ଭୁବନେଶ୍ୱର : କରୋନା ମହାମାରୀ ପାଇଁ ସ୍କୁଲ୍ ବନ୍ଦ ରହିଛି। ଅନ୍ଲାଇନ୍ କ୍ଲାସ୍ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। କିନ୍ତୁ ରାଜ୍ୟର ସରକାରୀ ସ୍କୁଲ୍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାତ୍ର ୨୮ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ଅଛି। ନିଜେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି। ଏହା ବାଦ୍ ୫୨ ପ୍ରତିଶତ ପିଲାଙ୍କ ପାଖେର ଫିଚର୍ଫୋନ୍ ଉପଲବ୍ଧ ଅଛି ବୋଲି ମନ୍ତ୍ରୀ କହିଛନ୍ତି। ଏହା ପରେ ମଧ୍ୟ ଆହୁରି ୨୦ ପ୍ରତିଶତ ପିଲାଙ୍କ ପାଖରେ ଆଦୌ ଫୋନ୍ ନ ଥିବା ସ୍ପଷ୍ଟ ହୋଇଛି। ରାଜ୍ୟରେ ସ୍କୁଲ୍ ବନ୍ଦ ଥିବାରୁ ସବୁ ପିଲା ଯେ ପଢ଼ିବା ପାଇଁ ସମାନ ସୁଯୋଗ ପାଇ ପାରୁ ନାହାନ୍ତି ଏଥିରେ ଆଉ ସନ୍ଦେହ ନାହିଁ।
ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କୋଭିଡ୍ ପାଇଁ ବିଭିନ୍ନ ପ୍ରକାର ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି। ତାଙ୍କର ଉତ୍ତରରେ ସେ ଦର୍ଶାଇଛନ୍ତି ଯେ ସ୍ମାର୍ଟ ଫୋନ୍ ଉପଲବ୍ଧ ଥିବା ପିଲାମାନଙ୍କ ସହ ସହପାଠୀମାନେ ଓଡ଼ିଶା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଉତ୍ସାହିତ କରାଯାଉଛି। ଫିଚର୍ ଫୋନ୍ ଥିବା ପିଲାମାନଙ୍କୁ ଶିକ୍ଷକମାନେ ନିୟମିତ କଲ୍ କରି ଘରେ ଶିକ୍ଷଣୀୟ କାର୍ଯ୍ୟରେ ସହାୟତା କରିବାକୁ ପରାମର୍ଶ ଦିଆଯାଇଛି। ଏହା ବାଦ୍ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗତ ଏପ୍ରିଲ୍ ୨୦ ତାରିଖରୁ ସୋମବାରରୁ ଶୁକ୍ରବାର ଦୈନିକ ଦୁଇ ଘଣ୍ଟା ଟିଭି ମାଧ୍ୟମରେ ଶିକ୍ଷାଦାନ ଦିଆଯାଉଥିଲା ବେଳେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସେପ୍ଟେମ୍ବର ୯ ତାରିଖରୁ ଏକ ଘଣ୍ଟା ଶିକ୍ଷାଦାନ ଦିଆଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ୨୮ ତାରିଖରୁ ସୋମବାରରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ସମସ୍ତ ଶିକ୍ଷକଙ୍କ ନିକଟରେ ସ୍ମାର୍ଟ ଫୋନ୍ ଅଥବା ଫିଚର୍ ଫୋନ୍ ଉପଲବ୍ଧ ଅଛି। କେତେ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ପିଲାଙ୍କ ସ୍ମାର୍ଟ ଫୋନ୍ ନାହିଁ, କରୋନା ମହାମାରୀ ପୂର୍ବରୁ କେତେ ବିଦ୍ୟାଳୟରେ କି ଧରଣର ଅନ୍ଲାଇନ୍ ଶିକ୍ଷା ଭିତ୍ତିଭୂମି ରହିଛି ଆଦି ପ୍ରଶ୍ନ ଶ୍ରୀ ମାଝୀ ପଚାରିଥିଲେ ବି ମନ୍ତ୍ରୀ ତାହାର କୌଣସି ଉତ୍ତର ଦେଇ ନାହାନ୍ତି।