ରାଉରକେଲା: କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ୬୩ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଏଥିମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ୧୬ଟି। ବର୍ତ୍ତମାନ ସୁଦ୍ଧା ୧୬ଟି ମାତ୍ର ୪ଟି କାର୍ଯ୍ୟକ୍ଷମ ହୋଇପାରିଛି। ଚାଲିଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ରହିଛି କୁଆରମୁଣ୍ଡା ବ୍ଲକ୍‌ର କୁଆରମୁଣ୍ଡା, ଲହୁଣିପଡ଼ାର ଶରଧାପୁର, ରାଜଗାଙ୍ଗପୁରର ଲାଇଙ୍ଗ ଓ ସୁନ୍ଦରଗଡ଼ର ଭବାନୀପୁର। ଜିଲ୍ଲାର ଟାଙ୍ଗରପାଲିର ତେଲିପାଲି, ବିଶ୍ରାର ବିଜାଡ଼ିହି, ବଡ଼ଗାଁର ଭୋଇପାଲି ଓ ସବ୍‌ଡେଗାର ସବ୍‌ଡେଗାରେ ନିର୍ମାଣ କାର୍ଯ୍ୟ ଚାଲିଛି। କେବେ ସରିବ କାହାରି ପାଖରେ ଉତ୍ତର ନାହିଁ। ନିର୍ମାଣ କାମ କଚ୍ଛପ ଗତିରେ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତଦାରଖ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ପକ୍ଷରୁ ନିର୍ମାଣକାରୀ ଠିକାସଂସ୍ଥାକୁ ତାଗିଦ୍‌ କରାଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଉଛି।

Advertisment

ଜାଗା ବିବାଦରୁ ଅନ୍ୟ ୮ଟି ବିଦ୍ୟାଳୟର ନିର୍ମାଣ କାମ ବିଳମ୍ବ ହେଉଛି। ଏଗୁଡ଼ିକ ମଧ୍ୟରେ ରହିଛି ବଣାଇ, ଲାଠିକଟା ବ୍ଲକ୍‌ର ଖଇରବନ୍ଧ, ଗୁରୁଣ୍ଡିଆର ରାଜାବସା, କୋଇଡ଼ାର ସର୍ଗିଗଡ଼, କୁତ୍ରାର ଡାହିଜିରା, ଲେଫ୍ରିପଡ଼ାର ଡୁମାବାହାଲ, ନୂଆଗାଁର ହାତୀବାରି, ତଳସରାର ବ୍ଲକ୍‌ର ତଳସରା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ହସ୍ତକ୍ଷେପ ପରେ ଜାଗା ବିବାଦର ସମାଧାନ ହୋଇଛି। କେନ୍ଦ୍ର ଆଦିବାସୀମନ୍ତ୍ରୀ ବିଶ୍ବେଶର ଟୁଡୁ ଓ ସଂସଦ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆସନ୍ତା ୧୯ ପ୍ରତିଷ୍ଠା ହୋଇନଥିବା ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଯାଉଛନ୍ତି।

ପ୍ରତ୍ୟେକ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ ବାବଦରେ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଉଦ୍ୟମ ଯୋଗୁ ଜିଲ୍ଲାକୁ ୧୬ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ମୋଟ ୪୦୦ କୋଟି ମଞ୍ଜୁର ହୋଇଥିଲା। ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ଚିହ୍ନଟ ଜାଗା‌ର ଏନ୍‌ଓସି ମିଳୁ ନଥିବାରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିଲା। ଅର୍ଥ ମଞ୍ଜୁର ସତ୍ବେ କେଉଁ ବ୍ଲକ୍‌ରେ ୪ ବର୍ଷ ତ ଅନ୍ୟ ‌କେଉଁ ବ୍ଲକ୍‌ରେ ୩ ବର୍ଷ ଧରି ଇଟା ଖଣ୍ଡିଏ ପଡ଼ିପାରୁ ନଥିଲା। ଗତ ୨୦୨୧-୨୨ରେ ବଣାଇ, ଲାଠିକଟା, ଗୁରୁଣ୍ଡିଆ, କୋଇଡ଼ା, ସବ୍‌ଡେଗା, ଟାଙ୍ଗରପାଲିକୁ କେନ୍ଦ୍ର ଆଦିବାସୀମନ୍ତ୍ରଣାଳୟରୁ ପାଣ୍ଠି ମଞ୍ଜୁର ହୋଇଥିଲା। ସେମିତି ୨୦୨୦-୨୧ରେ ବଡ଼ଗାଁ ଓ ବିଶ୍ରା, ୨୦୧୯-୨୦ରେ କୁତ୍ରା, ନୂଆଗାଁ, ତଲସରାକୁ ୨୫ କୋଟି ଟଙ୍କା ଲେଖାଏଁ ଅର୍ଥ ମିଳିଥିଲା। ୨୦୧୫-୧୬ରେ କୁଆରମୁଣ୍ଡା, ୨୦୦୨-୦୩ରେ ଲହୁଣିପଡ଼ା, ୧୯୯୭-୯୮ରେ ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା।