ଅନ୍‌ଲାଇନ୍‌ରେ ବିପିୟୁଟି ଓ ଭିସୁଟ୍‌ ପରୀକ୍ଷା

ଭୁବନେଶ୍ବର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଓ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିଏସ୍‌ଏସ୍‌ୟୁଟି)ର ଶେଷ ସେମିଷ୍ଟର୍‌ ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବ। ଅନ୍‌ଲାଇନ୍‌ ପରୀକ୍ଷା ସହ ଓପନ୍‌ ବୁକ୍‌ ସିଷ୍ଟମରେ ବିଶ୍ବବିଦ୍ୟାଳୟଗୁଡ଼ିକ ପରୀକ୍ଷା କରିବେ। ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳରେ ନେଟ୍‌ୱାର୍କ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଛାତ୍ରଛାତ୍ରୀ ସେମାନଙ୍କ ଘରଠାରୁ ନିକଟସ୍ଥ ସରକାରୀ ଆଇଟିଆଇ/ପଲିଟେକ୍‌ନିକ୍ସ, ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ଟେକ୍ନିକାଲ/ପ୍ରଫେସନାଲ ଶିକ୍ଷାନୁଷ୍ଠାନର ବ୍ରଡ୍‌ବ୍ୟାଣ୍ଡ/କମ୍ପ୍ୟୁଟର ବ୍ୟବହାର କରି ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇପାରିବେ। ପ୍ରତି ଜିଲ୍ଲାରେ ଅତି କମ୍‌ରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ଚୟନ କରାଯିବ। ଯେଉଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପରୀକ୍ଷା ଦେ‌ବେ ନାହିଁ, ସେମାନଙ୍କ ଲାଗି ବିଶ୍ବବିଦ୍ୟାଳୟ ଖୋଲିବା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ଜୁଲାଇ ପହିଲାରୁ ପରୀକ୍ଷା ଆରମ୍ଭ କରି ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ କୁମାର ନାୟକ ଆଜି ଉକ୍ତ ଦୁଇ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ନିର୍ଦେଶ ଦେଇଛନ୍ତି।

ନିର୍ଦେଶ ପାଇବା ପରେ ବିପିୟୁଟି ଅଧୀନରେ ପରିଚାଳିତ ସମସ୍ତ ପାଠ୍ୟକ୍ରମର ଶେଷ ସେମିଷ୍ଟର ଥିଓରି ପରୀକ୍ଷା ଅନ୍‌ ଲାଇନ୍‌ରେ ହେବ ବୋଲି କର୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁନ୍‌ ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହେବ। ଯେଉଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେନି, କରୋନା କମିବା ତଥା କଲେଜ ଖୋଲିବା ପରେ ସେମାନେ ଶିକ୍ଷାନୁଷ୍ଠାନରେ ଅଫ୍‌ ଲାଇନ୍‌ରେ ପରୀକ୍ଷା ଦେଇପାରିବେ ବୋଲି ବିପିୟୁଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର