ରାଉରକେଲା: କୁଆରମୁଣ୍ଡା ଚାର୍ଡିହରିହରପୁରସ୍ଥ ଆଧୁନିକ ମେଟାଲିକ୍ସ କାରଖାନାକୁ ୪୨୦ କୋଟିରେ କିଣିଥିବା ଲିବର୍ଟି ହାଉସ୍‌ ବିକିବାକୁ ଯାଉଛି। ଶାଗମାଛ ଦରରେ କିଣି ୧୭୦୦ କୋଟି ଟଙ୍କାରେ ବିକିବାକୁ ଯାଉଥିବାରୁ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କମ୍ପାନୀର ଭାରତ ମୁଖ୍ୟ କ୍ଷତିର ଆଳ ଦେଖାଇ ଅନ୍ୟକୁ ବିକିଦେବାକୁ ମସୁଦା ଚଳାଇଛି। କେବଳ ଏତିକି ନୁହେଁ କାରଖାନାକୁ ବିକିବା ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ଜଣେ ପରେ ଅଧିକାରୀଙ୍କୁ ଛଟେଇ କରିବା ଆରମ୍ଭ କରି ଦେଇଛି। ଗତ ମାସକ ମଧ୍ୟରେ କମ୍ପାନୀ ପ୍ରାୟ ୧୫ରୁ ଅଧିକ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରିସାଲାଣି। ଆଗାମୀ ଦିନରେ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଛଟେଇ କରିବାକୁ ତାଲିକା ପ୍ରସ୍ତୁତ ସରିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ଲିବର୍ଟି ହାଉସ୍‌ କାରଖାନାର ୧୫ ଟି ୟୁନିଟ୍‌ରୁ ଜାଣିଶୁଣି ମାତ୍ର ଗୋଟିଏ ୟୁନିଟ୍‌ ଚଳାଉଛି। ଅନ୍ୟ ୧୪ଟି ୟୁନିଟ୍‌ ବର୍ଷ ବର୍ଷ ଧରି ସେମିତି ପଡ଼ିଛି। ଯେଉଁ ଗୋଟିଏ ୟୁନିଟ୍‌ ଚାଲୁଛି, ତାକୁ ଲିବର୍ଟି ହାଉସ୍‌ ନିଜେ ନ ଚଳାଇ ଗଣେଶ ମେଟାଲିକ୍ସକୁ ଟେକିଦେଇଛି।

Advertisment

ବନ୍ଦ ପଡ଼ିଥିବା ଅନ୍ୟ ୟୁନିଟ୍‌ ଗୁଡ଼ିକ ମଧ୍ୟରେ ରହିଛଇ ପାୱାର ପ୍ଲାଣ୍ଟ, ମିନି ବ୍ଳାଷ୍ଟ ଫର୍ଣ୍ଣେସ (ଏମ୍‌ବିଏଫ୍‌), ସିଣ୍ଟର ପ୍ଲାଣ୍ଟ (ସିଟି), ଷ୍ଟିଲ ମେଲ୍‌ଟି ସପ୍‌ (ଏମ୍‌ଏମ୍‌ଏସ୍‌) -୧ ଓ ଏସ୍‌ଏମ୍‌ଏସ୍‌ -୨, ଅକ୍ଦିଜେନ୍‌ ପ୍ଲାଣ୍ଟ, ଲାଇମ୍‌ ପ୍ଲାଣ୍ଟ, ଷ୍ଟିଲ ପ୍ଲାଣ୍ଟ, ରୋଲିଂ ମିଲ୍‌ -୧ ଓ ୨। ସେମିତି ବେଦବ୍ୟାସ ଡିଆର୍‌ଆଇ -୨, ଫେରୋ ଆଲୟଜ୍‌ ଡିଭିଜନ୍‌ (ଏଫ୍‌ଏଡ଼ି), କୋକୋଭେନ୍‌, କ୍ରସର ୟୁନିଟ୍‌ ଓ ବାଇ୍‌ ପ୍ରଡକ୍ଟ ପ୍ଲାଣ୍ଟ। କମ୍ପାନୀ ବରିଷ୍ଠ ଅଧିକାରୀ ପ୍ରତି ୨/୩ ମାସରେ କାରଖାନା ପରିଦର୍ଶନରେ ଆସୁଛନ୍ତି। ବନ୍ଦ ପଡ଼ିଥିବା ୟୁନିଟ୍‌ଗୁଡ଼ିକୁ ପର୍ଯ୍ୟାୟକ୍ରମେ ଚଳାଇବାକୁ କର୍ମଚାରୀ ଓ ଶ୍ରମିକମାନଙ୍କୁ ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି। ଆଜି ପର୍ଯ୍ୟନ୍ତ ୧୪ଟିରୁ ଗୋଟିଏ ୟୁନିଟ୍‌ କାର୍ଯ୍ୟକ୍ଷମ କରିବାକୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଲିବର୍ଟି ହାଉସ୍‌ କେବଳ ଆଧୁନିକ ମେଟାଲିକ୍ସ କାରଖାନା ନୁହେଁ ବରଂ ଆନ୍ଧ୍ରପ୍ରଦେଶର ଭାଇଜାଜ୍‌ରେ ଥିବା କାରଖାନାକୁ ମଧ୍ୟ ବିକିଦେବାକୁ ଚକ୍ରାନ୍ତ ଚଳାଇଛି।

କମ୍ପାନୀ ମାଲିକ ଓ ଭାରତ ମୁଖ୍ୟ ଭିତରି ସଲାସୁତୁରା କରି ଆଧୁନିକ ମେଟାଲିକ୍ସ ଓ ଭାଇଜାକ୍‌ରେ କାରଖାନାକୁ ଆଧୁନିକ ମେଟାଲିକ୍ସ ପରି କ୍ଷତିର ଆଳ ଦେଖାଇ ବିକ୍ରି କରିଦେବାକୁ ପ୍ରକ୍ରିୟା ଆରମ୍ଭ କରିଥିବା କର୍ମଚାରୀମାନେ କହିଛନ୍ତି। କେବଳ ଏତିକି ନୁହେଁ କମ୍ପାନୀକୁ କାରଖାନା ପ୍ରତିଷ୍ଠା ପାଇଁ ସରକାର ଯେତିକି ଜମି ଦେଇଥିଲେ, ତା’ର ପ୍ରାୟ ଏକ ତୃତୀୟାଂଶ ଘରୋଇ ଓ ସରକାରୀ ଜମିକୁ ମାଡ଼ି ବସିଛନ୍ତି। ଜମି ହରାଥିବା ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ କୁଆରମୁଣ୍ଡା ତହସିଲ ଲିବର୍ଟି ହାଉସ୍‌ ମାଲିକଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ମାଡ଼ିବସିଥିବା ସରକାରୀ ଜମି କେମିତି ସରକାରୀ ଖାତାକୁ ଆସିବ ? ଘରୋଇ ଜମିକୁ ସେମାନଙ୍କୁ ଫେରାଇ ଦିଆଯିବ, ଏଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ।