ଧାନ କିଣାରେ ସ୍ବଚ୍ଛତା ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପସକୁ କଣ୍ଟ ଦେଲା ସମବାୟ ବିଭାଗ, ଅନଲାଇନ୍ ବ୍ୟବସ୍ଥା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କର

ଭୁବନେଶ୍ବର: ଧାନ କିଣାରେ ସରକାର ଆଣିବେ ସମ୍ପୂର୍ଣ୍ଣ ସ୍ବଚ୍ଛତା। ଚାଷୀ ପଞ୍ଜୀକରଣ ପାଇଁ ଚାଷୀଙ୍କ ଜମି ପଟ୍ଟା ଯାଞ୍ଚ ପ୍ରକ୍ରିୟା ଜାରି ଅଛି। ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବାକୁ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ସମବାୟ ସମିତି (ପ୍ୟାକ୍ସ) ଓ ବହୁମୁଖୀ ବୃହତ ସମବାୟ ସମିତି (ଲ୍ୟାମ୍ପସ୍) ଉପରେ ସରକାର ଛାଟ ମାରିଛନ୍ତି। ଏଣିକି ଦୈନିକ ଧାନକିଣା ରିପୋର୍ଟ ରାଜ୍ୟସ୍ତରରେ ସରକାର ରଖିବେ। ଏଥିପାଇଁ ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପସକୁ କମ୍ପ୍ୟୁଟରୀକରଣ କରିବାକୁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଏହି କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏହି ସମୟ ଭିତରେ ଅନଲାଇନ ବ୍ୟବସ୍ଥା କରିନଥିବା ପ୍ୟାକ୍ସ ଓ ଲ୍ୟାମ୍ପସ ଧାନ କିଣିପାରିବେନି କି ସରକାରଙ୍କ କୌଣସି ଆର୍ଥିକ ସହାୟତା ପାଇବେ ନାହିଁ। ଏପରି କଡ଼ା ନିର୍ଦ୍ଦେଶ ଜାରି କରିଛି ସମବାୟ ବିଭାଗ।

ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ଧାନ କିଣା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଦୁର୍ନୀତିମୁକ୍ତ କରିବାକୁ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ୫’ଟି’ ଫର୍ମୁଲାକୁ ଆପଣାଇଛି। ଆଗରୁ ଜିଲ୍ଲା ସ୍ତରରେ ଥିବା ପ୍ରାଥମିକ ସମବାୟ ସମିତି ଓ ବହୁମୁଖୀ ବୃହତ ସମବାୟ ସମିତିଗୁଡ଼ିକ ଚାଷୀଙ୍କଠୁ ଧାନ କିଣାହେବାର କିଛି ଦିନ ପରେ ସରକାରଙ୍କୁ ଜଣାଉଥିଲେ। ସରକାର ରିପୋର୍ଟ ପାଇବା ପରେ ପି-ପାସ୍ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ପ୍ରାପ୍ୟ ପ୍ରଦାନ କରାଯାଉଥିଲା। ଏହି ଚିରାଚରିତ ବ୍ୟବସ୍ଥା ଆଉ ଚଳିବ ନାହିଁ। ପଞ୍ଜୀକୃତ ଚାଷୀଙ୍କଠୁ ଦୈନିକ କେତେ ଧାନ କିଣାହେଲା ସେ ନେଇ ରାଜ୍ୟ ସରକାର ତତ୍କାଳ ଜାଣିପାରିବେ। ଏଥିପାଇଁ ସବୁ ପ୍ୟାକ୍ସ ଓ ଲ୍ୟାମ୍ପସ କମ୍ପ୍ୟୁଟରୀକରଣ  କରି ଅନ୍‌ଲାଇନ ବ୍ୟବସ୍ଥାରେ ଯୋଡ଼ି ହେବେ। ଚାଷୀଙ୍କଠୁ ମଣ୍ଡିରେ ଧାନ କିଣିବା ପରେ ପରେ ଅବିଳମ୍ବେ ସରକାରଙ୍କ ପାଖରେ ତଥ୍ୟ ପହଞ୍ଚିବ। ଫଳରେ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିବା ବ୍ୟବସ୍ଥାକୁ ଆହୁରି ତ୍ବାରାନ୍ବିତ କରାଯାଇପାରିବ। ପ୍ୟାକ୍ସ ଓ ଲ୍ୟାମ୍ପସମାନଙ୍କର ଦୈନିକ ବିବରଣୀ ସହ ପଞ୍ଜୀକୃତ ଚାଷୀଙ୍କ ତାଲିକା ଗୋଟିଏ ସର୍ଭରରେ ରହିବ। ଏହାଯୋଗୁଁ ଧାନ କିଣା ପ୍ରକ୍ରିୟାରେ ଆହୁରି ସ୍ବଚ୍ଛତା ଆସିବ।  ଏ ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ। ଧାନ କିଣା ବ୍ୟବସ୍ଥାରେ ସରକାରଙ୍କ ଏହି ପ୍ରୟାସକୁ ବିରୋଧୀ ଗ୍ରହଣ କରିନାହାନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ସରକାର ଯେତେ ଯାହା କଲେ ବି ଧାନକିଣାରେ ସ୍ବଚ୍ଛତା ଆଣିପାରିବେନି।

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଚାଷୀଙ୍କଠୁ ଧାନ କିଣିବା ପାଇଁ ପ୍ରାଥମିକ ସମବାୟ ସମିତି ଅନୁବନ୍ଧିତ ହୋଇଥିବାବେଳେ ଆଦିବାସୀବହୁଳ ଜିଲ୍ଲାଗୁଡ଼ିକରେ ବହୁମୁଖୀ ଲ୍ୟାମ୍ପସ୍ ମିଶି ମୋଟ ୨ ହଜାର ୫୨୮ଟି ସମବାୟ ସମିତି କାର୍ଯ୍ୟ କରୁଛି। ସମବାୟ ସମିତିଗୁଡ଼ିକର କମ୍ପ୍ୟୁଟରୀକରଣ ପାଇଁ ସମୟସୀମା ଧାର୍ଯ୍ୟ କରି ସମବାୟ ନିବନ୍ଧକ ସବୁ ଡିଭିଜନ ଡିଆରସି, ସର୍କଲ ଏଆରସି ଓ ଜିଲ୍ଲା ସମବାୟ ବ୍ୟାଙ୍କ ସିଇଓଙ୍କୁ ଚିଠି ଲେଖିଛନ୍ତି। ସମବାୟ ସମିତିଗୁଡ଼ିକର କମ୍ପ୍ୟୁଟରୀକରଣ ଅଗ୍ରଗତି ନେଇ ସର୍କଲ ଏଆର୍‌ସିମାନେ ସରକାରଙ୍କୁ ପ୍ରତି ସପ୍ତାହରେ ରିପୋର୍ଟ ଦେବେ। ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ  କରିନଥିବା ପ୍ୟାକ୍ସ ଓ ଲ୍ୟାମ୍ପସକୁ ଆଉ କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ସାମିଲ କରାଯିବନି ବୋଲି ସମବାୟ ନିବନ୍ଧକ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର