ଅନ୍ଲାଇନ୍ ଟ୍ରାକିଂ ହେବ ଲଘୁ ଖଣିଜ ପଦାର୍ଥ କାରବାର
ଆଇ-୪ ଏମ୍ଏସ୍ ସଫ୍ଟୱେର ପ୍ରଚଳନ ପାଇଁ ସରକାରଙ୍କ ଗୁରୁତ୍ବ
୨୦୧୯-୨୦ ଆର୍ଥିକ ବର୍ଷରେ ମିଳିଛି ୬୮୦ କୋଟି ରାଜସ୍ବ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବାକୁ ଏଣିକି ଅନ୍ଲାଇନ୍ ଟ୍ରାକିଂ ବ୍ୟବସ୍ଥା କରାଯିବ। ଖଣି ବିଭାଗରେ କାର୍ଯ୍ୟକାରୀ ହେଉଥିବା ଆଇ-୩ଏମ୍ଏସ୍ ବ୍ୟବସ୍ଥା ପରି ଲଘୁ ଖଣିଜ ପଦାର୍ଥ କାରବାରର ରେକର୍ଡ଼ ରଖିବାକୁ ଆଇ-୪ଏମ୍ଏସ୍ ସଫ୍ଟ୍ଓ୍ବେର୍ ବିକାଶ କରାଯିବ। ଆଜି ଲଘୁ ଖଣିଜ ପଦାର୍ଥ ଖନନ ଓ ପରିବହନ ନେଇ ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ଲଘୁ ଖଣିଜ କାରବାରରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୬୮୦ କୋଟି ୬୦ ଲକ୍ଷ ଟଙ୍କା ସରକାରଙ୍କୁ ରାଜସ୍ବ ମିଳିଛି। ବାଲି, ଗୋଡ଼ି ପରି ଲଘୁ ଖଣିଜ ପଦାର୍ଥର ଚାହିଦା ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଥିବାରୁ ଏ ବାବଦରେ ରାଜ୍ୟକୁ ବାର୍ଷିକ ୨୦୦୦ କୋଟି ଟଙ୍କା ରାଜସ୍ବ ମିଳିବ ବୋଲି ସରକାର ଆକଳନ କରିଛନ୍ତି।
ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଖଣିଜ ପଦାର୍ଥ ସମ୍ପର୍କରେ ଜିଲ୍ଲାଓ୍ବାରି ସୂଚନା ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଚଳିତ ବର୍ଷ ଜୁଲାଇ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ୪୬୯୩ଟି ନୂତନ ଲଘୁ ଖଣିଜ ପଦାର୍ଥ ଉତ୍ସ ଚିହ୍ନଟ କରାଯାଇଛି। ସେଥିରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୪୩ଟି ଚିହ୍ନଟ ହୋଇଛି। ବଲାଙ୍ଗୀର, ବାଲେଶ୍ବର, ବରଗଡ଼,କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ୨୦୦ ଲେଖାଏଁ ଓ ବାକି ୧୧ଟି ଜିଲ୍ଲାରେ ୧୦୦ଟି ଲେଖାଏଁ ଉତ୍ସ ଚିହ୍ନଟ ହୋଇଛି। ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ୧୪୫୭ଟି ଲଘୁ ଖଣିଜ ଉତ୍ସର ନିଲାମ କରାଯାଇ ଉତ୍ତୋଳନ ଆରମ୍ଭ ହୋଇଛି।
କରୋନା ମହାମାରୀ ସମୟରେ ଲଘୁ ଖଣିଜ ପଦାର୍ଥର ଉତ୍ସାହଜନକ କାରବାର ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଅଭିନନ୍ଦନ ଜଣାଇଛନ୍ତି। ସରକାରଙ୍କ ୫’ଟି’ ସଂସ୍କାର ଅନ୍ତର୍ଗତ ଏହି ଖଣିଜ ପଦାର୍ଥର କାରବାରରେ ଯେପରି ପୂର୍ଣ୍ଣ ସ୍ବଚ୍ଛତା ରହେ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି। ଖଣିଜ ପଦାର୍ଥ ଖନନ ପାଇଁ ତହସିଲଦାରମାନେ ପଠାଇଥିବା ମାଇନିଂ ପ୍ଲାନ୍ଗୁଡ଼ିକ ଯେପରି ଶୀଘ୍ର ମଞ୍ଜୁରୀ ଦିଆଯିବ ସେଥିପ୍ରତି ଯତ୍ନବାନ୍ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ମଞ୍ଜୁରୀ ପାଇଁ ଓରସାକ୍ର ସାଟେଲାଇଟ୍ ଡାଟାକୁ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି। ଜିଲ୍ଲାସ୍ତରରେ ଖଣିଜ ପଦାର୍ଥ କାରବାର ଉପରେ ପ୍ରତି ସପ୍ତାହରେ ଜିଲ୍ଲାପାଳମାନେ ସମୀକ୍ଷା କରିବେ। ଏହାସହ ଅତିରିକ୍ତ ଜିଲ୍ଲାପାଳମାନେ ପ୍ରତ୍ୟେକ୍ଷ ତଦାରଖ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରମୁଖ ନଦୀରୁ ବାଲି ଖନନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। କେଉଁ ନଦୀରୁ କେତେ ପରିମାଣରେ ବାଲି ଖୋଳାଗଲେ ନଦୀରେ ପାଣି ଧାରଣ କ୍ଷମତା ବଜାୟ ରହିବ, ସେଥିପାଇଁ ଜଳ ସମ୍ପଦ ବିଭାଗ ଓ ରାଜସ୍ବ ବିଭାଗ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲଘୁ ଖଣିଜ ପଦାର୍ଥ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଭୂତି ଭୂଷଣ ଦାସ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏଡିଏମ୍ (ରାଜସ୍ବ)ଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀମାନେ ସାମିଲ ହୋଇଥିଲେ।