ଅନ୍‌ଲାଇନ୍‌ରେ ହେବ ଲୋକସେବା ଆୟୋଗ ପରୀକ୍ଷା

ପରୀକ୍ଷାରେ ସଂସ୍କାର ଆଣିବାକୁ ମାନସମନ୍ଥନ, ଉତ୍ତର ଖାତା ଦେଖିପାରିବେ ପରୀକ୍ଷାର୍ଥୀ

ଭୁବନେଶ୍ବର : କପି ରୋକିବା, ପ୍ରଶ୍ନପତ୍ର ଭାଇରାଲ୍‌ ପରି ଘଟଣାରୁ ମୁକ୍ତି ପାଇବାକୁ ଏଣିକି ଅନ୍‌ଲାଇନ୍‌ରେ ହେବ ଲୋକସେବା ଆୟୋଗ ପରୀକ୍ଷା। କେନ୍ଦ୍ରୀୟ ସମେତ ସମସ୍ତ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପରୀକ୍ଷାଗୁଡ଼ିକରେ ସଂସ୍କାର ଆଣିବା ପାଇଁ ଆଜି ଭୁବନେଶ୍ବରଠାରେ ଅନୁଷ୍ଠିତ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଓ ବିଭିନ୍ନ ରାଜ୍ୟର ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଏନେଇ ଆଲୋଚନା ହୋଇଛି। ଅନ୍‌ଲାଇନ୍‌ରେ ପରୀକ୍ଷା ହେବା ଦ୍ବାରା ପରୀକ୍ଷାର୍ଥୀ ଲାଭବାନ ହେ‌ବେ। ପ୍ରକ୍ରିୟା ସରଳ ହେବା ସହ ଅନିୟମିତତା ରୋକାଯାଇପାରିବ ବୋଲି ୟୁପିଏସ୍‌ସି କର୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।

ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ୟୁପିଏସ୍‌ସି ପରୀକ୍ଷା ପରିଚାଳନା କରାଯିବ। ଫର୍ମ ପୂରଣଠାରୁ ଆରମ୍ଭ କରି ପରୀକ୍ଷା ଫଳ ପ୍ରକାଶ ପର୍ଯ୍ୟନ୍ତ, ସବୁ କିଛି ଅନ୍‌ଲାଇନ୍‌ରେ ହେବ। ପରୀକ୍ଷାର୍ଥୀଙ୍କ ସୁବିଧାକୁ ଆଖି ଆଗରେ ରଖି ପଦକ୍ଷେପ ନିଆଯିବ। ଅନ୍‌ଲାଇନ୍‌ରେ ପରୀକ୍ଷା ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା, ୱେବସାଇଟ୍‌ ହ୍ୟାକ୍‌ ପରି ସମସ୍ୟା ମଧ୍ୟ ବିଭିନ୍ନ ସମୟରେ ସୃଷ୍ଟି ହୋଇପାରେ। ଏହାକୁ ମଧ୍ୟ ନଜରରେ ରଖାଯାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀଙ୍କର ଯଦି କୌଣସି ସନ୍ଦେହ ଉପୁଜିବ ତେବେ ସେ ଉତ୍ତର ଖାତା ଦେଖିପାରିବେ। ଏହାଦ୍ବାରା ପରୀକ୍ଷା ପରିଚାଳନା ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆସିପାରିବ ବୋଲି ମତପ୍ରକାଶ ପାଇଛି। ଏହି ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇଥିଲେ।

ୟୁପିଏସ୍‌ସି ଅଧ୍ୟକ୍ଷ ଅରବିନ୍ଦ ସକ୍ସେନା କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ସମସ୍ତ ପରୀକ୍ଷା କରିବାକୁ ପ୍ରାଥମିକତା ଦିଆଯାଉଛି। ପରୀକ୍ଷାକୁ ପରୀକ୍ଷାର୍ଥୀଙ୍କ ସହ ଯୋଡ଼ିବା‌ ଦିଗରେ ଆଲୋଚନା କରାଯାଉଛି। ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା କିଭଳି କମ୍‌ ହୋଇପାରିବ ସେନେଇ ଆଲୋଚନା ହୋଇଛି। ସମ୍ମିଳନୀରୁ ଯେଉଁ ନିଷ୍କର୍ସ ବାହାରିବ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସୁପାରିସ କରାଯିବ।

ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ବ୍ରିଗେଡିୟର ଏଲ୍‌ ସି ପଟ୍ଟନାୟକ କହିଛନ୍ତି ଯେ ପରୀକ୍ଷା ଯେପରି ଡିଜିଟାଲାଇଜ୍‌ଡ ଓ ଆଇନଗତ ଭାବେ ସୁଦୃଢ଼ ହୋଇପାରିବ ସେନେଇ ପଦକ୍ଷେପ ନିଆଯିବ। ପରୀକ୍ଷା ପ୍ରକ୍ରିୟା ଏଭଳି କରାଯିବ ଯେ ପରୀକ୍ଷାର୍ଥୀ ଯେତେବେଳେ ଚାହିଁବେ ନିଜର ଉତ୍ତର ଖାତା ଦେଖିପାରିବେ। ଉତ୍ତର ଖାତାରେ କ’ଣ ଲେଖିଛନ୍ତି, କେତେ ମାର୍କ ମିଳିଛି, କେଉଁଠି ତ୍ରୁଟି ରହିଲା ତାହାକୁ ନେଇ ପରୀକ୍ଷାର୍ଥୀ ସମୀକ୍ଷା କରିପାରିବ।

ଲୋକସେବା ଆୟୋଗ ପରୀକ୍ଷାରେ ଏଭଳି ସଂସ୍କାରକୁ ପରୀକ୍ଷାର୍ଥୀମାନେ ସ୍ବାଗତ କରିଛନ୍ତି। କିନ୍ତୁ ଗୋଟିଏ ଦିନରେ ଉଭୟ ୟୁପିଏସ୍‌ସି ଓ ଓପିଏସ୍‌ସି ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ବହୁ ସମୟରେ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର