ଅନ୍ଲାଇନ୍ରେ ମିଳିବ ମଦ, ଅତିରିକ୍ତ ୫୦% କୋଭିଡ୍ ଚାର୍ଜ
ଦର ଅନୁଯାୟୀ ଡେଲିଭରି ଚାର୍ଜ, ଡେଲିଭରି ଚାର୍ଜ ସର୍ବାଧିକ ୩୦୦
ଭୁବନେଶ୍ବର ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଦୋକାନ ଖୋଲିବନି, କିନ୍ତୁ ଅନ୍ଲାଇନ୍ରେ ମିଳିବ ମଦ। ଆସନ୍ତାକାଲିଠାରୁ ହୋମ୍ ଡେଲିଭରି ଜରିଆରେ ଘରେ ମଦ ପହଞ୍ଚାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂକ୍ରମଣ ଅବରୋଧ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ୍)କୁ ଛାଡ଼ିଦେଲେ ତିନିଟି ଯାକ ଜୋନ୍ ଯଥା ରେଡ୍, ଅରେଞ୍ଜ ଓ ଗ୍ରିନ୍ ଜୋନ୍ରେ ମଦ ଡେଲିଭରି ହୋଇପାରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ମଦର ଏମ୍ଆରପି(ସର୍ବନିମ୍ନ ଖାଉଟି ମୂଲ୍ୟ) ଦେଢ଼ଗୁଣା ବଢ଼ିଛି। ସରକାର ମଦ ବୋତଲ ଉପରେ ଲେଖାଥିବା ଦର ଉପରେ ‘ସ୍ପେସାଲ କୋଭିଡ୍ ଫି’ ବାବଦକୁ ୫୦ ପ୍ରତିଶତ ଅତିରିକ୍ତ ନେବେ। ଏହି ସ୍ପେସାଲ କୋଭିଡ୍ ଫି’ ସମସ୍ତ ବିଦେଶୀ ମଦ, ଭାରତ ପ୍ରସ୍ତୁତ ବିଦେଶୀ ମଦ, ୱାଇନ୍, ବିୟର ଓ ରେଡି ଟୁ ଡ୍ରିଙ୍କ୍ ପାନୀୟ ଉପରେ ଲାଗୁ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏବେ ଉକ୍ତ ଦେଢ଼ଗୁଣା ଦର ସହ ଗ୍ରାହକଙ୍କୁ ଅତିରିକ୍ତ ଡେଲିଭରି ଚାର୍ଜ ପଡ଼ିବ। ମଦର ଦାମ୍ ଅନୁଯାୟୀ ଏହି ଡେଲିଭରି ଚାର୍ଜ (ସର୍ବନିମ୍ନ ୧୦୦ ଟଙ୍କାରୁ ସର୍ବାଧିକ ୩୦୦) ଟଙ୍କା ନିର୍ଧାରିତ କରାଯାଇଛି। କେବଳ ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନୀ ମଦ ଯୋଗାଇବେ। ଏହାକୁ ସେ ନିଜେ କିମ୍ବା ଅନ୍ୟ କୌଣସି ତୃତୀୟ ପକ୍ଷ ସଂସ୍ଥା ଦ୍ବାରା ଯୋଗାଇ ପାରନ୍ତି। ଏଥିପାଇଁ ଉକ୍ତ ସଂସ୍ଥା ଅବକାରୀ ଆୟୁକ୍ତଙ୍କଠାରୁ ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍ଓସି) ହାସଲ କରିବା ବାଧ୍ୟତାମୂଳକ। ଏହି ଏନ୍ଓସି ଅନ୍ଲାଇନ୍ରେ ପ୍ରାପ୍ତ ହୋଇପାରିବ। ସମସ୍ତ ଠିପି ବନ୍ଦ, ଠିପି ଖୋଲା ଓ ବାର୍ ଅନ୍ଲାଇନ୍ରେ ମଦ ବିକି ପାରିବେ ବୋଲି ସ୍ପଷ୍ଟ କରାଯାଇଛି।
ରାଜ୍ୟ ପାନୀୟ ନିଗମ ୱେବ୍ସାଇଟ୍ରେ ମଦର ବ୍ରାଣ୍ଡ ସହ ଦୋକାନଗୁଡ଼ିକର ବିବରଣୀ ରହିଛି। ଦୋକାନୀଙ୍କ ଫୋନ୍ ନମ୍ବର ସହ ମଦର ଦର ମଧ୍ୟ ରହିଛି। ନିଜ ନିଜ ଅଞ୍ଚଳର ଦୋକାନୀଙ୍କଠାରୁ ଗ୍ରାହକ ଏହି ତାଲିକା ଅନୁଯାୟୀ ମଦ ମଗାଇ ପାରିବେ। ଅର୍ଡର୍ ଦେବାର ୬ ଘଣ୍ଟା ମଧ୍ୟରେ ମଦ ପହଞ୍ଚାଇବା ପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ରହିଛି। ସେହିପରି ଜଣେ ଲୋକ ସର୍ବାଧିକ ୨.୫ ଲିଟର ବିଦେଶୀ ମଦ ବା ୫ ଲିଟର ବିୟର ମଗାଇ ପାରିବ। ଡେଲିଭରି ଚାର୍ଜ ସର୍ବାଧିକ ୩ ଶହ ଟଙ୍କା ପଡ଼ିବ। ୧ ହଜାର ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ୧୦୦ ଟଙ୍କା ପଡ଼ିବ। ତା’ ପରେ ପ୍ରତି ୫୦୦ ଟଙ୍କାର ଅତିରିକ୍ତ ଅର୍ଡର୍ ପାଇଁ ୨୫ ଟଙ୍କା ହିସାବରେ ଦେବାକୁ ପଡ଼ିବ। ହୋମ ଡେଲିଭରି ଚାର୍ଜ ୩୦୦ ଟଙ୍କାରୁ ଅଧିକ ହୋଇ ପାରିବନି। ଦୂରତାକୁ ଦେଖି ଦୋକାନୀ କିମ୍ବା ତୃତୀୟ ପକ୍ଷ ଡେଲିଭରି ସଂସ୍ଥା ଏହାକୁ କମାଇ ପାରିବ। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହୋମ୍ ଡେଲିଭରି ହେବ। ଡେଲିଭରି ବଏ କୋଭିଡ୍-୧୯ ନିର୍ଦ୍ଦେଶାବଳୀକୁ ପାଳନ କରି କାମ କରିବ। ସର୍ବନିମ୍ନ ୬ ଫୁଟ୍ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଦୋକାନୀ ଡେଲିଭରି ବଏକୁ ପରିଚୟପତ୍ର ପ୍ରଦାନ କରିବ। ଗ୍ରାହକ ନାମରେ ଏକ ବିଲ୍ ପ୍ରସ୍ତୁତ ହେବ। ବିଲ୍ରେ ସମସ୍ତ ବିବରଣୀ ରହିବ। ଏହି ବିଲ୍ ସମ୍ପୃକ୍ତ ଡେଲିଭରି ବଏର ଟ୍ରାଞ୍ଜିଟ୍ ପାସ୍ ହେବ। ବିଲ୍ ନ ଥିଲେ ଡେଲିଭରି ବଏ ନେଉଥିବା ମଦ ସ୍ବୀକୃତିପ୍ରାପ୍ତ ନୁହେଁ ବୋଲି ଧରାଯିବ। ଧରାପଡ଼ିଲେ ଉଭୟ ଦୋକାନୀ ଓ ଡେଲିଭରି ବଏ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମଦ ଦୋକାନ ଆଗରେ ଦୋକାନୀଙ୍କ ଫୋନ୍ ନମ୍ବର, ହ୍ୱାଟସ୍ ଆପ ନମ୍ବର, ଇ-ମେଲ୍ ଠିକଣା, ୟୁପିଆଇ(ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା) ତଥ୍ୟ ରହିବ। ହ୍ୱାଟସ୍ ଆପ୍ ଓ ଏସ୍ଏମ୍ଏସ୍ ଜରିଆରେ ଗ୍ରାହକ ଅର୍ଡର୍ ଦେବେ। କୌଣସି ପରିସ୍ଥିତିରେ ଗ୍ରାହକ ଦୋକାନକୁ ଆସିବେ ନାହିଁ। ଷ୍ଟକ୍ ଯାଞ୍ଚ ହୋଇ ପାରିବ ତ?
ଦୋକାନ ବନ୍ଦ ହେବା ପୂର୍ବରୁ ଦୋକାନୀଙ୍କ ପାଖରେ ଯେତିକି ମଦ ଅଛି, ତାହା ନୂଆ ଦରରେ ବିକ୍ରି ହେବ। ଅର୍ଥାତ୍ ଦୋକାନୀ ଦେଢ଼ଗୁଣା ଦରରେ ଏହି ଗଚ୍ଛିତ ମଦକୁ ବିକିବେ। ସେଥିପାଇଁ କେତେ ମଦ କାହା ପାଖରେ ଗଚ୍ଛିତ ଅଛି, ଏହି ଷ୍ଟକ୍କୁ ଅବକାରୀ ଅଧିକାରୀମାନେ ଯାଞ୍ଚ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠାରୁ ମଦ ହୋମ୍ ଡେଲିଭରି ଦେବା ପାଇଁ ସରକାର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଅର୍ଥାତ୍ ବିଜ୍ଞପ୍ତି ଜାରି ହେବା ପରେ ହାତରେ ୨୪ ଘଣ୍ଟା ମଧ୍ୟ ନାହିଁ। ଏତେ କମ୍ ସମୟରେ ଏତେଗୁଡ଼ାଏ ଦୋକାନର ଷ୍ଟକ୍ ଅବକାରୀ ବିଭାଗ କିଭଳି ଯାଞ୍ଚ କରିବ, ସେ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ଅବକାରୀ ବିଭାଗ ସ୍ପଷ୍ଟ କରିଛି ଯେ ଷ୍ଟକ୍ ଯାଞ୍ଚ ନ ହେବା ଯାଏ ସମ୍ପୃକ୍ତ ଦୋକାନୀ ହୋମ୍ ଡେଲିଭରି ଦେଇପାରିବ ନାହିଁ।