ଭୁବନେଶ୍ବର: ଜୁନ୍ ପହିଲାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ନନ୍-ଏସି ଟ୍ରେନ୍ ଚଳାଚଳ କରିବ। ଗୁରୁବାର(ମେ’ ୨୧)ରୁ କେବଳ ଅନ୍ଲାଇନ୍(ଆଇଆରସିଟିସି ୱେବସାଇଟ୍)ରେ ଟିକେଟ୍ ବୁକିଂ କରାଯାଇପାରିବ ବୋଲି ଗତକାଲି ସୂଚନା ଦିଆଯାଇଥିଲା । ହେଲେ ଟିକେଟ୍ ବୁକିଂରେ କେତେକ ସମସ୍ୟା ଦେଖା ଦେଇଥିବା ନେଇ ରେଳବାଇ ପକ୍ଷରୁ କୁହାଯାଇଛି। ଏଥିରେ ଅମ୍ଫାନ ବାତ୍ୟା ଯୋଗୁଁ କୋଲକାତାରେ ସମସ୍ୟା ହେତୁ ସମସ୍ତ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ତଥ୍ୟ ମେଳ ଖାଇବାରେ ବିଳମ୍ବ ହୋଇଥିଲା ବୋଲି ଦର୍ଶାଯାଇଛି। ଏହି କାରଣରୁ ଟିକେଟ୍ ବୁକିଂ ଆରମ୍ଭ ହୋଇ ପାରୁ ନଥିବା ଜଣାଯାଇଛି।
ଉଲ୍ଲେଖଯୋଗ୍ୟ, କୌଣସି ବି ଷ୍ଟେସନରେ ଟିକେଟ୍ ବିକ୍ରି ହେବ ନାହିଁ। ତେଣୁ ଯାତ୍ରୀମାନେ ଟିକେଟ୍ କିଣିବା ପାଇଁ ଷ୍ଟେସନ ଆସିବାର ଆବଶ୍ୟକତା ନାହିଁ। ଟ୍ରେନ୍ଗୁଡ଼ିକର ସମୟ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଥିଲା।
ଲକ୍ ଡାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। କିଛି ଟ୍ରେନ୍ ଓଡ଼ିଶାକୁ ଛାଡ଼ିବାକୁ ଥିବା ବେଳେ ଆଉ କେତେକ ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରିବ। ଭୁବନେଶ୍ବର-ମୁମ୍ବାଇ ମଧ୍ୟରେ କୋଣାର୍କ ଏକ୍ସପ୍ରେସ୍ ଚାଲିବ। ଭୁବନେଶ୍ବର-ହାୱଡା ମଧ୍ୟରେ ଜନଶତାବ୍ଦୀ ଏକ୍ସପ୍ରେସ୍, ପୁରୀ-ନୂଆଦିଲ୍ଲୀ ମଧ୍ୟରେ ପୁରୁଷୋତ୍ତମ ଏକ୍ସପ୍ରେସ୍, ପୁରୀ-ସିଆଲଦା(କୋଲକାତା) ମଧ୍ୟରେ ଦୂରନ୍ତ ଏକ୍ସପ୍ରେସ୍, ବିଶାଖାପାଟଣାରୁ ନୂଆଦିଲ୍ଲୀକୁ ଏପି ଏକ୍ସପ୍ରେସ୍, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ୍ ଚଳାଚଳ କରିବ। ଏହାବ୍ୟତୀତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍, ଧାନବାଦ-ଆଲପୁଝା ଏକ୍ସପ୍ରେସ୍ ଓ ହାୱଡା-ଯଶବନ୍ତପୁର ଦୂରନ୍ତ ଏକ୍ସପ୍ରେସ୍, ହାୱଡାରୁ ମୁମ୍ବାଇ, ହାୱଡାରୁ ଅହମ୍ମଦାବାଦ, ହାୱଡାରୁ ବଡ଼ବିଲ୍ ସ୍ବତନ୍ତ୍ର ଏକ୍ସପ୍ରେସ୍ ଯାତାୟତ କରିବ। ଏହି ଟ୍ରେନ୍ର ଗତିପଥ ଓ ସମୟ ନେଇ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି କୁହାଯାଇଛି।
ଆହୁରି କୁହାଯାଇଛି ଯେ ୩୦ ଦିନ ଆଗୁଆ ଟିକେଟ୍ ବୁକିଂ କରାଯାଇପାରିବ। ଚୂଡ଼ାନ୍ତ ଯାତ୍ରୀ ତାଲିକା ପ୍ରସ୍ତୁତ ହେବା ପରେ ୱେଟ୍ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଚଢ଼ିବାକୁ ଅନୁମତି ନାହିଁ। ତତ୍କାଳ ଟ୍ରେନ୍ ଟିକେଟ୍ ସୁବିଧା ନାହିଁ। ଟ୍ରେନ୍ ଭଡ଼ା ସହ ଖାଇବା ପାଇଁ କୌଣସି ଶୁଳ୍କ ଆଦାୟ ହେବ ନାହିଁ। ଯାତ୍ରୀମାନେ ଆଇଆରସିଟିସିରୁ ସୀମିତ ଖାଦ୍ୟ ଓ ପାନୀୟ ବରାଦ କରିପାରିବେ। ନ ହେଲେ ଖାଦ୍ୟ ପାନୀୟ ନିଜେ ସାଙ୍ଗରେ ନେବେ। ଟ୍ରେନ୍ ଭିତରେ ଉଚ୍ଚ ଶ୍ରେଣୀର ଯାତ୍ରୀଙ୍କୁ ଚାଦର ଓ କମ୍ବଳ ଦିଆଯିବ ନାହିଁ। ମାସ୍କ ପିନ୍ଧିବା, ଆରୋଗ୍ୟ ସେବୁ ଆପ୍ ଡାଉନ୍ଲୋଡ୍ କରିବା ବାଧ୍ୟତାମୂଳକ। ଟ୍ରେନ୍ ଛାଡ଼ିବାର ୯୦ ମିନିଟ୍ ପୂର୍ବରୁ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବେ।