ଛତିଶଗଡ଼ ଜାମଗାଁସ୍ଥିତ ଏମ୍ଏସ୍ପି ଷ୍ଟିଲ୍ର ବଡ଼ଧରଣର ସଂପ୍ରସାରଣ
୧୫ରେ ଜନଶୁଣାଣି, ଓଡ଼ିଶା ସୀମାନ୍ତ ଗାଁଗୁଡିକୁ ସାମିଲ କରାଗଲାନି
ହେମଗିର, (ଡିଲେଶ୍ବର ନାଗ): ଓଡ଼ିଶାର ଏକମାତ୍ର ବିରଳ ମେଲାନିଷ୍ଟିକ୍ ଟାଇଗର ବା କଳାବାଘର ପ୍ରାକୃତିକ ତଥା ସୁରକ୍ଷିତ ବାସସ୍ଥଳୀ ସୁନ୍ଦରଗଡ଼ ଜିଲ୍ଲାର ଗର୍ଜନପାହାଡ଼-ଧନୁବାଉଁଶ ସଂରକ୍ଷିତ ଜଙ୍ଗଲ ଏବେ ବିପଦରେ।
୧୨୧୭୮.୯୪୨ ହେକ୍ଟର ପରିମିତ ଗର୍ଜନପାହାଡ଼-ଧନୁବାଉଁଶ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଇଲାକାରେ ପଡ଼ୋଶୀ ଛତିଶଗଡ଼ର ରାଏଗଡ଼ ଜିଲ୍ଲା ଜାମଗାଁସ୍ଥିତ ମେସର୍ସ ଏମ୍ଏସ୍ପି ଷ୍ଟିଲ୍ ଓ ପାୱାର ପ୍ଲାଣ୍ଟ୍ର ବଡ଼ଧରଣର ସଂପ୍ରସାରଣ ହେବାକୁ ଯାଉଛି। ଏ ନେଇ ଛତିଶଗଡ଼ ରାଜ୍ୟ ପ୍ରଶାସନ ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାମଗାଁ ଠାରେ ଆସନ୍ତା ୧୫ରେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ହେବ। ଏଥିରେ ଓଡ଼ିଶା ସଂଲଗ୍ନ ଛତିଶଗଡ଼ର ସମସ୍ତ ସୀମାନ୍ତ ଗାଁଗୁଡିକୁ ସାମିଲ କରାଯାଇଥିବାବେଳେ ଛତିଶଗଡ଼ ସୀମାକୁ ଲାଗି ରହିଥିବା ଓଡ଼ିଶାର ଗାଁଗୁଡିକୁ ବାଦ୍ ଦିଆଯାଇଛି।
ପ୍ରକଳ୍ପ ସଂପ୍ରସାରଣ ଦ୍ବାରା ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଜୁଲୁମବାହାଲ ଗ୍ରାମପଞ୍ଚାୟତ ଓ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅତାବିରା ଗ୍ରାମପଞ୍ଚାୟତର ମୋଟ ୯ଟି ଗ୍ରାମ ସହ ଗର୍ଜନପାହାଡ-ଧନୁବାଉଁଶ ସଂରକ୍ଷିତ ଜଙ୍ଗଲ ପ୍ରଭାବିତ ହେବେ। ମେସର୍ସ ଏମ୍ଏସ୍ପି ଷ୍ଟିଲ୍ ଓ ପାୱାର ପ୍ଲାଣ୍ଟ୍ ବାର୍ଷିକ ସ୍ପଞ୍ଜ ଆଇରନ ଉତ୍ପାଦନ କ୍ଷମତା ୩ ଲକ୍ଷ ୭୫ ହଜାର ଟନ୍ରୁ ୯ ଲକ୍ଷ ୫୩ ହଜାର ଟନ୍କୁ, ରୋଲିଂ ମିଲ୍ ୪ ଲକ୍ଷ ୮୦ ହଜାର ଟନ୍ରୁ ୧୦ ଲକ୍ଷ ୨୦ ହଜାର ଟନ୍କୁ, ଷ୍ଟିଲ ମେଲ୍ଟିଂ ସପ୍କୁ ୩ ଲକ୍ଷ ୮୪ ହଜାର ଟନ୍ରୁ ୧୧ ଲକ୍ଷ ୭୧ ହଜାର ଟନ୍କୁ ଓ କାରଖାନାର ବିଜୁଳି ଉତ୍ପାଦନକୁ ୭୨.୫ ମେଗାୱାଟରୁ ୧୨୩.୫ ମେଗାୱାଟ୍କୁ ବୃଦ୍ଧି କରିବାର ପ୍ରସ୍ତାବ ରହିଛି। ତାସହ ବାର୍ଷିକ ୭ ଲକ୍ଷ ୨୦ ହଜାର ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ନୂତନ ସିଣ୍ଟର ପ୍ଲାଣ୍ଟ୍, ୪ ଲକ୍ଷ ୫୦ ହଜାର ଟନ୍ କ୍ଷମତା ବିଶିଷ୍ଟ ନୂତନ ବ୍ଲାଷ୍ଟଫର୍ଣ୍ଣେସ୍ ଏବଂ ପ୍ରତିଦିନ ୨୨୦ ଟନ୍ ଉତ୍ପାଦନ କ୍ଷମତା ସମ୍ପନ୍ନ ନୂତନ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣର ଲକ୍ଷ୍ୟ ରଖାଯାଇଛି।
ଜନଶୁଣାଣି ପାଇଁ ସୀମାନ୍ତ ଓଡ଼ିଶା ଗାଁଗୁଡ଼ିକୁ କୌଣସି ନୋଟିସ କରାଯାଇ ନଥିବାରୁ ହେମଗିରର ପରିବେଶ କର୍ମୀ ରାଜେନ୍ଦ୍ର ନାଏକ ଏହା ସଂପୂର୍ଣ୍ଣ ଅଯୌକ୍ତିକ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ନାଏକ କହିଛନ୍ତି, ଆଗାମୀ ଦିନରେ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳରେ ପରିବେଶୀୟ ସନ୍ତୁଳନ ବିଗିଡ଼ିବ। ଗର୍ଜନପାହାଡ଼-ଧନୁବାଉଁଶ ସଂରକ୍ଷିତ ଜଙ୍ଗଲ ସହ ଚିଟକିଖାଡୁ ସଂରକ୍ଷିତ ଜଙ୍ଗଲ (୧୪୫୫.୭୦ ହେକ୍ଟର) ଓ ବେହେରାମୁଣ୍ଡା ସଂରକ୍ଷିତ ଜଙ୍ଗଲ (୪୮.୧୫ ହେକ୍ଟର) ବିପଦଗ୍ରସ୍ତ ହେବ। ଏ ନେଇ ସେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏ ଦିଗରେ ବିହୀତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/tiger-b.jpg)