କଟକ : ଏଣିକି ନିର୍ଦ୍ଦେଶନାମା ଓ ମାମଲା ସଂପର୍କିତ ନଥିପତ୍ରର ସାର୍ଟିଫାଏଡ୍ କପି ପାଇବା ପାଇଁ ବ୍ୟକ୍ତିଗତ ଭାବେ ହାଇକୋର୍ଟକୁ ଯିବାକୁ ପଡ଼ିବ ନାହିଁ। ଅନ୍ଲାଇନ୍ରେ ଜଣେ ହାଇକୋର୍ଟରୁ ସାର୍ଟିଫାଏଡ୍ କପି ବିନା ଖର୍ଚ୍ଚରେ ପାଇପାରିବେ। ଅନ୍ଲାଇନ୍ରେ ଆବେଦନ କରିହେବ। ଅନ୍ଲାଇନ୍ରେ ମଧ୍ୟ ସାର୍ଟିଫାଏଡ୍ କପି ପ୍ରଦାନ କରାଯିବ। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏପରି ନୂ୍ଆ ବ୍ୟବସ୍ଥା କରାଯାଇଛି।
ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ରାୟର କପି ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଉଥିଲା। ହାଇକୋର୍ଟ ରୁଲ୍ସରେ ସଂଶୋଧନ କରାଯାଇ ନୂଆ ବ୍ୟବସ୍ଥା ୨୦୨୩ ମେ ୧ରୁ କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ଡିଜିଟାଲ୍ ଦସ୍ତଖତ ଥିବା ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ରାୟର କପି ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଉଛି। ୱେବ୍ସାଇଟ୍ରେ ଅପ୍ଲୋଡ୍ ପୂର୍ବରୁ ନିର୍ଦ୍ଦେଶ ଓ ରାୟ ଉପରେ ବିଚାରପତିଙ୍କ ସଚିବସ୍ତରୀୟ କର୍ମଚାରୀଙ୍କ ଡିଜିଟାଲ୍ ଦସ୍ତଖତ ଏବେ ଆବଶ୍ୟକ ପଡୁଛି। ମେ ୧ରୁ ହାଇକୋର୍ଟ ୱେବ୍ସାଇଟ୍ରେ ଉପଲବ୍ଧ ସମସ୍ତ ନିର୍ଦ୍ଦେଶ ଓ ରାୟରେ ଡିଜିଟାଲ୍ ଦସ୍ତଖତ ରହିଛି ଯାହା କି ଏହାର ସତ୍ୟତାର ପ୍ରମାଣ। ହାତରେ କରାଯାଇଥିବା ଦସ୍ତଖତ ସହିତ ଡିଜିଟାଲ୍ ଦସ୍ତଖତ ସମାନ। ଏଥିରେ ସମୟ ତାରିଖ ସହିତ ଡିଜିଟାଲ୍ ଦସ୍ତଖତ କରିଥିବା ବ୍ୟକ୍ତିଙ୍କ ପଦ ସଂକ୍ରାନ୍ତରେ ଉଲ୍ଲେଖ ରହୁଛି।
ଅନ୍ଲାଇନ୍ରେ ସାର୍ଟିଫାଏଡ୍ କପି ପ୍ରଦାନ କରିବା ବେଳେ ହାଇକୋର୍ଟ ସାର୍ଟିଫାଏଡ୍ କପି ବିଭାଗ ସଂପୃକ୍ତ ଦସ୍ତାବିଜରେ ଡିଜିଟାଲ୍ ଦସ୍ତଖତ ସଂଯୁକ୍ତ କରିବେ। ଆଇନଜୀବୀ, ମହକିଲ ଓ କର୍ତ୍ତୃପକ୍ଷ ଏଭଳି କପି ପାଇବା ପରେ ଏହାର ସତ୍ୟାସତ୍ୟ ୱେବ୍ସାଇଟ୍ରୁ ଯାଞ୍ଚ କରି ପାରିବେ। ଫିଜିକାଲ୍ ସାର୍ଟିଫାଏଡ୍ କପି ପ୍ରଦାନ ବ୍ୟବସ୍ଥା ସହିତ ଏହି ଅତିରିକ୍ତ ଅନ୍ଲାଇନ୍ ବ୍ୟବସ୍ଥା କରାଯାଇଛି। ଘରୋଇ ପକ୍ଷଙ୍କ ପାଇଁ ଅନ୍ଲାଇନ୍ ଆବେଦନ ବ୍ୟବସ୍ଥା ଇଚ୍ଛାଧୀନ କରାଯାଇଛି। କିନ୍ତୁ କେନ୍ଦ୍ର ସରକାର, ରାଜ୍ୟ ସରକାର, ପିଏସ୍ୟୁ ସହିତ ଗ୍ରାମୀଣ ଓ ସହରାଞ୍ଚଳ ସ୍ଥାନୀୟ ପରିଷଦଗୁଡିକ ପାଇଁ ଅନ୍ଲାଇନ୍ ଆବେଦନ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଖୁବ୍ଶୀଘ୍ର ଏ ସଂପର୍କିତ ଯାଞ୍ଚ ପ୍ରକ୍ରିୟା ତଥ୍ୟ ସମ୍ବଳିତ ଏକ ଛୋଟ ଭିଡିଓ ହାଇକୋର୍ଟ ୱେବ୍ସାଇଟ୍ରେ ଅପ୍ଲୋଡ୍ ହେବ ବୋଲି ସୂଚନା ମିଳିଛି।
ହାଇକୋର୍ଟ ରେକର୍ଡ ଗୁଡ଼ିକର ଡିଜିଟାଇଜେସନ୍ ପ୍ରକ୍ରିୟା ଯୋଗୁଁ ମାଗଣାରେ ଅନ୍ଲାଇନ୍ ସାର୍ଟିଫାଏଡ୍ କପି ବ୍ୟବସ୍ଥାରେ ସହାୟକ ହୋଇଛି। ଏଥିପାଇଁ କରାଯାଇଥିବା ଡିଜିଟାଲ୍ ପ୍ଲାଟଫର୍ମରେ ଆଇନଜୀବୀ ବା ମହକିଲ ନିର୍ଦ୍ଦେଶ, ରାୟ, ପ୍ଲିଡିଂ ଓ ଦସ୍ତାବିଜର ସାର୍ଟିଫାଏଡ୍ କପି ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହି ବ୍ୟବସ୍ଥାରେ ହାଇକୋର୍ଟକୁ ବ୍ୟକ୍ତିଗତ ଭାବେ ନଆସି ଏହି ସବୁ ନଥିପତ୍ରର ସାର୍ଟିଫାଏଡ୍ କପି ମାଗଣାରେ ଅନ୍ଲାଇନ୍ରେ ମଧ୍ୟ ପାଇପାରିବେ। ଫିଜିକାଲ୍ଠାରୁ ଅନ୍ଲାଇନ୍ ବ୍ୟବସ୍ଥା ସରଳ। ଏଥିସହିତ କମ୍ ସମୟରେ ମଧ୍ୟ ଅନ୍ଲାଇନ୍ ବ୍ୟବସ୍ଥାରେ ସାର୍ଟିଫାଏଡ୍ କପି ମିଳିପାରିବ। ଏହା ଉଭୟ ଆଇନଜୀବୀ ଓ ପକ୍ଷଙ୍କ ପାଇଁ ଲାଭଦାୟକ ବ୍ୟବସ୍ଥା ବୋଲି ଚର୍ଚ୍ଚା ହେଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟ ବିଚାରପତି ଭାବେ ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଦାୟିତ୍ବ ନେବା ପରେ ରାଜ୍ୟ ବିଚାରବିଭାଗରେ ପେପରଲେସ୍ କାର୍ଯ୍ୟ ପ୍ରଣାଳୀ ଉପରେ ଗୁରୁତ୍ବାରୋପ କରିଥିଲେ। ୨୦୨୧ରୁ ଡିଜିଟାଇଜେସନ୍ ଓ ଇ-ଫାଇଲିଂକୁ ହାଇକୋର୍ଟରେ ପ୍ରାଥମିକତା ଦିଆଯାଇ ଆସୁଛି।