ଗୁଣପୁର: ରାମନାଗୁଡ଼ା ଥାନା ଗଣପତିଗୁଡ଼ାର ଦଶମ ଶ୍ରେଣୀ ଛାତ୍ରୀ ସାଇନା ସାହୁ (୧୫) ଅନ୍‌ଲାଇନ୍ ଗେମ୍ ଖେଳି ଜୀବନ ହାରିଛନ୍ତି। ଗେମ୍‌ରେ ଜିତିଥିବା ୪ ଲକ୍ଷ ଟଙ୍କା ଫେରି ପାଇବାକୁ ଉଦ୍ୟମ କରି ନିରାଶ ହେବା ପରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ସହ ପୁଲିସ୍‌ ତଦନ୍ତ କରିଛି। ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରାମନାଗୁଡ଼ା ହାଇସ୍କୁଲରେ ପାଠ ପଢ଼ୁଥିବା ସାଇନା କିଛି ଦିନ ହେବ ଅନ୍‌ଲାଇନ ଗେମ୍ ନିଶାରେ ପଡ଼ି ଯାଇଥିଲେ।

Advertisment

 ପରିବାର ଲୋକଙ୍କ ତାଗିଦ୍‌ ସତ୍ତ୍ବେ ସୁଧୁରିନଥିଲେ। ତେବେ ଗେମ୍ ଖେଳି ପର୍ଯ୍ୟାୟକ୍ରମେ ସେ ୪ ଲକ୍ଷ ଟଙ୍କା ଜିତିଥିଲେ। ଜିତିଥିବା ଟଙ୍କା ଫେରାଇବା ପାଇଁ ସାଇନା ସମ୍ପୃକ୍ତ ସଂସ୍ଥାକୁ ବାରମ୍ବାର ନିବେଦନ କରି ଆସୁଥିଲେ। ନଚେତ୍ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ଶେଷରେ ନିରାଶ ହେବା ପରେ ବୁଧବାର ରାତିରେ ଗାଧୁଆ ଘରେ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ। ସମ୍ପର୍କୀୟ ଲିଲି ପଟ୍ଟନାୟକ ରାମନାଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ମୃତଦେହ ଜବତ କରିଥିଲା। ୫ ବର୍ଷ ପୂର୍ବରୁ ସାଇନାଙ୍କ ବାପାଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଦୁଇ ବର୍ଷ ହେଲା ମାଆ କେଉଁଆଡ଼େ ଚାଲିଯାଇଛନ୍ତି। ଜେଜେମା ପାଖରେ ରହୁଥିଲେ ସାଇନା। ସେପଟେ ବୁଧବାର ଗୁଣପୁର ନିକଟ ଭାଲେରିକୁଡ଼ିଆ ଗ୍ରାମରେ ବିଇଡି ତାଲିମ ନେଉଥିବା ଜଣେ ଛାତ୍ର ଅନଲାଇନ୍ ଗେମ୍‌କୁ ନେଇ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।