ଏଣିକି ପରୀକ୍ଷାରେ ଆସିବ ସ୍ୱଚ୍ଛତା : ଅନ୍‌ଲାଇନ୍‌ରେ ପଠାଯିବ ପ୍ରଶ୍ନପତ୍ର, ପଲିଟେକ୍‌ନିକ୍‌ ପରେ ଅନ୍ୟ ପାଠ୍ୟକ୍ରମରେ ଲାଗୁ କରିବାକୁ ଯୋଜନା

ଭୁବନେଶ୍ୱର : ବିଶ୍ବବିଦ୍ୟାଳୟ ଓ କଲେଜରେ ହେଉଥିବା ପରୀକ୍ଷାରେ ଆସିବ ସ୍ବଚ୍ଛତା। ଆଉ ପ୍ରଶ୍ନପତ୍ର ଲିକ୍‌ ହେବାର ଆଶଙ୍କା ରହିବନି କି ଆଗୁଆ କଲେଜକୁ ପ୍ରଶ୍ନପତ୍ର ପଠାଇବାକୁ ପଡ଼ିବ ନାହିଁ। ପରୀକ୍ଷାର କିଛି ସମୟ ପୂର୍ବରୁ ଅନ୍‌ଲାଇନ୍‌ରେ ବିଶ୍ବବିଦ୍ୟାଳୟ, କଲେଜ ତଥା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ନିର୍ଦ୍ଧାରିତ କୋଡ୍‌ ବ୍ୟବହାର କରି ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ କରିବା ସହ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବେ। ଚଳିତ ଶିକ୍ଷାବର୍ଷଠାରୁ ରାଜ୍ୟରେ ଥିବା ପ୍ରାୟ ୧୬୦ଟି ପଲିଟେକ୍‌ନିକ୍‌ କଲେଜରେ ଏଭଳି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରୁ ରାଜ୍ୟର ବିଶ୍ବବିଦ୍ୟାଳୟ ଓ କଲେଜରେ ଏହାକୁ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ପ୍ରଶ୍ନପତ୍ର ଲିକ୍‌ ସମସ୍ୟା ଦୂର ହେବା ସହ ପରୀକ୍ଷାରେ ସ୍ବଚ୍ଛତା ଆସିପାରିବ।

photo by : traffic-club.info

ମିଳିଥିବା ସୂଚନା ଅନୁଯାୟୀ ପ୍ରଶ୍ନପତ୍ରରେ ଓଟିପି ଓ ୱାଟରମାର୍କିଂ ବ୍ୟବସ୍ଥା ରହିଛି। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପକ୍ଷରୁ ଶିକ୍ଷାନୁଷ୍ଠାନ ତଥା ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବା ପରେ ସେମା‌ନେ ତାହାକୁ ଡାଉନ୍‌ଲୋଡ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବେ। ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ମଣିପାଲ ଏଜୁକେସନ୍ ଓ ମେଡିକାଲ୍ ଗ୍ରୁପ୍‌ର ମେରିଟ୍ ଟ୍ରାକ୍ ସର୍ଭିସ୍ ପ୍ରାଇଭେଟ୍‌ ଲିମିଟେଡ୍‌ ଏଦିଗରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛି। ମଣିପାଲ ଏଜୁକେସନ୍ ଓ ମେଡିକାଲ୍ ଗ୍ରୁପ୍ ସଭାପତି ସୁବ୍ରତ ମହାନ୍ତିଙ୍କ କହିବାନୁଯାୟୀ, ଅନ୍‌ଲାଇନ୍‌ରେ ପଲିଟେକନିକ୍‌ କଲେଜ ପାଇଁ ପ୍ରଶ୍ନପତ୍ରର ବ୍ୟବସ୍ଥା କରାଯାଇଛି। ଏକ୍ଷେତ୍ରରେ ମଣିପାଲ ଗ୍ରୁପ୍ ରାଜ୍ୟ ସରକାରଙ୍କ ସହ ଅଂଶୀଦାର ଭାବେ କାର୍ଯ୍ୟ କରୁଛି। ପରୀକ୍ଷାର ସୁପରିଚାଳନା, ବିଶ୍ୱବିଦ୍ୟାଳୟ ପରିଚାଳନା ଓ ଲିକ୍ ପ୍ରୁଫ୍ ପ୍ରଣାଳୀ ସହାୟତାରେ ଇତିମଧ୍ୟରେ ୧୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଲାଗି ଅନ୍‌ଲାଇନ୍‌ରେ ପ୍ରଶ୍ନପତ୍ର ଉପଲବ୍ଧ କରାଯାଇଛି। ଏହା ଜଷ୍ଟ-ଇନ୍-ଟାଇମ୍ ପ୍ରଶ୍ନପତ୍ର ଶିକ୍ଷାର୍ଥୀଙ୍କୁ ଯୋଗାଇ ଦେଇଥାଏ। ଫଳରେ ଲିକ୍ ହେବାର ଆଶଙ୍କା ରହି ନ ଥାଏ। ଏହି ଜ୍ଞାନକୌଶଳ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ଉପଲବ୍ଧ କରାଯିବ। ପ୍ରତି ସେଟ୍ ପ୍ରଶ୍ନପତ୍ରରେ ଡାଉନଲୋଡ୍ କରୁଥିବା ଶିକ୍ଷାନୁଷ୍ଠାନର ୱାଟରମାର୍କ ରହିବ। ଫଳରେ ଏଣିକି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରଗୁଡ଼ିକୁ ସଂରକ୍ଷିତ କରି ରଖିବାର ଆବଶ୍ୟକତା ରହିବ ନାହିଁ।

ମେରିଟ୍ ଟ୍ରାକ୍ ସର୍ଭିସ୍ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ଅମ୍ବ୍ରିଶ୍ ସିହ୍ନା କହିଛନ୍ତି ଯେ ବର୍ତମାନ ଶିକ୍ଷା କ୍ଷେତ୍ରରେ ବିକଶିତ ଜ୍ଞାନକୌଶଳ ଓ ଡିଜିଟାଲ ପ୍ଲାଟଫର୍ମର ବହୁଳ ବ୍ୟବହାର ହେଉଛି। ଏହା ଶିକ୍ଷା କ୍ଷେତ୍ର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାରେ ଲାଗିଛି। ଓଡ଼ିଶା ସରକାରଙ୍କ ସହିତ ମିଳିତ ଭାବେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରଖିବାକୁ ପ୍ରୟାସ କରାଯାଉଛି। ଏହାଦ୍ୱାରା ପରୀକ୍ଷାରେ ପ୍ରଶ୍ନପତ୍ରର ସୁରକ୍ଷା ବୃଦ୍ଧି ସମ୍ଭବ ହୋଇପାରିବ।

ସମ୍ବନ୍ଧିତ ଖବର