‘ସମ୍ବାଦ- ଆମ ଓଡ଼ିଶା’ ପକ୍ଷରୁ ଜନ୍ମମାଟିରେ ଗଂଗାଧର ଜୟନ୍ତୀ: ‘ଗଂଗାଧର ସାହିତ୍ୟରେ ରହିଛି ଭାରତୀୟ ଚେତନାର ଉପଲବ୍ଧି’

ମାତୃଭାଷାକୁ ଆୟତ୍ତ କଲେ ହିଁ ଅନ୍ୟ ଭାଷା ପ୍ରତି ସାମର୍ଥ୍ୟ ବଢ଼ିବ: ସୌମ୍ୟରଂଜନ

ବରପାଲି: ଗଂଗାଧର ସାହିତ୍ୟ ସର୍ବଦା ହୃଦୟସ୍ପର୍ଶୀ। ଗଂଗାଧର ସାହିତ୍ୟରେ ଭାରତୀୟ ସଂସ୍କୃତି ଏବଂ ସମର୍ପଣ ଭାବର ନିଦର୍ଶନ ରହିଛି। ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଗଂଗାଧରଙ୍କ ଗୋଟିଏ ଗୋଟିଏ ପଂକ୍ତି ଯୁବପିଢ଼ିଙ୍କ ମଧ୍ୟରେ ସଂଚାର କରାଯିବା ଜରୁରି। କାରଣ ଏବେ ମାତୃଭାଷା ପ୍ରତି ଯୁବପିଢ଼ିଙ୍କ ଆଦର କମୁଛି। ଏଭଳି ସ୍ଥିତିରେ ଉତ୍ତରପିଢ଼ି ଗଂଗାଧରଙ୍କୁ ସଠିକ୍‌ ଭାବେ ଚିହ୍ନିବା ଆବଶ୍ୟକ ବୋଲି ଗଂଗାଧରଙ୍କ ଜନ୍ମମାଟି ବରପାଲିଠାରେ ସମ୍ବାଦ- ଆମ ଓଡ଼ିଶା ପକ୍ଷରୁ କବିଙ୍କ ଜୟନ୍ତୀ ଉତ୍ସବ ‘ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ’ରେ ମତପ୍ରକାଶ ପାଇଛି। ମୁଖ୍ୟଅତିଥି ମନ୍ତ୍ରୀ ରୀତା ସାହୁ ଏହି ଅବସରରେ ଗଂଗାଧରଙ୍କ ସ୍ମୃତିରକ୍ଷା ପାଇଁ ‌ସେ ଯଥାସମ୍ଭବ ଉଦ୍ୟମ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।

ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ସୁଷମା ମଂଜରୀ ନାୟକ ନିଜ ବକ୍ତବ୍ୟରେ ଗଂଗାଧର ମେହେରଙ୍କୁ ଜଣେ ଆତ୍ମଉପଲବ୍ଧି ଥିବା ଶିଳ୍ପୀ ଭାବେ ବିବେଚନା କରିଥିଲେ। ସେ କହିଲେ, ଗଂଗାଧର ସାହିତ୍ୟ ସାଧାରଣରେ ଅସାଧାରଣ। ତାଙ୍କ ସାହିତ୍ୟର ତର୍ଜମା ବେଳେ ପୃଷ୍ଠଭୂମିକୁ ଅଣଦେଖା କରାଯାଇ ପାରିବ ନାହିଁ। କାରଣ କବି ଅନ୍ତଃ ଏବଂ ବାହ୍ୟ ଜଗତ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥିଲେ। ସାହିତ୍ୟ କୃତୀକୁ ପାରିପାର୍ଶ୍ବିକ ସହାୟତା ମିଳେ, ଏହା ଗଂଗାଧର ସାହିତ୍ୟରୁ ସ୍ପଷ୍ଟ ଜଣାପଡ଼େ। କବି ନିଜ ପାରିପାର୍ଶ୍ବିକ ଜଗତରୁ ହିଁ ସାହିତ୍ୟର ଉପାଦାନ ପାଇଛନ୍ତି। ସେ ଭକ୍ତି ଚେତନାର ଅନ୍ବେଷଣ ବି କରିଛନ୍ତି। ଏବଂ ଜଣେ ଭଲ ମଣିଷର ସଂଜ୍ଞା ଉପସ୍ଥାପନ କରିଛନ୍ତି ବୋଲି ଡ. ନାୟକ ମତବ୍ୟକ୍ତ କରିଥିଲେ। ସଭାର ଅଧ୍ୟକ୍ଷତା କରି ‘ସମ୍ବାଦ’ର ସଂପାଦକ ‌ସୌମ୍ୟରଂଜନ ପଟ୍ଟନାୟକ ଭାଷା, ସଂସ୍କୃତିର ସୁରକ୍ଷା ଦିଗ ଉପରେ ଗୁରୁତ୍ବାରୋପ କରିଥିଲେ।

ଯୁବପିଢ଼ି ଅନ୍ୟ ଭାଷା ପ୍ରତି ଆକର୍ଷିତ ହୋଇ ନିଜ ମାତୃଭାଷାକୁ ହେୟଜ୍ଞାନ କରୁଥିବାରୁ ଶ୍ରୀ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ମାତୃଭାଷାକୁ ଆୟତ୍ତ କଲେ ହିଁ ଅନ୍ୟ ଭାଷା ପ୍ରତି ସାମର୍ଥ୍ୟ ବଢ଼ିବ ବୋଲି ସେ କହିଥିଲେ। ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଅତ୍ୟାଧୁନିକ ଜ୍ଞାନକୌଶଳର ବହୁଳ ବ୍ୟବହାର ସତ୍ବେ ମାତୃଭାଷାର ସୁରକ୍ଷା ଦିଗରେ ଚିନ୍ତାର କରିବାର ସମୟ ଆସିଛି।  ଭାଷାର ଅକାଳ ମୃତ୍ୟୁକୁ ଏଡ଼ାଇବା ପାଇଁ ଥିବା ଯୋଦ୍ଧାଙ୍କ ମଧ୍ୟରେ ଗଂଗାଧର ଅନ୍ୟତମ। ତେଣୁ ଗଂଗାଧରଙ୍କୁ ଯୁବପିଢ଼ି ପ୍ରଥମେ ଭଲରେ ଚିହ୍ନିବା ଦରକାର। ଏଥି ସକାଶେ ଅଭିଭାବକମାନଙ୍କୁ ସ‌ଚେନତ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

‘ସମ୍ବାଦ’ର ବାର୍ତା ସଂପାଦକ ଅରବିନ୍ଦ ଦାସ ନିଜ ସ୍ବାଗତ ଭାଷଣରେ ଗଂଗାଧରଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉ‌‌ଲ୍ଲେଖ କରିବାକୁ ଆହ୍ବାନ ଦେଇଥିଲେ। କବି ନିଜ ଆଚରଣ, ଉଚ୍ଚାରଣ ଏବଂ ଜୀବନ ଶୈଳୀ ଜରିଆରେ ଜଣେ ‘ଭଲ ମଣିଷ’ର ସଂଜ୍ଞା ସକାଶେ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି ବୋଲି ଶ୍ରୀ ଦାସ ନିଜ ସଂକ୍ଷିପ୍ତ ଅଭିଭାଷଣରେ କହିଥିଲେ। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତା) ସୁବ୍ରତ ନାୟକ ଅତିଥି ପରିଚୟ, ମୁଖ୍ୟ ସହସଂପାଦକ ଲକ୍ଷ୍ମୀନାରାୟଣ ହୋତା ଅତିଥିଙ୍କୁ ମଂଚକୁ ଆବାହନ କରିଥିଲେ। ଏହି ଅବସରରେ ‘ଜୁଗାର୍‌’ର ସ୍ବତନ୍ତ୍ର ସଂଖ୍ୟା, ରୋହିତ ଦାଶଙ୍କ କବିତା ପୁସ୍ତକ ‘ଭାଗାଂଶ’ ଓ ‘ଆଦ୍ୟ ଅକ୍ଷର’, ହରିଚରଣ ଖଟୁଆଙ୍କ କବିତା ପୁସ୍ତକ ‘ସ୍ରୋତସ୍ବତୀ’କୁ ମଂଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ଏଜିଏମ୍‌ ଗଜେନ୍ଦ୍ରନାଥ ମଲ୍ଲିକ ସଂଯେଜନା କରିଥିଲେ।

ପ୍ରାରମ୍ଭରେ ଲିଟିଲ୍‌ ଏଞ୍ଜେଲ ପବ୍ଲିକ୍‌ ସ୍କୁଲର ଛାତ୍ରୀ ଶୀୟା ପଦାନ, କ୍ରିତିକା ହୋତା, ରିତିଶ୍ରୀ ବେହେରା, ସ୍ବର୍ଣ୍ଣିକା ମେହେର, ବର୍ଣ୍ଣାଲି ସାହୁ, ଶ୍ରଦ୍ଧାଞ୍ଜଳି ଦାଶ, ସ୍ନିଗ୍ଧାରାଣୀ ନାୟକ, ପ୍ରିୟମ୍ବଦା ସୁନା, ନନ୍ଦିନୀ ବିଶ୍ବାଳ, ଶ୍ରଦ୍ଧାସୁମନ ଦୀପ, ସୁହ‌ାନା ଜାଲ, ଏଞ୍ଜେଲିନା ପଧାନ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷୟତ୍ରୀ ସ୍ବପ୍ନାରାଣୀ ତ୍ରିପାଠୀ ଏକକ ସଂଗୀତ ଏବଂ ଛାତ୍ରୀ ସ୍ନେହା ମାଝୀ, ସିମ୍‌ରନ୍‌ ସ୍ବାଇଁ, କୁସୁମ ସେଠ୍‌, ଲିପ୍‌ସାରାଣୀ ଦୀପ ଓ ରେଶନି ସେଠ୍‌ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ବାନ୍ଧଶିଳ୍ପୀ ମକରଧ୍ବଜ ମେହେର ଓ ପତ୍ନୀ ସୁକାନ୍ତି ମେହେର ବାନ୍ଧକଳାରେ ପ୍ରସ୍ତୁତ ଶ୍ରୀଜଗନ୍ନାଥଙ୍କ ପ୍ରତିଛବିକୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଭେଟି ଦେଇଥିଲେ। ଶେଷରେ ସମ୍ବାଦର ବରପାଲି ପ୍ରତିନିଧି ପଦ୍ମଲୋଚନ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର