ଗରଦପୁର: କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ତଳକୁମସୁମା ପଞ୍ଚାୟତ ବଙ୍ଗାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍‌ଲାଇନ୍‌ ଗେମ୍‌ରେ ହାରିଯିବାରୁ ବିଷପିଇ ଆତ୍ମହତ୍ୟା କରିଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର। ମୃତ ଛାତ୍ର ଜଣକ ହେଉଛନ୍ତି ସାହିଲ୍‌ କୁମାର ଜେନା (୧୮)। 

Advertisment

ବଙ୍ଗାରୀ ଗ୍ରାମର ଉମାକାନ୍ତ ଜେନାଙ୍କ ଏକମାତ୍ର ପୁଅ ସାହିଲ୍‌ ଭୁବନେଶ୍ବର ଚନ୍ଦକାସ୍ଥିତ ନାଳନ୍ଦା ଏନ୍‌ଆଇଟିରେ ଇଞ୍ଜିନିୟରିଂ ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ଗତ ୬ମାସ ହେଲା ପରିବାର ଅଗୋଚରରେ ସେ ଅନ୍‌ଲାଇନ୍‌ ଗେମ୍‌ ଖେଳୁଥିଲେ। ଏହି ଖେଳ ନିଶାରେ ପଡ଼ିଥିବାରୁ ସେ କିଛିଦିନ ହେବ ମାନସିକ ବିଷାଦଗ୍ରସ୍ତ ରହୁଥିଲେ। ପୂର୍ବରୁ କେତେଥର ଗେମ୍‌ରେ ହାରିବା ପରେ ସେ ବାପାଙ୍କ ଆକାଉଣ୍ଟରୁ ଟଙ୍କା ନେଇ ଭରଣା କରୁଥିଲେ। ସୋମବାର ସାହିଲ୍‌ ଅନ୍‌ଲାଇନ୍‌ ଗେମ୍‌ରେ ୯୬ ହଜାର ଟଙ୍କା ହାରି ଯାଇଥିଲେ।

ଏହା ପରଠାରୁ ସେ ଘରେ ବ୍ୟସ୍ତବିବ୍ରତ ରହିଥିଲା ବେଳେ ଆଜି ମୁଗଚାଷରେ ପକାଇବା ପାଇଁ ରହିଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ। ଏହା ଜଣାପଡ଼ିବା ପରେ ପରିବାରବର୍ଗ ତାଙ୍କୁ ଗୁରୁତର ଅବସ୍ଥାରେ ପାଟକୁରା ଡାକ୍ତରଖାନାକୁ ନେଇଥିଲେ। ସେଠାରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଛାତ୍ରଙ୍କ ଏଭଳି ଦୁଃଖଦ ମୃତ୍ୟୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।