ଅନ୍‌ଲାଇନ୍‌ ଠକେଇ; ଦେଶରୁ ଲୁଟିଲେ ୧୦୦୦ କୋଟି; ଓଡ଼ିଶା ହିସାବ ମିଳୁନି

ସର୍ବାଧିକ ତଥ୍ୟ ଚୋରିରେ ଚାଇନିଜ୍ ଡେଟିଂ ଆପ୍ ଆଗରେ
କୋଵିନ୍ ପୋର୍ଟାଲ୍‌ର ମଧ୍ୟ ଜାଲ ୱେବ୍‌ସାଇଟ୍ ତିଆରି କରିଛି ଚୀନ୍‌, ଦକ୍ଷିଣ କୋରିଆ

ଭୁବନେଶ୍ବର : ପ୍ରଥମେ ୨୫୦ କୋଟି, ତା’ପରେ ୯ଶହ କୋଟି ଓ ଆଜି ହଜାରେ କୋଟି ଟଙ୍କା ଭାରତରୁ ବିଦେଶୀ ସାଇବର ଠକମାନେ ଲୁଟି ନେଇଛନ୍ତି ବୋଲି ଜଣାପଡ଼ିଛି। ଏହି ଲୁଟ୍‌ରେ ଚୀନ, ଥାଇଲାଣ୍ଡ, ଆଫ୍‌ଗାନିସ୍ତାନ ସହ ଇରାକ୍‌ର ସାଇବର ଠକମାନେ ବି ସାମିଲ୍ ଥିବା ସ୍ପଷ୍ଟ ହୋଇଛି। ବେଙ୍ଗାଲୁରୁ ସାଇବର ସେଲ୍ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି। ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଥିବା ୨୦ରୁ ଅଧିକ ସାଇବର ଠକଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଉଲ୍‌ବେରିଆ ଅଞ୍ଚଳର ସେକ୍‌ ରବିନ୍ ଏହି କାରବାରର ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଛି। ସେ ଟେଲିଗ୍ରାମ୍‌ ଜରିଆରେ ଚୀନ୍‌ ହ୍ୟାକର୍‌ଙ୍କ ସହ ଏହି ଆପ୍ ପରିଚାଳନା କରୁଥିଲା। ୧୧୦ ନିଷ୍କ୍ରିୟ କମ୍ପାନିକୁ ଟାର୍ଗେଟ୍ କରି ଜାଲ୍ ସଂସ୍ଥା ଖୋଲିଥିଲା ଓ ଉକ୍ତ ସଂସ୍ଥା ଜରିଆରେ ଟଙ୍କା କ୍ରିପ୍ଟୋକରେନ୍ସିକୁ ବଦଳାଇ ବିଦେଶକୁ ପଠାଉଥିଲା। ତେବେ ମୁଖ୍ୟ ସାଇବର ଠକ ପାଖରେ ପହଞ୍ଚିବା ପାଇଁ ପୁଲିସ ଗୁଇନ୍ଦା ବିଭାଗର ସାହାଯ୍ୟ ନେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ଏଭଳି ଏକ ବଡ଼ ଠକେଇର ପର୍ଦ୍ଦାଫାସ୍ ହେବା ପରେ ଓଡ଼ିଶାରୁ କେତେ ପରିମାଣର ଟଙ୍କା ଲୁଟ୍‌ ହୋଇଛି, ତା’ର ହିସାବ ମିଳୁନି।

ରାଜ୍ୟରେ ଏବେ ବି କିଛି ସାଇବର ଠକ ଇ-କମର୍ସ କମ୍ପାନିର ନାଁ ନେଇ ଲୋକଙ୍କୁ ଲୁଟିବା ଜାରି ରଖିଛନ୍ତି। ମାତ୍ର ରାଜ୍ୟ ସାଇବର ସେଲ୍ ସେମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଏ ପର୍ଯ୍ୟନ୍ତ ରାଜ୍ୟରେ ଏନେଇ କୌଣସି ବଡ଼ଧରଣର ଠକେଇ ଅଭିଯୋଗ ହୋଇନଥିବା ଏହାର କାରଣ ବୋଲି କୁହାଯାଉଛି। ତେବେ ପ୍ରାୟ ୫ ଶହରୁ ଅଧିକ ଲୋକ ଏନେଇ ବିଭିନ୍ନ ସାଇବର ସେଲ୍‌ରେ ଅଭିଯୋଗ କରିଥିଲେ ମଧ୍ୟ କେତେ ଟଙ୍କା ଠକେଇ ହୋଇଛି, ତା’ର କିଛି ସ୍ପଷ୍ଟ ସୂଚନା ସାମ୍‌ନାକୁ ଆସି ପାରିନାହିଁ। ଏପଟେ ଭୁବନେଶ୍ବର ସାଇବର ସେଲ୍‌ରେ ମଧ୍ୟ ଏହି ଚିଟ୍‌ଫଣ୍ଡ୍ ସ୍କାମ୍‌ର ଅନ୍‌ଲାଇନ୍ ଭର୍ସନ୍‌କୁ ନେଇ କେତେ ଅଭିଯୋଗ ହୋଇଛି, ସେନେଇ ପୁଲିସ୍ ତଥ୍ୟ ଦେବାରେ ଅସମର୍ଥ ହୋଇଛି। ବର୍ତ୍ତମାନ ଦେଶରେ ୯୯ କୋଟି ଭାରତୀୟ ଚାଇନିଜ୍ ଆପ୍ ବ୍ୟବହାର କରୁଛନ୍ତି ବୋଲି ରିସ୍କ୍‌ଆଇକ୍ୟୁ ନାମକ ଏକ ସର୍ବେକ୍ଷଣ ସଂସ୍ଥା କହିଛି। ଯେଉଁଥିରେ ଡେଟିଂ ଆପ୍ ଲାମୋର୍, ଲିଭୁ, କିଟି ଲାଇଭ୍, ଟାନ୍‌ଟାନ୍ ଆପ୍, ଜାକ୍‌ଜାକ୍ ଲାଇଭ୍ ଭଳି ଚାଇନିଜ୍ ଆପ୍ ରହିଛି। ଏହି ଆପ୍‌ଗୁଡ଼ିକୁ ଭାରତୀୟ ସରକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ହଟାଇ ଦେଇଥିଲେ ହେଁ ସର୍ବାଧିକ ଡାଟା ଚୋରି ଏହି ଆପ୍ ମାଧ୍ୟମରେ ହୋଇଥିବା ଜଣାପଡ଼ିଛି।

୨୦୧୯ରେ ଭାରତରେ ୧ ଲକ୍ଷ ୯୪ହଜାର ସାଇବର ଅପରାଧ ହୋଇଥିଲା। ୨୦୨୦ରେ ଏହା ପ୍ରାୟ ଅଢ଼େଇ ଗୁଣା ବଢ଼ି ୪ଲକ୍ଷ ୯୮ହଜାରରେ ପହଞ୍ଚିଛି। ବଡ଼ କଥା ହେଉଛି, ବର୍ତ୍ତମାନ ଭାରତରେ କୋଭିଡ୍‌ ଟିକାକରଣ ଚାଲିଥିବା ବେଳେ କୋଵିନ୍ ପୋର୍ଟାଲ୍, ଉମଙ୍ଗ ଓ ଆରୋଗ୍ୟ ସେତୁ ଆପ୍ ଦ୍ବାରା ସ୍ଲଟ୍ ବୁକିଂ ଚାଲିଛି। ତେବେ ଏହାକୁ ଟାର୍ଗେଟ୍ କରି ଚୀନ୍‌ ଓ ଦକ୍ଷିଣ କୋରିଆର ହ୍ୟାକର୍ ଜାଲ୍ କୋଵିନ୍ ପୋର୍ଟାଲ୍ ୱେବସାଇଟ୍ ବ୍ୟବହାର କରିଥିବା ଜଣାପଡ଼ିଛି। ଏହି ଜାଲ୍‌ ପୋର୍ଟାଲ ଦ୍ବାରା ଆଧାର କାର୍ଡ ଜରିଆରେ କେହି ସ୍ଲଟ୍ ବୁକିଂ କଲେ, ତାଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରଙ୍କ ହସ୍ତଗତ ହୋଇଥିବା ନିଶ୍ଚିତ। ତେଣୁ ଉକ୍ତ ନକଲି ପୋର୍ଟାଲ ଜରିଆରେ ବହୁ ଭାରତୀୟଙ୍କ ତଥ୍ୟ ହ୍ୟାର୍କମାନଙ୍କ ନିକଟରେ ପହଞ୍ଚିଛି ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର