ଅର୍ଥ, କ୍ରୀଡ଼ା, ସଂସ୍କୃତି ସମେତ ୪ ବିଭାଗରେ ଅନ୍‌ଲାଇନ୍‌ ସେବା

ଅନ୍‌ଲାଇନ୍‌ରେ ମିଳିବ ପେନ୍‌ସନ୍‌ ଆକାଉଣ୍ଟ୍‌ ନମ୍ବର
କଳାକାର, ଗାୟକ, ଲେଖକ ଓ କବିଙ୍କ ପାଇଁ ଡାଟା ବେସ୍‌

ଭୁବନେଶ୍ବର : ଆସନ୍ତା ଅକ୍ଟୋବର ୨ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ସବୁ ବିଭାଗ ସମସ୍ତ ସାଧାରଣ ସେବା ଅନ୍‌ଲାଇନ୍‌ ଯୋଗେ ପ୍ରଦାନ କରିବେ। ଏ ନେଇ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ୨ ମାସ ପୂର୍ବରୁ ଅର୍ଥ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡ଼ା ଓ ଯୁବ ବ୍ୟାପାର ସମେତ ବିଜ୍ଞାନ ଓ କାରିଗରୀ ବିଭାଗ ଲୋକମାନଙ୍କ ପାଇଁ ଅନ୍‌ଲାଇନ୍‌ ସେବା ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଏଣିକି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଅନ୍‌ଲାଇନ୍‌ ଯୋଗେ ପ୍ରାନ୍‌ ନମ୍ବର (ପରମାନେଣ୍ଟ୍‌ ରିଟାୟାରମେଣ୍ଟ୍‌ ଆକାଉଣ୍ଟ୍‌) ପ୍ରଦାନ କରାଯିବ। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ଏହାସହିତ ଖୁବଶୀଘ୍ର କଳାକାର, ଗାୟକ, ଲେଖକ ଓ କବିଙ୍କ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଏକ ଡାଟା ବେସ୍‌ ପ୍ରସୁତ କରିବ। ଅଗଷ୍ଟ ୧୫ ତାରିଖ ସୁଦ୍ଧା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରେ ଅନ୍‌ଲାଇନ୍‌ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ବିଭାଗ ଓ୍ବାରୀ ସମୀକ୍ଷା ବେୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇ କହିଛନ୍ତି, ସବୁ ବିଭାଗ ବହୁ ସଂଖ୍ୟକ ହିତାଧିକାରୀଙ୍କୁ ଏକସଙ୍ଗେ ସେମାନଙ୍କ ପ୍ରାପ୍ୟ ପଠାଇବାକୁ ହେଲେ ଆଇଏଫ୍‌ଏମ୍‌ଏସ୍‌ ବ୍ୟବସ୍ଥା ଅନ୍ତର୍ଗତ ବଲ୍‌କ୍‌ ଡିସ୍‌ବର୍ସ୍‌ମେଣ୍ଟ୍‌ ପ୍ଲାଟ୍‌ଫର୍ମର ବ୍ୟବହାର କରିପାରିବେ। ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଅର୍ଥ ବିଭାଗ ବିକାଶ କରିଥିବା ଅନ୍‌ଲାଇନ୍‌ ପେମେଣ୍ଟ୍‌ ଗେଟ୍‌ଓ୍ବେକୁ ସମସ୍ତ ପ୍ରକାର ଟିକସ ଆଦାୟ ପାଇଁ ଉପଯୋଗ କରାଯିବ।

ବୈଠକରୁ ଜଣାପଡ଼ିଛି, କ୍ରୀଡାବିତଙ୍କ ପେନ୍‌ସନ୍‌, କ୍ରୀଡ଼ାବିତଙ୍କ ପରିଚୟ ପତ୍ର, ଓଜନ ଓ ବୟସ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥାକୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅନ୍‌ଲାଇନ୍‌ କରିସାରିଛି। ସେହିପରି ସଂସ୍କୃତି ବିଭାଗ ଅଧୀନରେ ଆସୁଥିବା ମଣ୍ଡପ ପାଇଁ ଅନ୍‌ଲାଇନ୍‌ ବୁକିଂ ବ୍ୟବସ୍ଥା ଥିଲା। ଏଣିକି ଅନ୍‌ଲାଇନ୍‌ରେ ବି ବୁକିଂ ଫି ପ୍ରଦାନ କରାଯାଇପାରିବ। ଅନ୍‌ଲାଇନ୍‌ ଯୋଗେ ପେନ୍‌ସେନ୍‌ ଆବେଦନର ପ୍ରକ୍ରିୟା, ଇ-ଜିପିଏଫ୍‌ ଓ ବର୍ଷ ଶେଷକୁ ବଳକା ପାଣ୍ଠିକୁ ଅନ୍‌ଲାଇନ୍‌ ଯୋଗେ ସରେଣ୍ଡର କରାଯାଇପାରିବ। ଓଡ଼ିଶା ଦୂର ସମ୍ବେଦୀ ପ୍ରୟୋଗ କେନ୍ଦ୍ର (ଓର୍‌ସାକ୍‌) ଦ୍ବାରା ପ୍ରସ୍ତୁତ ବହୁସ୍ତରୀୟ ମହାକାଶ ତଥ୍ୟକୁ କିପରି ବିଭିନ୍ନ ଯୋଜନାର କାର୍ଯ୍ୟାନ୍ବୟନରେ ବ୍ୟବହାର କରାଯାଇପାରିବ ସେଥିପାଇଁ ଶ୍ରୀ ତ୍ରିପାଠୀ ଏକ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରିବାକୁ ବିଜ୍ଞାନ ଓ କାରିଗରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରମୁଖ ଶାସନ ସଚିବ ସନ୍ତୋଷ ଷଡ଼ଙ୍ଗୀ, କ୍ରୀଡ଼ା ଓ ଯୁବ ବ୍ୟାପାର ଶାସନ ସଚିବ ବିଶାଳ କୁମାର ଦେବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର