ଗ୍ରିଡ୍‌କୋର ଘରୋଇ ସଂସ୍ଥା ପ୍ରୀତି: କେଉଁ ସ୍ବାର୍ଥରେ ଶସ୍ତା ବିଦ୍ୟୁତ ହାତଛଡ଼ା କଲା, ବେଦାନ୍ତଠାରୁ ଏବର୍ଷ ଆଣିବ ମାତ୍ର ୫୨% ବିଦ୍ୟୁତ

ବଜାରରେ ବିକିଥିଲେ ପାଇଥାନ୍ତା ୧୫୦୦କୋଟି, ମିଳିମିଶି ଉପଭୋକ୍ତାଙ୍କ ମୁଣ୍ଡରେ ଲଦିଲେ ୧୫ ପଇସା

ଭୁବନେଶ୍ବର: ୨୦୨୨-୨୩ ବର୍ଷରେ ମେସର୍ସ ବେଦାନ୍ତ ଲିମିଟେଡ୍‌ ତା’ର ବାର୍ଷିକ କୋଟା ୫୦୪୦ ନିୟୁତ ୟୁନିଟ୍ ବା ୭୨୦ ମେଗାଵାଟ୍‌ ବଦଳରେ ଓଡ଼ିଶାକୁ ମାତ୍ର ୨୬୨୮.୭୦ ନିୟୁତ୍ ୟୁନିଟ୍ ବିଦ୍ୟୁତ ପ୍ରଦାନ କରିବ। ଗ୍ରିଡ୍‌କୋ ବେଦାନ୍ତ ଠାରୁ କ୍ରୟ ଚୁକ୍ତି ମୁତାବକ ସଂପୂର୍ଣ୍ଣ ରାଜ୍ୟ କୋଟା ପରିବର୍ତ୍ତେ ମାତ୍ର ୫୨% ବିଦ୍ୟୁତ ଆଣିବ ବୋଲି ବାର୍ଷିକ ରାଜସ୍ବ ଆବଶ୍ୟକତା (ଏଆର୍‌ଆର୍‌)ରେ ହାତ କାଟି ଲେଖି ଦେବା ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଏଥିରେ ମୋହର ଲଗାଇଛନ୍ତି। ତେବେ ଓଡ଼ିଶା ଏକ ବଳକା ବିଦ୍ୟୁତ ରାଜ୍ୟ ବୋଲି ଆଳ ଦେଖାଇ ଅଥବା ଅନ୍ୟ କୌଣସି ଅଜ୍ଞାତ କାରଣରୁ ଗ୍ରିଡ୍‌କୋ ବେଦାନ୍ତର ୨୪୧୧ ନିୟୁତ୍ ୟୁନିଟ୍‌ ହାତଛଡ଼ା କଲା, ତାହା ଜଣାପଡିନାହିଁ।

ଅନ୍ୟପକ୍ଷରେ ଚଳିତବର୍ଷ ଲାଗି ବିଦ୍ୟୁତ ଦର ନିର୍ଧାରଣ ସଂକ୍ରାନ୍ତ ରାୟରେ ଆୟୋଗ ଗତ ଅକ୍ଟୋବର ୫ ତାରିଖରେ ଦେଇଥିବା ପୂର୍ବ ନିର୍ଦେଶର ସ୍ମରଣ କରାଇ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ ବେଦାନ୍ତରୁ ବିଦ୍ୟୁତ ଆଣିବା ପାଇଁ ଗ୍ରିଡ୍‌କୋକୁ ୩ମାସ ପୂର୍ବରୁ ଆବେଦନ କରିବାକୁ ପଡ଼ିବ। ଅନ୍ୟଥା ରାଜ୍ୟ କୋଟା ଦେବାପାଇଁ ଉଦ୍ଦିଷ୍ଟ ବେଦାନ୍ତର ୟୁନିଟ୍-୨ ନିଜସ୍ବ ବ୍ୟବହାର କେନ୍ଦ୍ର (ସିପିପି)ର ମାନ୍ୟତା ହାସଲ କରିବ। ସ୍ବାଭାବିକ ଭାବେ ଏଥିରୁ ଉତ୍ପାଦିତ ବିଦ୍ୟୁତକୁ ସେମାନେ ନିଜେ ବ୍ୟବହାର କରିବେ। ଆୟୋଗଙ୍କ ଏଭଳି ନିର୍ଦେଶ ବିଦ୍ୟୁତ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଶକ୍ତି ସମୀକ୍ଷକ, ସାଧାରଣ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି। ଓଇଆର୍‌ସିର ନିଷ୍ପତ୍ତିର ସୁଦୂର ପ୍ରସାରୀ ପ୍ରଭାବ ସିଧାସଳଖ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡ଼ିବ। ରାଜ୍ୟ ଅର୍ଥନୀତି ପାଇଁ ଏହା ଘାତକ ସାଜିପାରେ ବୋଲି ମଧ୍ୟ କୁହାଯାଇଛି। କେବଳ ସେତିକି ନୁହେଁ, ଏକ ହିସାବ କହୁଛି; ଦାନି କର୍ଣ୍ଣଙ୍କ ଭଳି ଗ୍ରିଡ୍‌କୋ ଏତେ ପରିମାଣର ଶସ୍ତା ବିଦ୍ୟୁତ ହାତଛଡ଼ା କରିବା କାରଣରୁ ପାଖାପାଖି ୧୫୦୦ କୋଟି ଟଙ୍କା ରାଜ୍ୟ ବା ସଂପୃକ୍ତ ସଂସ୍ଥା ହରାଇଲା।

ସମସ୍ତେ ଜାଣନ୍ତି ଯେ ଗ୍ରିଡ୍‌କୋ ଏକ ସରକାରୀ ପ୍ରାଧିକୃତ ସଂସ୍ଥା। ଏହାର କାମ ବିଦ୍ୟୁତ କିଣି ଆବଣ୍ଟନ କଂପାନିମାନଙ୍କୁ ଯୋଗାଇବା। ତେବେ ଏକ ବ୍ୟାବସାୟିକ କଂପାନି ହିସାବରେ ଗ୍ରିଡ୍‌କୋ ଅଧିକ ବାଣିଜ୍ୟିକ ସୁଯୋଗ ହାସଲ କରିବା ବଦଳରେ କାହିଁକି ଘରୋଇ ସଂସ୍ଥାଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଉଛି ତାହା ତଦନ୍ତ ସାପେକ୍ଷ। ଶକ୍ତି ସମୀକ୍ଷକମାନେ ଗ୍ରିଡ୍‌କୋର ଏଭଳି କାରନାମାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଏଇଥିପାଇଁ ଯେ ଭାରତର ଶକ୍ତି ବିନିମୟ ସଂସ୍ଥା (ଆଇଇଏକ୍ସ)ର ବିଗତ କିଛି ବର୍ଷର ତଥ୍ୟ କହୁଛି, ଅଧିକ ଚାହିଦା କାରଣରୁ ଗ୍ରୀଷ୍ମ ଋତୁରେ ଖୋଲାବଜାରରେ ହାରାହାରି ବିଦ୍ୟୁତ ଦର ୟୁନିଟ୍ ପିଛା ୧୦ଟଙ୍କା ଉପରେ ରହିଥାଏ ଏବଂ ଅନ୍ୟ ସମୟରେ ଏହା ଖସି ଆସୁଥିଲେ ହେଁ, ହାରାହାରି ୮ ଟଙ୍କା ତଳକୁ କ୍ବଚିତ୍‌ ପହଞ୍ଚେ। ଆଜିର ଖୋଲାବଜାରରେ ବିଦ୍ୟୁତ ଦର ୟୁନିଟ୍ ପିଛା ୧୦ ଟଙ୍କା ୧୧ପଇସା ରହିଛି। ଏସବୁକୁ ବିଚାରକୁ ନେଇ ଦେଖିଲେ, ହାରାହାରି ବାର୍ଷିକ ୟୁନିଟ୍ ପିଛା ବିଦ୍ୟୁତ ଦର ପାଖାପାଖି ୯ଟଙ୍କା ବୋଲି କୁହାଯାଇପାରିବ।

ଏହି ମହଲର କହିବା କଥା ହେଉଛି, ବେଦାନ୍ତଠାରୁ ପୂର୍ଣ୍ଣ ରାଜ୍ୟ କୋଟା ଆଣି ଗ୍ରିଡ୍‌କୋ ଯଦି ଏହାକୁ ଖୋଲାବଜାରରେ ବିକ୍ରି କରିଥାନ୍ତା, ତେବେ ପ୍ରଭୂତ ଲାଭ କରିବାର ସୁଯୋଗ ରହିଥିଲା। ଆୟୋଗଙ୍କ ରାୟ ଅନୁସାରେ ଏବର୍ଷ ବେଦାନ୍ତ ରାଜ୍ୟକୁ ୟୁନିଟ୍ ପିଛା ୨ଟଙ୍କା ୭୯ପଇସା ଦରରେ ବିଦ୍ୟୁତ ଯୋଗାଇବ। ଅତି ସରଳ ଭାବେ କହିଲେ, ଗ୍ରିଡ୍‌କୋ ୨ଟଙ୍କା ୭୯ ପଇସାରେ ବିଦ୍ୟୁତ କିଣି ତାହାକୁ ୯ଟଙ୍କାରେ ବିକ୍ରି କରିବାର ସୁଯୋଗ ରହିଥିଲା। ଏହାଦ୍ବାରା ଗ୍ରିଡ୍‌କୋ ବାର୍ଷିକ ୧୪୯୭ କୋଟି ୨୦ଲକ୍ଷ ଟଙ୍କା ଲାଭ ପାଇଥାନ୍ତା; ଯାହାଦ୍ବାରା ଉପଭୋକ୍ତାଙ୍କ ମୁଣ୍ଡରୁ ବର୍ଧିତ ବିଦ୍ୟୁତ ଦର ବୋଝ ମଧ୍ୟ ହାଲୁକା ହୋଇଥାନ୍ତା। ମାତ୍ର ଗ୍ରିଡ୍‌କୋ ତାହା ନ କରି କେଉଁ ଯୁକ୍ତି ବଳରେ ବେଦାନ୍ତକୁ ୨୪୧୧ ନିୟୁତ୍ ୟୁନିଟ୍ ବିଦ୍ୟୁତ ଟେକି ଦେଲା? ତଥ୍ୟ ଆହୁରି କହୁଛି ଯେ ଗ୍ରିଡ୍‌କୋ ପାଖାପାଖି ୮ହଜାର କୋଟି ଟଙ୍କାର ଆର୍ଥିକ ବୋଝରେ ଭାରାକ୍ରାନ୍ତ। ଏହି ଗୋଟିଏ ନିଷ୍ପତ୍ତିରେ ସଂସ୍ଥା ବାର୍ଷିକ ହାରାହାରି ୨୦ପ୍ରତିଶତରୁ ଅଧିକ ବୋଝ ହାଲୁକା କରିପାରିଥାନ୍ତା। ହେଲେ ଆଇପିପି ଗୁଡ଼ିକ ଠାରୁ ଶସ୍ତା ବିଦ୍ୟୁତ ନ କିଣି ଅଧିକ ଦରରେ ବିଦ୍ୟୁତ କିଣିବା ଦ୍ବାରା ଗ୍ରିଡ୍‌କୋର କେଉଁ ବ୍ୟାବସାୟିକ ସ୍ବାର୍ଥ ଚରିତାର୍ଥ ହେଉଛି, ତାହା ବୁଝି ହେଉନାହିଁ।

ଏଠାରେ ଉଲ୍ଲେଖଥାଉକି, ରାଜ୍ୟ ବିଦ୍ୟୁତ ବଳକା ଦର୍ଶାଇ ଗ୍ରିଡ୍‌କୋ ଏକ ପକ୍ଷରେ ବର୍ଷ ବର୍ଷ ଧରି ଚୁକ୍ତିବଦ୍ଧ ଆଇପିପିଗୁଡିକ ଠାରୁ ପୂର୍ଣ୍ଣ କୋଟା ବିଦ୍ୟୁତ ଆଣୁ ନାହିଁ, ଅନ୍ୟପକ୍ଷରେ ଶସ୍ତା ବିଦ୍ୟୁତକୁ ଛାଡି ଯଥେଷ୍ଟ ଅଧିକ ଦରରେ ଅନ୍ୟାନ୍ୟ ସୂତ୍ରରୁ ବିଦ୍ୟୁତ ଆଣୁଛି। ତେବେ ବିଦ୍ୟୁତ ବଳକା ଆଳ ଯେ ସମ୍ପୂର୍ଣ୍ଣ ଭ୍ରମାତ୍ମକ ତାହା ଆୟୋଗଙ୍କ ଜନଶୁଣାଣି ବେଳେ ସ୍ପଷ୍ଟ ହୋଇସାରିଛି। ବିଦ୍ୟୁତ ବିଶେଷଜ୍ଞ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ଏକାଧିକ ଆପତ୍ତିକାରୀ ନିର୍ଦିଷ୍ଟ ଭାବେ ଦର୍ଶାଇଥିଲେ ଯେ ରାଜ୍ୟ ବିଦ୍ୟୁତ ବଳକା ନୁହେଁ। କାରଣ ରାଜ୍ୟରେ ଥିବା ନିର୍ଦିଷ୍ଟ ଶିଳ୍ପ ସଂସ୍ଥାଗୁଡିକ ଗତ ଜାନୁଆରି ସୁଦ୍ଧା ୧୦ମାସ ମଧ୍ୟରେ ୭୦୦୦ ୟୁନିଟ୍‌ରୁ ଅଧିକ ବିଦ୍ୟୁତ ଖୋଲାବଜାରରୁ କିଣି ନିଜ ନିଜ ଚାହିଦା ମେଣ୍ଟାଇଛନ୍ତି। ରାଜ୍ୟର ବିଦ୍ୟୁତ ଦର ପ୍ରତିଯୋଗିତାମୂଳକ ହେଉନଥିବାରୁ ସେମାନେ ଅନ୍ୟାନ୍ୟ ସୂତ୍ରରୁ ଶସ୍ତା ବିଦ୍ୟୁତ କିଣିବାକୁ ଆଗ୍ରହୀ ହେବା ସ୍ବାଭାବିକ। କୌତୂହଳର କଥା ହେଉଛି, ଖୋଦ୍‌ ଟାଟା ପାଵାର ମଧ୍ୟ ବିଦ୍ୟୁତ ଦର ଧାର୍ଯ୍ୟ ଲାଗି ହୋଇଥିବା ଜନଶୁଣାଣି ସମୟରେ ଖୋଲା ବଜାରରୁ ଶସ୍ତା ବିଦ୍ୟୁତ କିଣିବା ଲାଗି ଆୟୋଗଙ୍କୁ ପ୍ରାର୍ଥନା କରିଥିଲା। ଏହାଦ୍ବାରା ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ ବୋଝ କମିବ ବୋଲି କର୍ତ୍ତୃପକ୍ଷଙ୍କ ଯୁକ୍ତି ଆଦୌ ଅପ୍ରାସଙ୍ଗିକ ବୋଲି କହିହେବ ନାହିଁ।
ଏଥିରୁ ଓଡ଼ିଶା ବିଦ୍ୟୁତ ବଳକା ଆଳ ଯେ ଅଳିକ ସେଥିରେ ସନ୍ଦେହ ନାହିଁ। ଏଭଳି ପରିସ୍ଥିତିରେ ଗ୍ରିଡ୍‌କୋ ବଳକା ଆଳ ଦେଖାଇ ଯଦି ଶସ୍ତା ବିଦ୍ୟୁତ ନ କିଣିବ, ତେବେ ତାହାର ବ୍ୟାବସାୟିକ ଆଭିମୁଖ୍ୟ ପ୍ରତି ସାଧାରଣରେ ସନ୍ଦେହ ସୃଷ୍ଟି ହେବାରେ ଅସ୍ବାଭାବିକତା କେଉଁଠି ରହିଲା?

ଶକ୍ତି ସମୀକ୍ଷକ ଆହୁରି କହୁଛନ୍ତି ଯେ ଗ୍ରିଡ୍‌କୋ ଏକ ସରକାରୀ ସଂସ୍ଥା ହୋଇଥିବା ବେଳେ ଶକ୍ତି ସଚିବ ଏହାର ଅଧ୍ୟକ୍ଷ। ତେଣୁ ଆଇପିପି ଗୁଡିକ ଠାରୁ ଗ୍ରିଡକୋ ପୂର୍ଣ୍ଣ ରାଜ୍ୟ କୋଟା ବିଦ୍ୟୁତ ନ କିଣି ତାହାକୁ ସେମାନଙ୍କ ହାତକୁ ସିଧାସଳଖ ଟେକି ଦେଉଥିବା ବେଳେ ସରକାର କିପରି ନିରବ ରହୁଛନ୍ତି, ତାହା ବିସ୍ମୟଜନକ। ଯେତେବେଳେ ସରକାରୀ ସଂସ୍ଥା ଓପିଜିସି ତାର ବଳକା ବିଦ୍ୟୁତକୁ ଖୋଲା ବଜାରରେ ଅଧିକ ଦାମରେ ବିକ୍ରି କରୁଛି; ଗ୍ରିଡ୍‌କୋ ସେହି ନୀତି ଅବଲମ୍ବନ କରି ଶସ୍ତାରେ ବିଦ୍ୟୁତ କିଣି ଖୋଲା ବଜାରରେ ବିକ୍ରି କରିବାରେ ପ୍ରତିବନ୍ଧକ କେଉଁଠି?

ଆହୁରି ଗମ୍ଭୀର ବିଷୟ ହେଲା, ଓପିଜିସି ଠାରୁ ୧୦୫୭.୮୬ ନିୟୁତ ୟୁନିଟ୍‌ ବିଦ୍ୟୁତ କ୍ରୟ ଅନୁମୋଦନ ନକରି ଫିକ୍ସଡ କଷ୍ଟ ବାବଦକୁ ୩୨୭.୮୦ କୋଟି ଟଙ୍କା ଦେବା ପାଇଁ ଗ୍ରିଡ୍‌କୋକୁ ଆୟୋଗ ନିର୍ଦେଶ ଦେଇଛନ୍ତି। ଅନୁରୂପ ଭାବେ ଏନଟିପିସିର ଫାରାକା ଓ କାହାଲଗାଁ ବିଦ୍ୟୁତ କେନ୍ଦ୍ରରୁ ୮୩୭.୩୧ ନିୟୁତ ୟୁନିଟ କ୍ରୟ ଅନୁମୋଦନ ନକରି ୧୨୭.୪୪ କୋଟି ଟଙ୍କା ଦେବାକୁ କୁହାଯାଉଛି। ଏହିଭଳି ସମୁଦାୟ ୧୮୯୫.୧୭ ନିୟୁତ ୟୁନିଟ ବିଦ୍ୟୁତ କ୍ରୟ ନକରି ସୁଦ୍ଧା ଗ୍ରିଡ୍‌କୋ ସେମାନଙ୍କୁ ୪୫୫.୨୪ କୋଟି ଟଙ୍କା ପଇଠ କରିବ। ଆୟୋଗଙ୍କ ଏଭଳି ନିର୍ଦେଶର ପରିଣାମ ହେଲା, ପାଇକାରୀ ଦର ୟୁନିଟ ପିଛା ୧୫.୪୩ ପଇସା ବୃଦ୍ଧି ଘଟିଲା ଏବଂ ଏହି ବୋଝ ଉପୋଭୋକ୍ତାମାନେ ମୁଣ୍ଡାଇଲେ।

ସମ୍ବନ୍ଧିତ ଖବର