ଅନ୍‌ଲାଇନ୍‌ ଶିକ୍ଷାରୁ ୩୮ ଲକ୍ଷ ପିଲା ବଞ୍ଚିତ ପ୍ରସଙ୍ଗ : ଛାତ୍ରଛାତ୍ରୀଙ୍କୁ ମୋବାଇଲ୍‌ ଦିଆଯାଉ

ଭୁବନେଶ୍ବର : ରାଜ୍ୟର ୩୮ଲକ୍ଷ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏନେଇ ଖବର ପ୍ରସାରଣ ପରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋବାଇଲ ପ୍ରଦାନ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ମହାସଂଘର ସାଧାରଣ ସମ୍ପାଦକ ଅଶୋକ ପାଇକରାୟଙ୍କ ନେତୃତ୍ୱରେ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ, ଭୂମୋହନ ପଟ୍ଟନାୟକ, ଭୁବନେଶ୍ୱର ଆବାହକ ଶଙ୍କର ସାମନ୍ତରାୟଙ୍କୁ ନେଇ ଏକ ପ୍ରତିନିଧିମଣ୍ଡଳୀ ଆଜି ଓସେପା ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଅବଶ୍ୟକ ପଦକ୍ଷେପ ନ ନେଲେ, ମହାସଂଘ ରାଜ୍ୟରେ ଆନ୍ଦୋଳନ କରିବ ବୋଲି ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଚେତାବନୀ ଦେଇଛନ୍ତି।

ମହାସଂଘ ସଦସ୍ୟମାନେ କହିଛନ୍ତି ଯେ, ରାଜ୍ୟର ସରକାରୀ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ମୋଟ ୬୦ ଲକ୍ଷ ପିଲା ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୨୨ଲକ୍ଷ ଛାତ୍ରଛାତ୍ରୀ ଅନ୍‌ଲାଇନ ଓ ହ୍ବାଟସ୍‌-ଆପ୍‌ ମାଧ୍ୟମରେ ପାଠ ପଢ଼ୁଛନ୍ତି। ତେଣୁ ୩୮ଲକ୍ଷ କୋମଳମତି ପିଲା ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ସରକାର ଏପରି କରିପାରିବେ ନାହଁ। ସମସ୍ତଙ୍କୁ ଶିକ୍ଷା ପ୍ରଦାନ ପାଇଁ ସରକାର ବାଧ୍ୟ। ଯେଉଁମାନଙ୍କ ପାଖରେ ଆଣ୍ଡ୍ରଏଡ୍‌ ମୋବାଇଲ ନାହିଁ କିମ୍ବା ନେଟୱର୍କ ଉପଲବ୍ଧ ହେଉନି, ସେମାନେ ଏହି କ୍ଲାସରୁ ବଞ୍ଚିତ ହେଉଛନ୍ତି। ସମସ୍ତଙ୍କ ପାଇଁ ମୋବଇଲ ବ୍ୟବସ୍ଥା ନ କରି ଅନ୍‌ଲାଇନ ବ୍ୟବସ୍ଥାରେ ପାଠପଢ଼ା ଆରମ୍ଭ କରି ପିଲାଙ୍କ ମଧ୍ୟରେ ଭେଦଭାବ ତିଆରି କରାଯାଉଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ମୋବାଇଲ୍‌ ଦିଆଯାଉ ବୋଲି ମହାସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର