ଅକ୍ଟୋବର ୧ରୁ ଅନ୍‌ଲାଇନ୍‌ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ବାଧ୍ୟତାମୂଳକ

ପ୍ରମାଣପତ୍ରକୁ ସାଙ୍ଗରେ ଧରି ବୁଲିବା ଆବଶ୍ୟକ ନାହିଁ

ଭୁବନେଶ୍ବର : ଅକ୍ଟୋବର ୧ ତାରିଖରୁ ଯାନବାହନର ଅନ୍‌ଲାଇନ୍‌ରେ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ପ୍ରସ୍ତୁତ କରିବା ବାଧ୍ୟତାମୂଳକ। ସେପ୍ଟେମ୍ବର ୩୦ ପରେ ଅଫ୍‌ଲାଇନ୍‌‌ରେ ପ୍ରସ୍ତୁତ ପ୍ରମାଣପତ୍ର ଗ୍ରହଣୀୟ ହେବ ନାହିଁ କି ‘ବାହନ’ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ନାହିଁ। ଏଭଳି ଚେତାଇ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ। ତା’ ସହିତ ଏନ୍‌ଫୋର୍ସମେଣ୍ଟ ଅଧିକାରୀମାନେ ବିଭିନ୍ନ ସମୟରେ ମୂଳ କାଗଜପତ୍ର ମାଗୁଥିବାରୁ ଏ ବାବଦରେ ମଧ୍ୟ ପ୍ରାଧିକରଣ ସ୍ପଷ୍ଟ କରିଛି। ଚାଳକ ଏହି ପ୍ରମାଣପତ୍ରକୁ ସାଙ୍ଗରେ ଧରି ବୁଲିବା ଆବଶ୍ୟକ ନାହିଁ। ଅନ୍‌ଲାଇନ୍‌(ଏମ୍‌ପରିବହନ)ରେ ଏହାର ସବି‌ଶେଷ ବିବରଣୀ ଉପଲବ୍ଧ ହେବ। ଗାଡ଼ି ନମ୍ବରକୁ ଏହି ଆପ୍‌ ଜରିଆରେ ଖୋଜିଲେ ଆପେ ଆପେ ଏହି ସୂଚନା ଆସିଯିବ। ଏଣୁ ଚାଳକକୁ ମୂଳ ପ୍ରମାଣପତ୍ର ଦେଖାଇବାକୁ ଅଫିସର ବାଧ୍ୟ କରିପାରିବେ ନାହିଁ। ଆଇଟି ଆକ୍ଟ-୨୦୦୦ ମୁତାବକ ଚାଳକକୁ ଏହି ସ୍ବାଧୀନତା ଦିଆଯାଇଥିବା ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ସାରା ରାଜ୍ୟରେ ଏବେ ୧୬୩ଟି ପ୍ରଦୂଷଣ ପରୀକ୍ଷା କେନ୍ଦ୍ର କାମ କରୁଛି। ଏଥିରୁ ୧୦୬ଟି ବାହନ ସହ ସଂଯୁକ୍ତ ଥିବା ବେଳେ ୫୭ଟି ଅଫ୍‌ଲାଇନ୍‌ ରହିଛି। ସେପ୍ଟେମ୍ବର ୩୦ ସୁଦ୍ଧା ଏହି ୫୭ କେନ୍ଦ୍ର ଅନ୍‌ଲାଇନ୍‌ରେ ସଂଯୁକ୍ତ ନ ହେଲେ ଏମାନେ ପ୍ରମାଣପତ୍ର ଇସ୍ୟୁ କରିପାରିବେ ନାହିଁ। କିମ୍ବା ଯଦି କରିବେ ତେବେ ଦଣ୍ଡିତ ହେବେ। ସେପ୍ଟେମ୍ବର ୧ ତାରିଖରୁ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ରାଜ୍ୟରେ ୬୯ ହଜାର ୨୧୦ ପ୍ରମାଣପତ୍ର ଅନ୍‌ଲାଇନ୍‌ରେ ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୧ ତାରିଖ ପରେ ୧୪ଟି ନୂଆ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଖୋଲିଛି।

ସମ୍ବନ୍ଧିତ ଖବର