ମୋଟର ସାଇକେଲ ବିକ୍ରି ନାଁରେ ଯୁବକଙ୍କଠୁ ଠକି ନେଲେ ୫୨ ହଜାର ଟଙ୍କା

ମାଲକାନଗିରି: ବିଭିନ୍ନ ସମୟରେ ଅନଲାଇନରେ ବିଭିନ୍ନ ପ୍ରଲୋଭନ ଜିନିଷ ଦେଖାଇ ଲୋକଙ୍କୁ ମାଫିଆମାନେ ଠକୁଥିବା ନଜିର ରହିଥିଲେ ମଧ୍ୟ ଲୋକେ ଏସବୁକୁ ଅଣଦେଖା କରି ପୁଣି ଏହି ମାଫିଆଙ୍କ ଜାଲରେ ପଡି ଠକି ହେଉଛନ୍ତି। ଏଭଳି ଏକ ଘଟଣା ଘଟିଛି ମାଲାକନଗିରି ଜିଲ୍ଲାର ମାତିଲି ବ୍ଲକ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର ଜଗନ୍ନାଥ ଭୁମିଆଙ୍କ ସହ ।

ସୂଚନା ମୁତାବକ, ଜଗନ୍ନାଥ ଫେସବୁକରେ ଏକ ମଟର ସାଇକେଲ ବିକ୍ରି ନେଇ ବିଜ୍ଞାପନ ଦେଖିଲେ। ତୁରନ୍ତ ସେ ଫେସବୁକରେ ଦିଆଯାଇଥିବା ଫୋନ ନମ୍ବର ୮୩୩୯୮୪୫୨୯୭ରେ ଯୋଗାଯୋଗ କରିଥିଲେ। ଯୋଗାଯୋଗ କରିବାରୁ ଅଭିଯୁକ୍ତ ନିଜର ପରିଚୟ ଅରିନ୍ଦମ ରାୟ ଏବଂ ସେ ଜଣେ ମିଲିଟାରୀ ଲୋକ ବୋଲି କହିଥିଲା। ଏହା ସହ ସେ ରମେଶ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ ନମ୍ବର ୭୬୯୪୮୯୫୧୧୬ରେ ଟଙ୍କା ପେଟିଏମ କରିବା ପାଇଁ କହିଥିଲା। ଜଗନ୍ନାଥ ମଧ୍ୟ କୌଣସି ବୁଝାସୁଝା ନକରି ତୁରନ୍ତ ଗତ ୨୪ ତାରିଖ ଦିନ ୨୧୫୦, ୭୬୫୦, ୭୦୦୦, ୪୬୨୫, ୮୨୨୦, ୮୨୧୦ ଏବଂ ୧୪,୯୯୯ ଟଙ୍କା କ୍ରମାଗତ ଭାବେ ପଠାଇଥିଲେ, ଯାହାର ପ୍ରମାଣ ଜଗନ୍ନାଥ ରଖିଛନ୍ତି। ସେ ମୋଟ ୫୨ ହଜାର ୮୫୪ ଟଙ୍କା ଦେଇଥିବା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ତେବେ ସେହି ବ୍ୟକ୍ତିଜଣକ ନିକକୁ ସେନା କର୍ମଚାରୀ ବୋଲି କହିବା ସହ ପୁଣି ୨୧ ହଜାର ଟଙ୍କା ପକାଇବାକୁ ଧମକାଉଥିବା ଜଗନ୍ନାଥ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଜଗନ୍ନାଥକୁ ନା ଗାଡି ମିଳୁଛି ନା ସେ ଦେଇଥିବା ଟଙ୍କା ଫେରସ୍ତ ମିଳୁଛି। ତେବେ ଅନଲାଇନରେ ପ୍ରତିଦିନ ଶହ ଶହ ଲୋକ ଠକାମିର ଶିକାର ହେଉଥିବା ବେଳେ କିପରି ଲୋକେ ପୁଣି ଫସୁଛନ୍ତି ତାହାକୁ ନେଇ ଆଲୋଚନା ଜୋର ଧରିଛି। ପୁଲିସ ନିକଟରେ ଜଗନ୍ନାଥ ଫେରାଦ ହୋଇ ନିଜର ସମସ୍ତ ଟଙ୍କା କିପରି ଫେରିପାଇବ ସେନେଇ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର