ରାଜ୍ୟରେ ମାତ୍ର ୯% ଚିକିତ୍ସାଧୀନ କରୋନା ରୋଗୀ

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ, ଦିନକରେ ୨୪୨୩ ପଜିଟିଭ୍, ୧୮ ମୃତ

ଭୁବନେଶ୍ୱର : ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଖସିବାରେ ଲାଗିଛି। ଲଗାତାର ଭାବେ ରାଜ୍ୟରେ ୩ ହଜାରରୁ ଅଧିକ ରୋଗୀ ପ୍ରତ୍ୟେକ ଦିନ ସୁସ୍ଥ ହେଉଥିବାରୁ ଏହି ସଂଖ୍ୟାରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ପୂର୍ବରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦ ହଜାର ଉପରେ ରହୁଥିବା ବେଳେ ଏବେ ୨୫ ହଜାର ତଳକୁ ଖସି ଆସିଛି। ରାଜ୍ୟରେ ମାତ୍ର ଏବେ ୨୩,୩୭୭ ବା ମାତ୍ର ୯% ରୋଗୀ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ କ୍ରମାଗତ ଭାବେ ଦୈନିକ କରୋନା ସଂକ୍ରମଣ ୩ ହଜାର ତଳେ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧,୦୯୭ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୨୪୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାତ୍ର ୧୮ଜଣ କରୋନାରେ ପ୍ରାଣ ହରାଇଥିବା ଘୋଷଣା ହୋଇଛି। ଯଦିଓ ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁର କୌଣସି ସଂପର୍କ ନାହିଁ, ଏ ଦୃଷ୍ଟିରୁ ଘୋଷଣା ହୋଇଥିବା ମୃତ୍ୟୁ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ରହିଥିବା ସମୟର ବୋଲି ଅନୁମାନ କରାଯାଉଛି। କରୋନା ମୃତ୍ୟୁକୁ ନେଇ ସମାଲୋଚନାର ଶିକାର ହେବା ପରେ ଏବେ ରାଜ୍ୟ ସରକାର କୋଭିଡ୍‌ ହସ୍ପିଟାଲରେ ମିଳୁଥିବା ଚିକିତ୍ସାର ଏଡିଏମ୍‌ ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଅଡିଟ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ମୃତକଙ୍କ ମଧ୍ୟରେ କଟକରୁ ୪, ଖୋର୍ଧା ଓ ବାଲେଶ୍ବରରୁ ୩, ସୁନ୍ଦରଗଡ଼, ଯାଜପୁରରୁ ୨ ଲେଖାଏଁ, ପୁରୀ, ନବରଙ୍ଗପୁର, ମୟୂରଭଞ୍ଜ, ଜଗତସିଂହପୁରରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ଗଞ୍ଜାମରେ ରାଜ୍ୟର ସର୍ବାଧିକ କରୋନା ମୃତ୍ୟୁ ହୋଇଛି। ଏଠାରେ ଏ ପର୍ଯ୍ୟନ୍ତ ୨୨୨ଜଣ ପ୍ରାଣ ହରାଇଛନ୍ତି। ଖୋର୍ଧା ୧୭୬, କଟକ ୮୮, ପୁରୀ ୬୯, ବାଲେଶ୍ବର ୫୮, ସୁନ୍ଦରଗଡ଼ ୪୭, ରାୟଗଡ଼ା ୩୯, ନୟାଗଡ଼ ୩୫ ଓ ମୟୂରଭଞ୍ଜରୁ ୩୨ଜଣ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟାରେ ୧୦୪୦କୁ ବୃଦ୍ଧି ପାଇଛି।

ରାଜ୍ୟବ୍ୟାପୀ ଏବେ ସଂକ୍ରମଣ ଖସୁଥିବା ବେଳେ ଖୋର୍ଧାରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଖୋର୍ଧାରୁ ୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୩,୯୨୪କୁ ବୃଦ୍ଧି ପାଇଛି। କଟକରେ ୧୧୮କୁ ମିଶାଇ ୨୩,୨୬୨, ଗଞ୍ଜାମରେ ୩୭ରୋଗୀଙ୍କ ସହ ୨୦,୬୬୦ ଓ ପୁରୀରେ ୭୩ ନୂଆ ରୋଗୀଙ୍କୁ ମିଶାଇ ୧୧,୩୮୪କୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଏହାବାଦ୍ ଅନୁଗୁଳ ୨୨୯, ସୁନ୍ଦରଗଡ଼ ୧୯୫, ମୟୂରଭଞ୍ଜ ୧୨୮, ବରଗଡ଼ ୯୯, ଯାଜପୁର ୯୭, ବଲାଙ୍ଗୀର ୯୩, ଜଗତସିଂହପୁର ୮୪, ଷ୍ଟେଟ୍‌ ପୁଲ୍‌ ୭୫, କେନ୍ଦ୍ରାପଡ଼ା ୭୩, କେନ୍ଦୁଝର ୭୦, ଭଦ୍ରକ ୬୭, ଢେଙ୍କାନାଳ ଓ ଝାରସୁଗୁଡ଼ାର ୬୬ ଲେଖାଏଁ, ନୂଆପଡ଼ା ୬୩, ସମ୍ବଲପୁର ୬୦, କଳାହାଣ୍ଡି ୫୭, ସୋନପୁର ୫୩, ମାଲକାନଗିରି ୪୮, ବାଲେଶ୍ବର ୪୨, ନୟାଗଡ଼ ୪୦, କନ୍ଧମାଳ ୩୫, ନବରଙ୍ଗପୁର ୨୮, ଦେବଗଡ଼ ୧୭, ବୌଦ୍ଧ ଓ ରାୟଗଡ଼ାରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୫୪ହଜାର ୬୬୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୨୫୭୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୩୦ହଜାର ୧୯୨କୁ ବୃଦ୍ଧି ପାଇଛି। କରୋନା ରୋଗୀଙ୍କ ସୁସ୍ଥ ହାର ୯୦ ପ୍ରତିଶତକୁ ବୃଦ୍ଧି ପାଇଛି। ଆଜି କଟକରୁ ସର୍ବାଧିକ ୨୪୪ ରୋଗୀ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଯାଜପୁର ୧୩୭, ଖୋର୍ଧା ୧୨୪, ବାଲେଶ୍ବର ଓ ସମ୍ବଲପୁର ୧୨୦ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀ ୧୧୪ ଲେଖାଏଁ, ସୁନ୍ଦରଗଡ଼ ୧୧୧, ଅନୁଗୁଳ ୧୦୮, ବଲାଙ୍ଗୀର ୧୦୩, ମୟୂରଭଞ୍ଜ ୧୦୧, ବରଗଡ଼ ୯୭, ନୂଆପଡ଼ା ୯୦, ନବରଙ୍ଗପୁର ୮୧, କେନ୍ଦୁଝର ୭୪, ଜଗତ୍‌ସିଂହପୁର ୭୧, ଢେଙ୍କାନାଳ ୬୯, ଭଦ୍ରକ ଓ ନୟାଗଡ଼ ୬୭ ଲେଖାଏଁ, ଝାରସୁଗୁଡ଼ା ୬୨, ମାଲକାନଗିରି ୫୭, କନ୍ଧମାଳ ୪୯, ‌ସୋନପୁର ୪୫, କଳାହାଣ୍ଡି ୩୯, ଗଞ୍ଜାମ ୩୬, ବୌଦ୍ଧ ୩୪, କୋରାପୁଟ ୩୩, ଦେବଗଡ଼ ୨୩, ରାୟଗଡ଼ା ୧୯, ଗଜପତି ୧୩ ଓ ଷ୍ଟେଟ୍‌ ପୁଲରୁ ୧୫୫ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର