ୟନ୍ତ ମାତ୍ର ୬ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ଅନ୍‌ଲାଇନ ଶିକ୍ଷା ପହଞ୍ଚିପାରିଛି। ହ୍ବାଟ୍‌ସଆପ୍‌ ଗ୍ରୁପ୍ ଗଠନ ହୋଇଛି ସତ, ହେଲେ ତାହା ପର୍ଯ୍ୟାପ୍ତ ନୁହେଁ। କାରଣ ଏବେ ସୁଦ୍ଧା ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାକୁ ଛାଡ଼ି ଦେଲେ ଆଉ କୌଣସି ଜିଲ୍ଲାରେ ୫୦% ଛାତ୍ରଛାତ୍ରୀ ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମରେ ସାମିଲ ହୋଇପାରି ନାହାନ୍ତି। ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି, ଅଧା ଜିଲ୍ଲାରେ ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ୩୦% ବି ଛୁଇଁନି। କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଦେବଗଡ଼, ଜିଲ୍ଲାର ୮୦ରୁ ୯୦ ପ୍ରତିଶତ ପିଲାଙ୍କ ଅଭିଭାବକଙ୍କର ସ୍ମାର୍ଟ ଫୋନ ନାହିଁ। ରାୟଗଡା, ମାଲକାନଗିରି, କନ୍ଧମାଳ ପରି ଉପାନ୍ତ ଜିଲ୍ଲାର ୪୦ ପ୍ରତିଶତ ଅଭିଭାବକଙ୍କ ପାଖରେ ମୋବାଇଲ ହିଁ ନାହିଁ। ଅଧିକାଂଶ ଅଭିଭାବକ ମୋବାଇଲ କ’ଣ ବୋଲି ଜାଣନ୍ତି ନାହିଁ। ଖୋର୍ଦ୍ଧା, ବରଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ସୋନପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ପୁରୀ, ବାଲେଶ୍ୱର, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ ଓ ନୟାଗଡ଼ ଜିଲ୍ଲା ବ୍ୟତୀତ ଆଉ କୌଣସି ଜିଲ୍ଲାରେ ୩୦% ଅଭିଭାବକଙ୍କ ନିକଟରେ ମୋବାଇଲ ନାହିଁ।

Virtual Vocations

ଏକଥା ଆମେ କହୁନୁ। ଖୋଦ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଗାଯାଇଥିବା ଅନ୍‌ଲାଇନ ପାଠପଢ଼ା ସମ୍ପର୍କିତ ରିପୋର୍ଟରୁ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପଦାକୁ ଆସିଛି। ଯେଉଁଥିରେ ଅନ୍‌ଲାଇନ ଶିକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ବାହାସ୍ଫୋଟର ବାସ୍ତବ ଚିତ୍ର ଫୁଟି ବାହାରି ଆସୁଛି।

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୬୭ ହଜାର ୧୨୮ ସରକାରୀ ସ୍କୁଲ ରହିଛି। ସେଥିମଧ୍ୟରୁ ମାତ୍ର ୧୮ ହଜାର ୫୩୮ ସ୍କୁଲ ଏବେ ସୁଦ୍ଧା ଅନ୍‌ଲାଇନରେ ଶିକ୍ଷା ଦେଉଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ଏହି ସବୁ ସ୍କୁଲର ୧୬ ଲକ୍ଷ ୩୭ ହଜାର ୫୩୫ ପିଲା ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୪ ହଜାର ୧୯୦ ଅର୍ଥାତ ୬୧.୯୩% ପିଲାଙ୍କ ଘରେ ଟିଭି ରହିଛି। ଦଶମ ଶ୍ରେଣୀ ପିଲାଙ୍କ ଲାଗି ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ପିଲାମାନେ ଟିଭି ଦେଖି ଜାଣିପାରୁଛନ୍ତି। ୨ ଲକ୍ଷ ୭୯ ହଜାର ୭୫୫ଟି ହ୍ବାଟ୍‌ସଆପ୍‌ ଗ୍ରୁପ ଗଠନ କରାଯାଇଛି। ୫ ଲକ୍ଷ ୨୩ ହଜାର ୨୮୬ ପିଲାଙ୍କ ଅଭିଭାବକଙ୍କ ନିକଟରେ ସ୍ମାର୍ଟ ଫୋନ ରହିଛି। ଅର୍ଥାତ ମାତ୍ର ୩୧.୯୫% ଛାତ୍ରଛାତ୍ରୀ ସ୍ମାର୍ଟ ଫୋନରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି। ଆହୁରି ୬୮% ପିଲା ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଶିକ୍ଷା ସଂଯୋଗ ଆପ୍‌ରେ ୫ ଲକ୍ଷ ୭୨ ହଜାର ୫୯୨ ଅର୍ଥାତ ୩୪.୯୭% ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି। ଆହୁରି ଅନେକ ଛାତ୍ରଛାତ୍ରୀ ଅନ୍‌ଲାଇନ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧିତ ଖବର