ଅନ୍‌ଲାଇନ୍‌ରେ ବୈଷୟିକ ଶିକ୍ଷା

ଭୁବନେଶ୍ବର : କୋଭିଡ୍‌-୧୯ ଯୋଗୁଁ ଦେଶର ଶିକ୍ଷା ବ୍ୟବସ୍ଥା ଏକପ୍ରକାର ଦୋହଲି ଯାଇଛି। ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କ କ୍ଲାସ କି ପାଠପଢ଼ା ହୋଇପାରୁ ନାହିଁ। ଯେଉଁ ଶିକ୍ଷାନୁଷ୍ଠାନ ନିକଟରେ ଅନ୍‌ଲାଇନ୍‌ ସୁବିଧା ଉପଲବ୍ଧ ରହିଛି, ସେଠାରେ ଇତି ମଧ୍ୟରେ ପରୀକ୍ଷା ଓ କ୍ଲାସ ଆରମ୍ଭ ହୋଇଗଲାଣି। ଆଉ ଯେଉଁଠାରେ ଏହି ସୁବିଧା ନାହିଁ, ସେଠାରେ ପାଠପଢ଼ା ଆଗେଇ ପାରୁନି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ପାଠପଢ଼ା ଉପରେ ଗୁରୁତ୍ବାରୋପ କରାଯାଇଛି। ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ କ୍ଲାସ କିଭଳି ହୋଇପାରିବ, ସେନେଇ ଆଲୋଚନା ଚାଲିଛି। ଅଧିକାଂଶ ବୈଷୟିକ ଶିକ୍ଷାନୁଷ୍ଠାନ ନିକଟରେ ପ୍ରାୟତଃ ଭିତ୍ତିଭୂମି ଉପଲବ୍ଧ ରହିଛି। ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ୍‌, ଲାପ‌ଟପ୍‌ ଆଦି ଉପଲବ୍ଧ ଥିବାରୁ ଅନ୍‌ଲାଇନ୍‌ ଶିକ୍ଷାଦାନରେ କୌଣସି ଅସୁବିଧା ହୋଇ ନପାରେ। ତେଣୁ ୨୦୨୦-୨୧ ଶିକ୍ଷାବର୍ଷର ପାଠପଢ଼ା ଅନ୍‌ଲାଇନ୍‌ରେ କରାଯିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ଅନ୍‌ଲାଇନ୍‌ ପାଠପଢ଼ା ସମ୍ପର୍କରେ ଜୁଲାଇ ଦ୍ବିତୀୟ ସପ୍ତାହରେ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିବ। ଏହାପରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ।

ସମ୍ବନ୍ଧିତ ଖବର