ଅନଲାଇନ ଶିକ୍ଷକ ବଦଳି ପ୍ରହସନ! ଅବଧି ସରୁଛି, ଖୋଲୁନି ୱେବ୍‌ସାଇଟ୍‌

ରାଉରକେଲା: ନିର୍ଦ୍ଦେଶ ଆସିଲା ମାନଦଣ୍ଡ ପୂରଣ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ଅନଲାଇନରେ ହେବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ୱେବ୍‌ସାଇଟ୍‌ ଖୋଲିଦିଆଗଲା। ଗତ ୨୦୧୯-୨୦ ବର୍ଷ ଭଳି ଏଥର ମଧ୍ୟ ବଦଳି ପାଇଁ ଇଚ୍ଛୁକ ଶିକ୍ଷକଶିକ୍ଷୟିତ୍ରୀ ୱେବସାଇଟ୍‌ରେ ଆବେଦନ କରିପାରିବେ। ପରବର୍ତ୍ତୀ ସମୟରେ ଯୋଗ୍ୟ ଆବେଦକଙ୍କୁ ବିଚାରକୁ ନେଇ ବଦଳି ପ୍ରକ୍ରିୟା ଆରମ୍ଭ କରାଯିବ। ତେବେ ଏହି ଅନଲାଇନ୍‌ ବ୍ୟବସ୍ଥା ଏବେ ପ୍ରହସନ ପାଲଟିଛି। ୱେବ୍‌ସାଇଟ୍‌ରେ ଯାବତୀୟ ସମସ୍ୟା ଯୋଗୁଁ ଶିକ୍ଷକମାନେ ଆବେଦନ କରିପାରୁନାହାନ୍ତି। ଫଳରେ ଶିକ୍ଷକ ମହଲରେ ନିରାଶା ଖେଳିଯାଇଛି।

୨୦୧୯-୨୦ ବର୍ଷ ଭଳି ଏଥର ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ ଅନଲାଇନ୍‌ ବଦଳି ନିୟମ ଜାରି କରାଯାଇଛି। ଏହି କ୍ରମରେ ଶିକ୍ଷକଙ୍କ ବଦଳି ପାଇଁ ‘ଓଡ଼ିଶା ସ୍କୁଲ ଟିଚର୍ସ ଟ୍ରାନ୍ସଫର୍‌ ପୋର୍ଟାଲ’କୁ କାର୍ଯ୍ୟକାରୀ ହୋଇଛି। ଇଚ୍ଛୁକ ଶିକ୍ଷକଶିକ୍ଷୟିତ୍ରୀମାନେ ଜୁନ ୨୨ ତାରିଖରୁ ଜୁଲାଇ ୧୫ ତାରିଖ ଭିତରେ ଏନେଇ ଆବେଦନ କରିବେ। ତେବେ କେବଳ ସରକାରୀ ମାନଦଣ୍ଡ ପୂରଣ କରୁଥିବା ଶିକ୍ଷକ ହିଁ ବଦଳି ପାଇଁ ପୋର୍ଟାଲରେ ଆବେଦନ କରିପାରିବେ। ଏହି ବଦଳି ନିୟମ ବର୍ଷ ବର୍ଷ ଧରି ଗୋଟିଏ ସ୍କୁଲରେ ଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ମନରେ ଖୁସି ଭରିଦେଇଥିଲା। ଏବେ କିନ୍ତୁ ଅନଲାଇନ୍‌ ପ୍ରକ୍ରିୟା ହିତାଧିକାରୀଙ୍କୁ ନିରାଶ କରିଛି।

ପୋର୍ଟାଲ ଠିକ୍‌ଭାବେ କାର୍ଯ୍ୟକାରୀ ହେଉନି। କେତେବେଳେ ନାମ ଦାଖଲ ହୋଇପାରୁନଥିବାବେଳେ କେତେବେଳେ ପଞ୍ଜିକୃତ ମୋବାଇଲ ନମ୍ବରକୁ ଓଟିପି ଆସୁନି। ପୁଣି କେତେବେଳେ ଶିକ୍ଷକଙ୍କ ପସନ୍ଦର ସ୍କୁଲରେ ମାତ୍ରାଧିକ ଶିକ୍ଷକ ଥିବାରୁ ବଦଳି ହୋଇପାରିବନି ଦର୍ଶାଉଥିବାବେଳେ କେତେବେଳେ କମ୍‌ ସଂଖ୍ୟା ଶିକ୍ଷକ ଥିବା ଦର୍ଶାଉଛି। ଏମିତିକି ବଦଳି ପାଇଁ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ଶିକ୍ଷକଙ୍କୁ ଅଯୋଗ୍ୟ ଦର୍ଶାଉଛି। ଏଭଳି ଯାବତୀୟ ସମସ୍ୟା ଯୋଗୁଁ ଶିକ୍ଷକଶିକ୍ଷୟିତ୍ରୀ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବେଦନ କରିବାର ସମୟସୀମା ଶେଷ ହେବାରେ ଲାଗିଥିବାବେଳେ ୱେବସାଇଟ୍‌ କିନ୍ତୁ ଏଯାଏଁ ଖୋଲୁନି। ଏ ଦିଗରେ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଶିକ୍ଷକ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର