ବୀରମହାରାଜପୁର: ବାପାଙ୍କ ଦେହ ଖରାପ ଶୁଣି ସୁଦୂର ବେଙ୍ଗାଲୁରୁ ଠାରୁ ଘରକୁ ଆସିଥିଲେ। କିନ୍ତୁ ବାପାଙ୍କ ସେବାଯତ୍ନ କରିବା ପରିବର୍ତ୍ତେ ସରକାରୀ କଟକଣା ଯୋଗୁଁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ହେଲା। ଏକମାତ୍ର ପୁଅ ସେଠାରେ ଥିବାବେଳେ ବାପାଙ୍କର ପରଲୋକ ହୋଇଗଲା। ସେ ମୁଖାଗ୍ନି ଦେଇପାରିଲେନି। ଏବେ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଘରକୁ ଯିବାକୁ ପ୍ରଶାସନକୁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି, ଅନୁମତି ମିଳିବ କି ନାହିଁ ସନ୍ଦେହ। ଏହି କରୁଣ ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ଅଂଚଳରେ।
ସୂଚନା ଅନୁସାରେ, ବହଳପଦର ପଞ୍ଚାୟତ ଅନ୍ତର୍ଗତ ଶରଧାପାଲି ଗାଁର ପ୍ରଭୁ ମିଂଜ ବେଙ୍ଗାଲୁରୁର ଏକ ଇଟାଭାଟିରେ କାମ କରୁଥିଲେ। ତେବେ କିଡନି ରୋଗରେ ଆକ୍ରାନ୍ତ ଥିବା ତାଙ୍କ ବାପାଙ୍କ ଦେହ ହଠାତ ଅଧିକ ଖରାପ ହେବା ଶୁଣି ସେ ଗାଁକୁ ଆସିଥିଲେ। ହେଲେ କରୋନା କଟକଣା ଯୋଗୁଁ ତାଙ୍କୁ ଗାଁରେ ପୂରେଇ ଦିଆଗଲା ନାହିଁ। ବାପାଙ୍କ ସେବାଯତ୍ନ କରିବା ପରିବର୍ତ୍ତେ ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ହେଲା। ସେ ସେଇଠି ଥିବା ଅବସ୍ଥାରେ ୩ ଦିନ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଗଲା। ସେ କ୍ୱାରେଣ୍ଟାଇନ୍ରେ ଥିବାରୁ ତାଙ୍କ ବାପାଙ୍କ ଶବଦାହ ମଧ୍ୟ କରି ପାରି ନଥିଲେ। ଇତିମଧ୍ୟରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ୧୮ ଦିନ ବିତାଇ ସାରିଲେଣି। ଏବେ ବାପାଙ୍କ ଶୁଦ୍ଧକ୍ରିୟା କରିବାକୁ ଘରକୁ ଛାଡ଼ିବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ତାଙ୍କୁ କ୍ୱାରେଣ୍ଟାଇନ୍ରୁ ଛାଡିବାକୁ ତାଙ୍କ ବିଧବା ମାଆ ଗାନ୍ଦ ମିଂଜ ମଧ୍ୟ ପ୍ରଶାସନକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/coronavirus_10.jpg)