କେବଳ ଗୁଣାତ୍ମକ ଚାଉଳ ଉପରେ ଏଫସିଆଇର ନଜର

ମଣ୍ଡିରୁ ଧାନ ଉଠା ଟାର୍ଗେଟ ଫେରା‌ଉଛନ୍ତି ମିଲର

ଜୟପୁର: ମିଲରମାନେ ମଣ୍ଡିରୁ ଧାନନେଇ  ଏହା ବଦଳରେ ଦେଉଥିବା ଚାଉଳରେ ଗୁଣାତ୍ମକ (କ୍ବାଲିଟି) ନଥିଲେ ଏଫସିଆଇ (ଫୁଡ କରଫରେସନ୍ ଅଫ ଇଣ୍ଡିଆ) ଗ୍ରହଣ କରୁନି। ଚାଉଳରେ କଳା ଚିହ୍ନ ଥିବା(ଡ୍ୟାମେଜ), ରଂଗ ବେରଂଙ୍ଗୀ(ଡିସକଲର) ଥିଲେ କିମ୍ବା ଖୁଦ(ବ୍ରୋକେନ୍) ଅଂଶ ଅଧିକା ରହିଥିଲେ ଏଫସିଆଇ ଚାଉଳ ନେବାକୁ ସିଧାସଳଖ ଭାବେ ମନା କରୁଛି।

ଏହି ସ୍ଥିତିରେ ଜିଲ୍ଲାରୁ କିଣା ଯାଇଥିବା ଧାନ ଅନୁଯାୟୀ ମିଲର୍ସମାନେ ଚାଉଳ ଯୋଗାଇବା ଏବେ କମି ଯାଇଛି। ରାଜ୍ୟସରକାର ମିଲର୍ସମାନେ  ନେଇଥିବା ଧାନ ଅନୁଯାୟୀ କାହିଁକି ଚାଉଳ ଯୋଗାଉନାହାନ୍ତି ବୋଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି କରିଛନ୍ତି। ଅନ୍ୟ ପକ୍ଷରେ  ମଣ୍ଡିରେ ଥିବା ବଳକା ଧାନ ଉଠାଇବାକୁ ମନା କରି ମିଲର୍ସ ମାନେ ନିଜ ନିଜ ଟାର୍ଗେଟ ଜିଲ୍ଲା ଯୋଗାଣ ବିଭାଗକୁ ଫେରାଇଛନ୍ତି।

ଚାଉଳ ମିଲରୁ ଭଡା ଟ୍ରକ ଓ ଭ୍ୟାନରେ ଉମୁରୀ ଏଫସିଆଇ ଗୋଦାମକୁ ନେବା ପରେ ସେଠାରେ ଚାଉଳକୁ ପରୀକ୍ଷା କରିବା ପରେ ଗୁଣାତ୍ମକ ନଥିବା ବାହାନା କରି ଫେରାଉଛି ବୋଲି ଅଭିଯୋଗ କରିଛନ୍ତି ମିଲର। ଏହା ଫଳରେ ଭଡା ବି ଅଧିକା ଲାଗୁଛି। ପରୀକ୍ଷଣ ଯନ୍ତ୍ରରେ ୧ପ୍ରତିଶତ ଆସୁଥିଲେ ହେଁ ଅଧିକାରୀମାନେ ନିଜେ ପରୀକ୍ଷା କରି ୩ ପ୍ରତିଶତ ଉପରେ ରହିଥିବା ଦର୍ଶାଇ ଧାନକୁ ଫେରାଉଥିବା ଅଭିଯୋଗ କରିଛନ୍ତି ମିଲର୍ସ। କିଛି ମିଲର୍ସ ବିଭିନ୍ନ ମଣ୍ଡିରୁ ଧାନ ଉଠାଇ‌ବାକୁ ନେଇଥିବା ଟାର୍ଗେଟକୁ ବି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ସରେଣ୍ଡର କରିଥିବା ଦେଖିବାକୁ ମିଳିଛି।

ମଣ୍ଡିକୁ ଠିକ ଧାନ ଆସୁନି। ମିଲର୍ସଙ୍କ ନିକଟରେ ଥିବା ମିଲ ଗୁଡିକରେ ଲାଗିଥିବା ଯନ୍ତ୍ରାଂଶ ଅନୁଯାଇ ଏଫସିଆଇ ଚାହୁଁଥିବା ଭଳି ଗୁଣାତ୍ମକ ଚାଉଳ ବାହାରିବା ମୁସ୍କିଲ ବୋଲି ମିଲରମାନେ କହିଛନ୍ତି। ଏଭଳି ଗୁଣାତ୍ମକ ଚାଉଳ ବାହାରିବାକୁ ଥିବା ସର୍ଟେକ୍ସ ଯନ୍ତ୍ରାଂଶ ଜୟପୁରରେ ୪ରୁ ୫ଟି ମିଲରେ ହିଁ ରହିଛି। ଗୋଟିଏ ପଟେ ମଣ୍ଡିରେ ଚାଷୀଙ୍କ ଚାପ, ଅନ୍ୟ ପଟେ ପ୍ରବଳ ବର୍ଷାରେ ଓଦା ଧାନକୁ କିଣାଯାଉଛି। ଫଳରେ ପରବର୍ତ୍ତୀ ସମୟରେ ଗୁଣାତ୍ମକ ଚାଉଳ ବାହାରିବା ମୁସ୍କିଲ ବୋଲି କହିଛନ୍ତି ମିଲର୍ସ।

କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ ଏବଂ ଗାଇଡ୍ ଲାଇନ୍ ମୁତାବକ ହିଁ ଚାଉଳର ଗୁଣାତ୍ମକ ଓ ଗୁଣବତ୍ତା ଥିବା ଚାଉଳ ରଖାଯାଉଛି ବୋଲି ଏଫସିଆଇର ଅଧିକାରୀ କହିଛନ୍ତି। ଏହାରି ମଧ୍ୟରେ ୩୫ଟି ମିଲର୍ସଙ୍କ ନିକଟରୁ  ୮୪ ଲୋଡ ୨୪ହଜାର ୩୬୦କୁଇଣ୍ଟାଲ ଚାଉଳ ରଖାଯାଇଛି ବୋଲି ଏଫସିଆଇ ପକ୍ଷରୁ କୁହାଯାଇଛି। ଏହି ସ୍ଥିତିରେ ଜିଲ୍ଲାର ମଣ୍ଡିରୁ ଧାନ କିଣା ସହ କିଭଳି ଧାନ ଉଠିବ ଏବଂ ଗୁଣାତ୍ମକ ତଥା ଗୁଣବତ୍ତା ଥିବା ଚାଉଳ ମିଲର ମାନେ ଏଫସିଆଇକୁ ଦେବା ଆରମ୍ଭ କରିବେ ସେ ଚିନ୍ତାରେ ପଡ଼ିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ସମ୍ବନ୍ଧିତ ଖବର