ଭବାନୀପାଟଣା : କେଉଁଠି ନେଟୱାର୍କ ନାହିଁ ତ କେଉଁଠି ବିଜୁଳି ନାହିଁ, ପ୍ରହସନ ପାଲଟିଛି ଅନଲାଇନ ପାଠପଢା

ଜିଲ୍ଲାରେ ଅନଲାଇନରେ ମାତ୍ର ୨୨.୪୬ % ଛାତ୍ରଛାତ୍ରୀ ପାଠ ପଢୁଛନ୍ତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କେଉଁଠି ନେଟୱାର୍କ ନାହିଁ ତ କେଉଁଠି ବିଜୁଳି ନାହିଁ । ଫଳରେ ଅନଲାଇନରେ ଛାତ୍ରଛାତ୍ରୀଙ୍କ ପାଠ ପଢା ପ୍ରହସନ ପାଲଟିଛି । କରୋନାର ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଉପରେ ପଡିଥିବା ଯୋଗୁଁ ଶିକ୍ଷାଦାନରୁ ବଞ୍ଚିତ ହୋଇ ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଇଛି । କଳାହାଣ୍ଡି ଜିଲ୍ଲାରେ ମାତ୍ର ୨୨.୪୬% ଛାତ୍ରଛାତ୍ରୀ ଅନଲାଇନରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୭୭.୫୪% ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଦାନରୁ ବଞ୍ଚିତ ହୋଇଛନ୍ତି । ଏନେଇ ଅଭିଭାବକ ଓ ଛାତ୍ରଛାତ୍ରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ବ୍ଳକରେ ୩୦୪ଟି ସ୍କୁଲରେ ୨୫ ହଜାର ୬୯୦ ଛାତ୍ରଛାତ୍ରୀ ଅଛନ୍ତି । ସେଥି ମଧ୍ୟରୁ ୭ ହଜାର ୪୧୬ ଜଣ ସମେତ ୨୮.୮୭ % ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି । ସେହିଭଳି ଥୁଆମୂଳ ରାମପୁର ବ୍ଳକରେ ୧୭୬ଟି ସ୍କୁଲରୁ ୭ ହଜାର ୮୮୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ମାତ୍ର ୭୩ ଜଣ ସମେତ ୦.୯୨୬% ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଲାଞ୍ଜିଗଡ଼ ବ୍ଳକରେ ୨୨୦ଟି ସ୍କୁଲରୁ ୧୩ ହଜାର ୧୪୩ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୮୭୬ ଜଣ ସମେତ ୬.୬୬୫ %, କେସିଙ୍ଗା ବ୍ଳକରେ ୧୬୭ ଟି ସ୍କୁଲରୁ ୧୫ ହଜାର ୬୭୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ ହଜାର ୮୦ ଜଣ ସମେତ ୪୫.୧୮%, କର୍ଲାମୁଣ୍ଡା ବ୍ଳକରେ ୯୧ଟି ସ୍କୁଲରୁ ୬ ହଜାର ୩୯୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫୯୦ ଜଣ ସମେତ ୨୪.୮୭%, ମଦନପୁର ରାମପୁର ବ୍ଳକରେ ୧୭୫ ଟି ସ୍କୁଲରୁ ୯ ହଜାର ୬୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୮୮ ଜଣ ସମେତ ୧୩.୩୩%, ନର୍ଲା ବ୍ଳକରେ ୨୩୬ ଟି ସ୍କୁଲରୁ ୧୭ ହଜାର ୨୧୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ହଜାର ୩୮୪ ଜଣ ସମେତ ୧୩.୫୩%, ଜୁନାଗଡ଼ ବ୍ଳକରେ ୨୩୧ ଟି ସ୍କୁଲରୁ ୨୦ ହଜାର ୫୭୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ ହଜାର ୩୦୦ ଜଣ ସମେତ ୨୫.୭୭%, ଧର୍ମଗଡ ବ୍ଳକରେ ୧୮୨ ଟି ସ୍କୁଲରୁ ୧୬ ହଜାର ୧୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ହଜାର ୯୪୯ ଜଣ ଛାତ୍ରଛାତ୍ରୀ ସମେତ ୨୪.୬୬%, ଗୋଳାମୁଣ୍ଡା ବ୍ଳକରେ ୨୦୯ ଟି ସ୍କୁଲରୁ ୧୬ ହଜାର ୫୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ହଜାର ୯୨୦ ଜଣ ସମେତ ୨୩.୬୯%, କଲମପୁର ବ୍ଳକରେ ୯୭ଟି ସ୍କୁଲରୁ ୬ ହଜାର ୪୩୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୨୧ ଜଣ ସମେତ ୨୮.୩୧%, କୋକସରା ବ୍ଳକରେ ୧୭୮ଟି ସ୍କୁଲରୁ ୧୪ ହଜାର ୮୬୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ହଜାର ୪୫୩ ଜଣ ସମେତ ୨୩.୨୩%, ଜୟପାଟଣା ବ୍ଳକରେ ୧୮୨ ଟି ସ୍କୁଲରୁ ୧୪ ହଜାର ୫୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ହଜାର ୩୯୬ ଜଣ ସମେତ ୧୬.୫% ଜଣ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି ।

ସେହିଭଳି ସମୁଦାୟ ଜିଲ୍ଲାରେ ୨୨୬୬୭ଟି ସ୍କୁଲରୁ ୧ ଲକ୍ଷ ୮୫ ହଜାର ୬ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୪୧ ହଜାର ୫୪୬ ଜଣ ସମେତ ୨୨.୪୬% ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି। ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ସେହିଭଳି ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ପରିଚାଳିତ ୨୨ଟି ଆଶ୍ରମ ହାଇସ୍କୁଲ ଓ ୨୧ଟି ସେବାଶ୍ରମରେ ୧୬ ହଜାର ୯୦୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨୯୬୯ ଜଣ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି। କଳାହାଣ୍ଡି ଜିଲ୍ଲାରେ ଦୁର୍ଗମ ଅଞ୍ଚଳରେ ବିଜୁଳି ନ ଥିବା ବେଳେ ବହୁ ଅଞ୍ଚଳରେ ମୋବାଇଲ ନେଟୱାର୍କ ଅପହଞ୍ଚ ପାଲଟିଛି । ଜିଲ୍ଲାର ଥୁଆମୂଳ ରାମପୁର ,ଲାଞ୍ଜିଗଡ଼ ଓ ମଦନପୁର ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳକୁ ବିଜୁଳି ସେବା ସାତ ସପନ ପାଲଟିଛି। କେବଳ ସହରାଞ୍ଚଳ ଓ ବ୍ଲକ ମହକୁମାରେ ମୋବାଇଲ ନେଟୱାର୍କ ଥିବା ବେଳେ ବିଭିନ୍ନ ଅଞ୍ଚଳରେ ବ୍ଲକ ମହକୁମାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ମୋବାଇଲ ନେଟୱାର୍କ ମିଳୁନାହିଁ । ଫଳରେ ଛାତ୍ରଛାତ୍ରୀମାନେ ଦହଗଞ୍ଜ ହୋଇ କିଏ ଛାତ ଉପରେ ତ କିଏ ଗଛ ମୂଳରେ ମୋବାଇଲ ନେଟୱାର୍କ ଖୋଜୁଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଯୋଗୁଁ ବହୁ ପରିବାର ପାଖରେ ମୋବାଇଲ ହ୍ୟାଣ୍ଡସେଟ କିଣିବା ପାଇଁ ଅଣ୍ଟିକୁ ପଇସା ମିଳୁ ନାହିଁ । କିଛି ପରିବାର ପାଖରେ ମୋବାଇଲ ହ୍ୟାଣ୍ଡସେଟ ଥିଲେ ମଧ୍ୟ ଶସ୍ତା ହ୍ୟାଣ୍ଡସେଟ ଯୋଗୁଁ ଅନଲାଇନ ଉପଲବ୍ଧ ହୋଇ ପାରୁନାହିଁ । ଗୋଟିଏ ପଟେ ଜିଲ୍ଲାରେ ୨୨.୪୬% ଛାତ୍ରଛାତ୍ରୀ ଅନଲାଇନରେ ପାଠପଢୁ ଥିବା ବେଳେ ଅବଶିଷ୍ଟ ୭୭. ୫୪% ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି । କରୋନା ମାଡ଼ ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ମଧ୍ୟ ଚିନ୍ତାର କାରଣ ପାଲଟିଛି । ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର