୩୦ବର୍ଷ ପରେ ବି ୭୬ ଆସିଛନ୍ତି ବିଧାନସଭା, ୧୨ ଯାଇଛନ୍ତି ରାଜ୍ୟସଭା
ଚଳିତ ବିଧାନସଭାରେ ବି ମାତ୍ର ୧୫ଜଣ ମହିଳା ସଭ୍ୟା ଅଛନ୍ତି
ମହିଳାଙ୍କୁ ସାମ୍ନାରେ ରଖି ପରିବାର, ସଂପର୍କୀୟ କରୁଛନ୍ତି ଶାସନ
ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ): ପାଞ୍ଚ କି ଦଶ ନୁହେଁ, ପୂରା ପଚାଶ ପ୍ରତିଶତ ମହିଳା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚନ ରାଜନୀତିକୁ ଓହ୍ଲାଇବାକୁ ଯାଉଛନ୍ତି। ଅର୍ଥାତ୍ ପାଖାପାଖି ୫୦ ହଜାରରୁ ଅଧିକ ମହିଳା (୫୩ହଜାର ୧୭୬) ପ୍ରତିନିଧି ଏବେ ଲୋକଙ୍କର ପ୍ରତ୍ୟକ୍ଷ ସେବା କରିବାକୁ ସାମ୍ନାକୁ ଆସିବେ।
ରାଜ୍ୟ ସରକାର ମହିଳା ସଶକ୍ତୀକରଣକୁ ଜୋର ଦେଉଛନ୍ତି। ରାଜ୍ୟରେ ପାଖାପାଖି ୭ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ୭୦ଲକ୍ଷ ମହିଳାଙ୍କୁ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ସଶକ୍ତ କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଯଦିଓ ଜିଲ୍ଲା ପରିଷଦ ଛାଡିଦେଲେ ଆଉ କୌଣସି ନିର୍ବାଚନ ଦଳୀୟ ଭିତ୍ତିରେ ହେଉନାହିଁ, ତଥାପି ରାଜ୍ୟବାସୀ ଅପେକ୍ଷା କରିଛନ୍ତି ଯେ ଏଥର ପ୍ରମୁଖ ରାଜନୈତିକ ଦଳ କେଉଁ ଭଳି ମହିଳା ପ୍ରାର୍ଥୀ (ଜିଲ୍ଲା ପରିଷଦ କ୍ଷେତ୍ରରେ)ଙ୍କୁ ଟିକେଟ୍ ଦେଉଛନ୍ତି ଏବଂ ଏହି ଦଳର ସମର୍ଥକମାନେ କେଉଁଭଳି ନେତ୍ରୀଙ୍କୁ ସମର୍ଥନ ଦେଇ ନିର୍ବାଚନ ବୈତରଣୀ ପାର କରାଉଛନ୍ତି। ଅର୍ଥାତ୍ ପଞ୍ଚାୟତ ନିର୍ବାଚନରେ ଏଥର ଦକ୍ଷ ମହିଳା ପ୍ରତିନିଧି ନିର୍ବାଚିତ ହେବେ ନା ସେମାନଙ୍କ ନାମରେ ତାଙ୍କ ପରିବାର, ପତ୍ନୀ ବା ତୋଷାମଦକାରୀମାନେ ଶାସନ କରିବା ଲାଗି ପୂର୍ବଭଳି ରାସ୍ତା ଖୋଲାରହିବ?
ବର୍ତମାନ ସୁଦ୍ଧା କୌଣସି ଦଳ ଏ ସଂପର୍କରେ ଦୃଢ ମତପୋଷଣ କରିନାହାନ୍ତି। ଏପରିକି ବିଜେଡି ବି ନୁହେଁ। ଏଣୁ ମହିଳା ନେତୃତ୍ବ ପ୍ରତି କାହାର କେତେ ଆନ୍ତରିକତା ରହିଛି, ତାହା ଏହି ନିର୍ବାଚନ ସମୟ ଓ ପରେ ରାଜନୈତିକ ଦଳ ପାଇଁ ବଡ ପ୍ରସଙ୍ଗ ଭାବେ ଉଭା ହେବ ବୋଲି ବୁଦ୍ଧିଜୀବୀ ମହଲ ମତ ରଖିଲେଣି। ଏଇଥିପାଇଁ ଯେ ୩୦ବର୍ଷ ତଳୁ ପଞ୍ଚାୟତରେ ମହିଳା ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଛି ଓଡ଼ିଶା। ୧୯୯୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପଞ୍ଚାୟତ ଓ ପୌର ସଂସ୍ଥାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ଆସନ ସଂରକ୍ଷଣ କରି ସାରା ଭାରତରେ ଚର୍ଚ୍ଚାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ରେ ଆଉ ପାଦେ ଆଗକୁ ଯାଇ ପଞ୍ଚାୟତ ଓ ପୌରସଂସ୍ଥାରେ ୫୦ ପ୍ରତିଶତ ଆସନ ମହିଳାଙ୍କ ଲାଗି ସଂରକ୍ଷଣ ହେବ ବୋଲି ଘୋଷଣା କରି ଏ କ୍ଷେତ୍ରରେ ପୁଣି ଏକ ରେକର୍ଡ କରିଛନ୍ତି।
ହେଲେ ଗତ ତିରିଶ ବର୍ଷ ଧରି ରାଜ୍ୟ ଶାସନରେ କିନ୍ତୁ ମହିଳା ନେତୃତ୍ବକୁ ଯେତିକି ଗୁରୁତ୍ବ ମିଳିବା କଥା ତାହା ପରିଲକ୍ଷିତ ହୋଇପାରିନାହିଁ। ବିଭିନ୍ନ ରାଜନୈତିକ ଦଳ ଯେଉଁ ମହିଳା ପ୍ରତିନିଧିଙ୍କୁ କ୍ଷମତା ରାଜନୀତିକୁ ଆଣୁଛନ୍ତି, ନିର୍ବାଚନ ଭୋଟ ଫଳାଫଳ ପରେ ତାଙ୍କୁ ସଙ୍କୁଚିତ କରିଦିଆଯାଉଛି। ଏମିତି ଯେ ସରପଞ୍ଚଙ୍କ ସ୍ଥାନରେ ତାଙ୍କ ସ୍ବାମୀ ବା ସଂପର୍କୀୟ ପଞ୍ଚାୟତ, ବ୍ଲକ ଅଫିସରେ ମାମଲାତକାର ସାଜୁଛନ୍ତି ଏବଂ ଅଦୃଶ୍ୟରେ ରହି ଶାସନ କ୍ଷମତା ଉପଭୋଗ କରୁଛନ୍ତି। ଠିକ୍ ସେମିତି ବିଧାନସଭା ଓ ଲୋକସଭା କ୍ଷେତ୍ରରେ ବି ଅନେକ ପରିବାର ମହିଳା ପ୍ରତିନିଧିଙ୍କ ସାମ୍ନାକୁ ଆସି ରାଜନୀତି ଓ ପ୍ରଶାସନକୁ ନିୟନ୍ତ୍ରଣ କରୁଥିବା ଉଦାହରଣ ରାଜ୍ୟରେ କିଛି କମ୍ ନାହିଁ।
ଏ କ୍ଷେତ୍ରରେ ଓଡ଼ିଶା ରାଜନୀତି ଇତିହାସକୁ ପର୍ଯ୍ୟାଲୋଚନା କଲେ ଯେଉଁ ତଥ୍ୟ ମିଳୁଛି, ତାହା ଆନ୍ଦୋଳିତ କଲାଭଳି। ଯଦିଓ ଓଡ଼ିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏତେସବୁ କଥା କରୁଛି, ନିଜେ ମୁଖ୍ୟମନ୍ତ୍ରୀ ସଂସଦରେ ୩୩ ପ୍ରତିଶତ ଆସନ ସଂରକ୍ଷଣ କଥା କହି ଜାତୀୟ ରାଜନୀତିରେ ନିଜକୁ ସ୍ବତନ୍ତ୍ର ବୋଲି ପ୍ରତିପାଦିତ କରିଛନ୍ତି, ପରିସଂଖ୍ୟାନ କିନ୍ତୁ ଭିନ୍ନ କଥା କହୁଛି। ୨୦୧୯ରେ ଓଡ଼ିଶା ବିଧାନସଭାକୁ ମାତ୍ର ୧୫ ଜଣ ମହିଳା ନିର୍ବାଚିତ ହୋଇଛନ୍ତି। ଗତ ୩୦ବର୍ଷ ଧରି ରାଜ୍ୟରେ ପଞ୍ଚାୟତସ୍ତରରେ ମହିଳା ସଂରକ୍ଷଣକୁ ଅଗ୍ରାଧିକାର ଦିଆଯାଉଥିଲେ ହେଁ, ବିଧାନସଭା ରେକର୍ଡ ଅନୁସାରେ ଏଯାଏ ମାତ୍ର ୭୬ ଜଣ ମହିଳା ପ୍ରତିନିଧିଙ୍କୁ ଓଡ଼ିଶା ପ୍ରତିନିଧିତ୍ବ କରିବା ପାଇଁ ବିଧାନସଭାକୁ ପଠାଇଛି। ରାଜ୍ୟସଭା କ୍ଷେତ୍ରରେ ମଧ୍ୟ ମହିଳା ନେତୃତ୍ବକୁ ଆବଶ୍ୟକ ଗୁରୁତ୍ବ ଓଡ଼ିଶା ରାଜନୀତିରେ ମିଳିପାରିନାହିଁ। ରେକର୍ଡ ଅନୁସାରେ ଏଯାଏ ମାତ୍ର ୧୨ ଜଣ ମହିଳା ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏଥର ବିଜେଡି ଲୋକସଭାରେ ୩୩ ପ୍ରତିଶତ ଆସନ ଅର୍ଥାତ୍ ୭ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା। ସମ୍ଭବତଃ ଏହି କାରଣରୁ ଓଡ଼ିଶାରୁ ୭ ଜଣ (ବିଜେପିର ଅପରାଜିତାଙ୍କୁ ମିଶାଇ) ମହିଳା ସାଂସଦ ଏବେ ପ୍ରତିନିଧିତ୍ବ କରୁଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ଯଦି ପୂରା ଓଡ଼ିଶା ମହିଳାଙ୍କ ପ୍ରତି ଏତେ ସମ୍ବେଦନଶୀଳଏବଂ ରାଜ୍ୟ ସରକାର ମହିଳାଙ୍କୁ ସାମ୍ନାକୁ ଆଣିବା ଲାଗି ଏତେ ଯୋଜନା କରୁଛନ୍ତି; ତେବେ ଏହି ପରିସଂଖ୍ୟାନ କି ସଙ୍କେତ ଦେଉଛି? ରାଜ୍ୟ ସରକାରଙ୍କ ବାମ ହାତ ଯାହା କରୁଛି, ସମ୍ଭବତଃ ଡାହାଣ ହାତ ଜାଣିପାରୁନାହିଁ କି? ଆହୁରି ସ୍ପଷ୍ଟ ଭାବେ କହିଲେ ରାଜନୈତିକ ନେତାମାନଙ୍କ ଆଚରଣ ଓ ଉଚ୍ଚାରଣରେ ଯୋଜନ ଯୋଜନ ଦୂରତ୍ବ ରହିଛି କି?
ଏବେ ପୁଣି ଥରେ ଯେବେ ପଞ୍ଚାୟତ ନିର୍ବାଚନ ପାଇଁ ଟିକେଟ୍ ଚୟନ ହେଉଛି, ସେବେ ରାଜନୈତିକ ଦଳର ନେତାମାନେ କି ସଂକଳ୍ପ ନେଇଛନ୍ତି, ମହିଳାଙ୍କ କ୍ଷେତ୍ରରେ ସେମାନଙ୍କ ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ହେବା ଦରକାର। ସର୍ବୋପରି ବିଜୁ ଜନତା ଦଳ କେଉଁଭଳି ମହିଳାଙ୍କୁ ନିର୍ବାଚନ ରାଜନୀତିକୁ ଆଣୁଛି, ତା ଉପରେ ପୂରା ରାଜ୍ୟର ନଜର ରହିଛି।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି ଯେ ମହିଳା ସଂରକ୍ଷଣ ବ୍ୟବସ୍ଥା ଥିଲେ ହେଁ ରାଜନେତାମାନେ ସେମାନଙ୍କୁ ରାସ୍ତା ଛାଡିବାକୁ ନାରାଜ। ଗୋଟିଏ ପଟେ ମହିଳା ଅସୁରକ୍ଷିତ, ଅବହେଳିତ, ନାରୀ ପଛୁଆ ଆଦି କହି ରାଜନୈତିକ ଦଳମାନେ ସରକାରକୁ ଘେରୁଛନ୍ତି। ଭୋଟବ୍ୟାଙ୍କ ପ୍ରସ୍ତୁତ କରୁଛନ୍ତି। ସେପଟେ ମହିଳା ପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ, ମର୍ଯ୍ୟାଦା ଓ ସୁଯୋଗ ନ ଦେଇ ରାଜନୀତିରେ ଚାପି ଦେଉଛନ୍ତି। ଯେଉଁ ସବୁ ଆସନ ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଉଛି, ସେଠାରେ ସଂପୃକ୍ତ ଅଞ୍ଚଳର କ୍ଷମତାଶାଳୀ ନେତାମାନେ ନିଜ ପରିବାର କିମ୍ବା ସଂପର୍କୀୟ ବା ତୋଷାମଦକାରୀଙ୍କୁ ଟିକେଟ୍ ଦେବା ଲାଗି ଲବି କରି ସଫଳ ହେଉଛନ୍ତି। ଶାସକ ବିଜୁ ଜନତା ଦଳ ହେଉ କିମ୍ବା ବିଜେପି ଅଥବା କଂଗ୍ରେସ କେହି ଏ କ୍ଷେତ୍ରରେ ଗୋଟିଏ ସ୍ପଷ୍ଟ ବା ଦୃଢ ଆଭିମୁଖ୍ୟ ଗ୍ରହଣ କରିପାରିନାହାନ୍ତି। ପରୋକ୍ଷରେ ରାଜନୈତିକ ଦଳମାନେ ୫୦ ପ୍ରତିଶତ ନେତୃତ୍ବକୁ ଉପେକ୍ଷା କରି ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି।
ଉଲ୍ଲେଖଥାଉକି, ପୂରା ଦେଶର ଶିକ୍ଷିତ ସମାଜ ନିକଟରେ ଆମେରିକାରେ ନିର୍ବାଚିତ ହୋଇଥିବା କମଳା ହାରିସଙ୍କୁ ନେଇ ପ୍ରଶଂସାରେ ଶତମୁଖ ହୋଇପଡ଼ିଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ହେଲା, ଆଜି ଦିନରେ ମାତ୍ର ୧୪ ପ୍ରତିଶତ ମହିଳା ସଂସଦକୁ ପ୍ରତିନିଧିତ୍ବ କରୁଛନ୍ତି। ଭାରତର ସମୁଦାୟ ପଞ୍ଚାୟତ ପ୍ରତିଷ୍ଠାନର ୪୬ ପ୍ରତିଶତ ମହିଳା ବୋଲି କୁହାଯାଉଛି । ଓଡ଼ିଶା ସମେତ ୨୦ଟି ରାଜ୍ୟ ଏବେ ପଞ୍ଚାୟତରେ ସେମାନଙ୍କ ୫୦ ପ୍ରତିଶତ ଆସନ ମହିଳାଙ୍କ ଲାଗି କରିଛନ୍ତି। ଅଥଚ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଲା, କେନ୍ଦ୍ର ସରକାର କିମ୍ବା ଓଡ଼ିଶା ସମେତ କୌଣସି ରାଜ୍ୟ ସରକାର ମନ୍ତ୍ରିମଣ୍ଡଳରେ ସେମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ବ ଦେବାକୁ ଗୁରୁତ୍ବ ମଣିନାହାନ୍ତି। ଓଡ଼ିଶାରେ ଶାସକ ବିଜେଡି ମଧ୍ୟ ଏକ୍ଷେତ୍ରରେ କିଛି ଉଦାହରଣ ରଖିପାରିନାହିଁ।