ଝାରସୁଗୁଡ଼ା : ନିକଟରେ କ୍ଲାଉଡ଼ ଆସେଟ୍ ମ୍ୟାନେଜମେଣ୍ଟ ନାଁରେ ଏକ ଠକ କମ୍ପାନି କୋଟି କୋଟି ଟଙ୍କା ଠକି ନେଇଥିଲା। କିଛିଦିନ ପରେ ଏବେ ୱାଟର୍ ଭିଟାଲିଟି ନାମରେ ଆଉ ଏକ ସଂସ୍ଥା କୋଟି କୋଟି ଟଙ୍କା ନେଇ ଉଭାନ ହୋଇଯାଇଛି। ଏକ ନିର୍ଦ୍ଦିଷ୍ଟ ମୋବାଇଲ ଆପ ମାଧ୍ୟମରେ ଏହି ସଂସ୍ଥା ବିଶୁଦ୍ଧ ପାଣି ଓ ଅମ୍ଳଜାନ ପ୍ରସ୍ତୁତ ନାମରେ ଉପରୋକ୍ତ ସଂସ୍ଥା ଲୋକଙ୍କୁ ଠକେଇ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସର୍ବନିମ୍ନ ୪୭୦ ଟଙ୍କା ଜମା କଲେ ଦୈନିକ ଟ ୧୯.୭୪ ପଇସା ୧୦୦ ଦିନ ପର୍ଯ୍ୟନ୍ତ ୧୯୭୪ ଟଙ୍କା ପ୍ରଦାନ କରାଯିବା ପ୍ରତିଶ୍ରୁତି ଦିଆଯାଇଥିଲା। ସେହିପରି ୨୮୦୦ ଟଙ୍କା ଜମାରେ ଦୈନିକ ୧୨୩ ଟଙ୍କା ୨୦ ପଇସା ୧୦୦ ଦିନ ପର୍ଯ୍ୟନ୍ତ ମୋଟ ୧୨, ୩୨୦ ଟଙ୍କା, ୯୨୦୦ ଟଙ୍କା ଜମା କଲେ ଦୈନିକ ୪୩୨.୪୦ ହିସାବରେ ୧୨୦ ଦିନ ପର୍ଯ୍ୟନ୍ତ ୫୧,୮୮୮ ଟଙ୍କା, ୨୬,୦୦୦ ଟଙ୍କା ଜମା କଲେ ଦୈନିକ ୧୨୭୪ ଟଙ୍କା ହିସାବରେ ୧୨୦ ଦିନ ପର୍ଯ୍ୟନ୍ତ ୧, ୫୨,୮୮୦ ଟଙ୍କା ଏବଂ ୫୩,୦୦୦ ଟଙ୍କା ଜମା କଲେ ଦୈନିକ ୨୭୫୬ ଟଙ୍କା ହିସାବରେ ୧୫୦ ଦିନ ପର୍ଯ୍ୟନ୍ତ ମୋଟ ୪,୧୩,୪୦୦ ଟଙ୍କା ପ୍ରଦାନର ପ୍ରତିଶ୍ରୁତି ଦିଆଯାଇଥିଲା। ହଜାର ହଜାର ଲୋକ ଏଥିରେ ଟଙ୍କା ବିନିଯୋଗ କରିଥିଲେ। ପ୍ରଥମେ କିଛି ଦିନ ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ମୁତାବକ ଟଙ୍କା ପ୍ରଦାନ କରାଯାଉଥିଲା। ଏହି ଟଙ୍କା ଆପ୍ରେ ଜମା ରହୁଥିବା ବେଳେ ତାକୁ ବ୍ୟାଙ୍କ ଆକାଉଣ୍ଟକୁ ବଦଳ ମଧ୍ୟ କରାଯାଉଥିଲା। ପ୍ରଥମେ ଏହି ସ୍କିମ୍ରେ ବହୁ ଲୋକ ଲାଭବାନ ହେବାପରେ ଏହାର ପ୍ରସାର ମଧ୍ୟ ହୋଇଥିଲା। ଲୋଭରେ ପଡ଼ି ବହୁଲୋକ ଏଥିରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ଲୋକଙ୍କୁ ବିଶ୍ବାସ ଦେବା ପାଇଁ ସଂସ୍ଥା ପକ୍ଷରୁ କିଛି ଲୋକଙ୍କ ମାଧ୍ୟମରେ ଜମାକାରୀମାନଙ୍କ ହ୍ବାଟଅପ୍ ଗ୍ରୁପ ଗଠନ କରିଥିଲା। ବିଶୁଦ୍ଧ ପାଣି ଓ ଅମ୍ଳଜାନ ଦୁଇଟି ସ୍କିମ୍ରେ ଏହି ସଂସ୍ଥା ଭିନ୍ନ ଭିନ୍ନ ଲାଭ ଦେଖାଇ ଲୋକଙ୍କଠାରୁ ଆପ ମାଧ୍ୟମରେ ଟଙ୍କା ଆଦାୟ କରିଥିଲା। ଏହି ଯୋଜନା ରେଫର କରୁଥିବା ବ୍ୟକ୍ତିଙ୍କୁ ଟଙ୍କା ଆସୁଥିବା ବେଳେ ଜାଲ ପରି ଏହା ସବୁଆଡ଼େ ଛାଇ ଯାଇଥିଲା।
ଆପ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଇ ବିଶୁଦ୍ଧ ପାଣି ଓ ଅମ୍ଳଜାନ ନେଇ ବହୁ କଥା ଲେଖାଯାଇ ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇଥିଲେ। ପରେ ଲୋକେ ଟଙ୍କା ଜମା କରିଥିଲେ। ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ଏହି ସଂସ୍ଥା ଠିକ୍ ସମୟରେ ଟଙ୍କା ଦେଣନେଣ କରିବାପରେ ଗତ ୨୯ ତାରିଖଠାରୁ ଟଙ୍କା ଉଠାଣ ବନ୍ଦ କରି ଦେଇଥିଲା। ଖୋଲାଯାଇଥିବା ହ୍ବାଟ୍ସଅପ ଗ୍ରୁପଗୁଡ଼ିକୁ ଯେପରି କେହି ଏନେଇ କୌଣସି ପ୍ରଶ୍ନ ପଚାରିପାରିବେ ନାହିଁ, ସେଥିପାଇଁ ହଠାତ୍ କେବଳ ଆଡମିନ୍ ବ୍ୟବହାର କରିପାରିବା ମୋଡ୍ରେ ରଖି ଦିଆଯାଇଥିଲା। ଗ୍ରୁପ ଆଡମିନ୍ ଗ୍ରୁପରେ ସୂଚନା ଦେଇଥିଲେ ଯେ ସଂସ୍ଥାର ଏହି ଆପ୍ ପ୍ଲେଷ୍ଟୋର ଜରିଆରେ ଅପଲୋଡ଼୍ କରାଯିବାର ବ୍ୟବସ୍ଥା ହେଉଥିବାରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଆପ୍ରୁ ଟଙ୍କା ଉଠାଇବା ସାମୟିକ ଭାବେ ବନ୍ଦ କରାଯାଇଛି।
୬ ତାରିଖ ପରେ ସ୍କିମ୍ଗୁଡ଼ିକର ପ୍ଲାନ୍ରେ ଲାଭ କମ୍ ଘୋଷଣା କରାଯାଇ ୬ ତାରିଖ ପୂର୍ବରୁ ଯେଉଁମାନେ ଟଙ୍କା ଜମା ଦେଲେ ପୁରୁଣା ପ୍ଲାନ୍ ଲାଗୁହେବ ବୋଲି ପ୍ରଚାର କରାଯିବାରୁ ଏହି ସମୟ ମଧ୍ୟରେ ଲୋକେ ଆଖିବୁଜି ଟଙ୍କା ଜମା କରିଥିଲେ। ୩ ତାରିଖ ଦିନ ରାତିରେ ହଠାତ୍ ଏହି ଆପ୍ ଆଉ ଖୋଲି ନଥିଲା। ହଜାର ହଜାର ଲୋକ କୋଟି କୋଟି ଟଙ୍କା ଜମା କରି ଠକେଇ ହୋଇଥିବା ଜାଣିଥିଲେ। ତେବେ ଏ ନେଇ କୌଣସି ମାମଲା ହୋଇଛି ନା ନାହିଁ, ତା’ର ସୂଚନା ମିଳିପାରିନାହିଁ।