ସରକାରୀ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ରାଜଧାନୀରେ ଅନ୍‌ଲାଇନ୍ ଶିକ୍ଷାଦାନ ଅପହଞ୍ଚ

୧୩ ହଜାର ଛାତ୍ରଛାତ୍ରୀଙ୍କ ପାଠରେ ଡୋରି, ବିକଳ୍ପ ଚିନ୍ତା ବି ଏ ଯାଏ କରାଯାଇନି

ଭୁବନେଶ୍ୱର, (ସୁରଜ କୁମାର ମଲ୍ଲିକ) : ଭୁବନେଶ୍ୱରରେ ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆଦୌ ପାଠ ପଢ଼ୁ ନାହାନ୍ତି। ଏମାନେ ସମସ୍ତେ ସରକାରୀ ସ୍କୁଲ୍‌ର ଛାତ୍ରଛାତ୍ରୀ। ବର୍ତ୍ତମାନ ଚାଲିଥିବା ଅନ୍‌ଲାଇନ୍‌ ଶିକ୍ଷାଦାନ ସହ ସେମାନଙ୍କର କିଛି ସମ୍ପର୍କ ନାହିଁ। ସେମାନଙ୍କ ପାଠପଢ଼ାରେ ଏକ ପ୍ରକାର ଡୋରି ବନ୍ଧା ହୋଇଛି।

ଖୋଦ୍‌ ରାଜଧାନୀରେ ସରକାରୀ ଶିକ୍ଷା ବ୍ୟବସ୍ଥାର ଏପରି ବିକଳ ଚିତ୍ର ଶିକ୍ଷା ବିଭାଗର ପାରିବାର ପଣିଆ ଉପରେ ବିରାଟ ପ୍ରଶ୍ନବାଚୀ ଲଗାଇଛି। ରାଜଧାନୀରେ ସମସ୍ତ ଇଂରାଜୀ ମାଧ୍ୟମ ଓ ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଅନ୍‌ଲାଇନ୍‌ ଶିକ୍ଷା ସ୍ବାଭାବିକ ଭାବେ ଚାଲିଛି। ଶତ ପ୍ରତିଶତ ଛାତ୍ରଛାତ୍ରୀ ଯେପରି ଏହି କ୍ଲାସ୍‌ରେ ଯୋଡ଼ି ହୋଇପାରିବେ, ସେଥିପାଇଁ କର୍ତ୍ତୃପକ୍ଷମାନେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ଓ ସେଥିରେ ସଫଳ ମଧ୍ୟ ହେଉଛନ୍ତି। କିନ୍ତୁ ବେଲଗାମ ହୋଇଯାଇଛି ସରକାରୀ ସ୍କୁଲ୍‌ରେ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ବାହା‌ସ୍ଫୋଟ ମାରୁଥିବା ଗଣଶିକ୍ଷା ବିଭାଗ ନିଜ ନାକ ତଳେ ୧୩ ହଜାର ଛାତ୍ରଛାତ୍ରୀଙ୍କ କ୍ୟାରିୟର୍‌କୁ ଅନ୍ଧକାରକୁ ଠେଲି ଦେଇଛି।

ସରକାରୀ ସ୍କୁଲ୍‌ରେ ଚାଲିଥିବା ଅନ୍‌ଲାଇନ୍‌ ଶିକ୍ଷାଦାନରେ ୩୦ରୁ ୪୦ ପ୍ରତିଶତ ପାଠ୍ୟକ୍ରମ ଶେଷ ହୋଇଛି ବୋଲି କୁହାଯାଉଛି। କିନ୍ତୁ ରାଜଧାନୀରେ ୧୩,୫୧୯ ଜଣ ଛାତ୍ରଛାତ୍ରୀ ଅନ୍‌ଲାଇନ୍ ଶିକ୍ଷାଦାନରେ ଯୋଡି ହୋଇ ନାହାନ୍ତି। ଏ କଥା ଖୋଦ୍‌ ବିଭାଗର ଅଧିକାରୀ ସ୍ବୀକାର କରିଛନ୍ତି। ଆହୁରି ସଙ୍ଗିନ୍ ତଥା ଚିନ୍ତାଜନକ ବିଷୟ ହେଲା ଯେ ଏହି ଛାତ୍ରଛାତ୍ରୀଙ୍କ ପାଇଁ କିଛି ବିକଳ୍ପ ଚିନ୍ତା ବି ଏ ଯାଏ କରାଯାଇ ନାହିଁ। ୩୦ରୁ ୪୦ ପ୍ରତିଶତ ପାଠ୍ୟକ୍ରମକୁ ସେମାନେ କିପରି ଓ କେବେ ଜାଣିବେ, ତାହାର ଉତ୍ତର କାହା ପାଖରେ ନାହିଁ। ଯଦି ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠ ନ ପଢ଼ିଲେ ବି କିଛି ଅସୁବିଧା ନାହିଁ, ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜଧାନୀରେ ନାମକୁ ମାତ୍ର ସରକାରୀ ସ୍କୁଲ୍‌ ଚାଲିଛି। ଆଉ ସେଥିରେ ମୋଟା ଅଙ୍କର ଦରମା ପାଇ ଶିକ୍ଷକ, ଶିକ୍ଷୟିତ୍ରୀମାନେ କେବଳ ନିଜ ପଦବିକୁ ସୁରକ୍ଷିତ କରି ବସିଛନ୍ତି। କିପରି ଅଧିକ ଛାତ୍ରଛାତ୍ରୀ ଯୋଡ଼ି ହେବେ, ସେଥିପାଇଁ କୌଣସି ସ୍ତରରେ ମଧ୍ୟ ତତ୍ପରତା ପ୍ରକାଶ ପାଉ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ଥିବା ୧୫ଟି ଶିକ୍ଷା କ୍ଲଷ୍ଟରରେ ବର୍ତ୍ତମାନ ପ୍ରାୟ ୩୬ ହଜାର ୮ଶହ ୫୬ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସରକାରଙ୍କ ଶିକ୍ଷା ସଂଯୋଗ ଯୋଜନା ଅନୁଯାୟୀ ପ୍ରାୟ ୨୩ ହଜାର ୩ଶହ ୩୭ ପିଲା ଅନ୍‌ଲାଇନ୍ ଶିକ୍ଷା ଗ୍ରହଣ କରୁଛନ୍ତି। ବାକି ୧୩,୫୧୯ ଜଣ ପିଲା ବର୍ତ୍ତମାନ ଅନ୍‌ଲାନଇନ୍ ବ୍ୟବସ୍ଥାର ଫାଇଦା ନେଇପାରିନାହାନ୍ତି। କାରଣ ‌ସେମାନଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ।

ଭୁବନେଶ୍ବର ବିଇଓ ସନ୍ତୋଷ ରାଉତଙ୍କ ସୂଚନା ମୁତାବକ ବର୍ତ୍ତମାନ ପ୍ରାୟ ସବୁ ଶ୍ରେଣୀର ପିଲାଙ୍କର ୩୦ରୁ ୪୦ ପ୍ରତିଶତ ପାଠ୍ୟକ୍ରମ ଶେଷ ହୋଇଯାଇଛି। ସପ୍ତାହରେ ୬ ଦିନ କ୍ଲାସ ହେବା ସହ ପ୍ରତି ସ୍କୁଲର ଭଲ ପାଠ ପଢ଼ୁଥିବା ୫ଜଣ ପିଲାଙ୍କୁ ନେଇ ‘ଶିକ୍ଷା ଶିଖର’ ଯୋଜନା କରାଯାଇଛି। ଏହି ଯୋଜନାରେ ମୋଟ ୩୦୦ ପିଲାଙ୍କୁ ୫ଟି ଗ୍ରୁପ୍‌ରେ ଭାଗ କରାଯାଇ ସ୍ବତନ୍ତ୍ର ଶିକ୍ଷାଦାନ କରାଯାଉଛି। ସ୍କୁଲ୍ ଖୋଲିବା ପର୍ଯ୍ୟନ୍ତ ଏହି ଶିକ୍ଷାଦାନ ପଦ୍ଧତି ଜାରି ରହିବ। ମାତ୍ର ଶିକ୍ଷା ସଂଯୋଗ ନୀତିରେ ଯୋଡ଼ି ହୋଇ ନଥିବା ପିଲା ଅର୍ଥାତ୍ ଚଳିତ ଶିକ୍ଷା ବର୍ଷରେ କିଛି ବି ପାଠ ପଢ଼ି ନଥିବା ପିଲାଙ୍କ ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି।

ଶିକ୍ଷା ବିଭାଗର ବେପରୱା ନୀତି ଏତିକିରେ ସରି ନାହିଁ। ରାଜଧାନୀରେ ବହୁ ପିଲା ଏ ଯାଏ ବହି ବି ପାଇ ନାହାନ୍ତି। ଅନ୍‌ଲାଇନ୍ ଶିକ୍ଷା ନେଉଥିବା କିଛି ପିଲା ବହି ପାଇ ନ ଥିବାରୁ ନାମକୁ ମାତ୍ର କ୍ଲାସ୍‌ କରୁଛନ୍ତି। କେବଳ ଉପର ଠାଉରିଆ କ୍ଲାସ୍‌ କରି ଉପସ୍ଥାନ ପକାଉଛନ୍ତି। ଏ ସମ୍ପର୍କରେ ବିଇଓଙ୍କୁ ଯୋଗାଯୋଗ କରିଥିଲୁ। ସେ କହିଥିଲେ ଯେ ନୂଆ କରି ସ୍କୁଲ୍‌ରେ ଆଡମିସନ୍ ନେଇଥିବା ପିଲାଙ୍କ ତାଲିକା ସଂଗ୍ରହ କରି ବହି ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ମାତ୍ର ବାକି ପିଲାଙ୍କୁ ପୂର୍ବରୁ ବହି ମିଳିସାରିଛି। ତେବେ ଯେଉଁ ବିଦ୍ୟାଳୟରେ ପିଲା ବହି ପାଇନାହାନ୍ତି, ତୁରନ୍ତ ସେମାନଙ୍କୁ ଜବାବ ତଲବ କରାଯିବା ସହ ପିଲାଙ୍କୁ ବହି ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର