ମାଲକାନଗିରି: ଜିଲ୍ଲାର ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳରେ ରହିଥିବା ବିଦ୍ୟାଳୟଗୁଡିକର ଅବସ୍ଥା ନଦେଖିଲେ ବିଶ୍ବାସ କରିହେବ ନାହିଁ। ସ୍କୁଲ ଥିଲେ ଶିକ୍ଷକଙ୍କ ଦେଖା ମିଳୁନଥିବା ବେଳେ ଶିକ୍ଷକ ଆସୁଥିଲେ ଶ୍ରେଣୀ ଗୃହର ସମସ୍ୟା ଲାଗି ରହିଥାଏ। ଏଭଳି ଏକ ବିଦ୍ୟାଳୟ ହେଉଛି ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ କୁରମାନୁର ପଞ୍ଚାୟତର ଦୁଲାଗାଣ୍ଡି ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟଟି କିନ୍ତୁ କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରେ ଯାଉଛି। କାଲିମେଳା ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୩୦ କିଲୋମିଟର ଦୁରରେ ଏହି ବିଦ୍ୟାଳୟ ଅବସ୍ଥିତ।ବିଦ୍ୟାଳୟରେ ରହିଛି ୫ଟି ଶ୍ରେଣୀ। କିନ୍ତୁ ଶିକ୍ଷାଦାନ ଦେବା ପାଇଁ ମାତ୍ର ଜଣେ ଶିକ୍ଷକ ରହିଛନ୍ତି। ୫ଟି ଶ୍ରେଣୀରେ ପ୍ରାୟ ୬୦ ପିଲା ପାଠ ପଢୁଛନ୍ତି। ଏଠାରେ ନୂତନ ଗୃହ ନିର୍ମାଣ ହୋଇଛି ସତ କିନ୍ତୁ ଶିକ୍ଷାଦାନ କରିବା ପାଇଁ ମାତ୍ର ଜଣେ ଶିକ୍ଷକ। ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ନିୟମିତ ଶିକ୍ଷାଦାନ କରିବା ଅସମ୍ଭବ। ପ୍ରାୟତଃ ଶିକ୍ଷା ବିଭାଗରେ ବିଭିନ୍ନ ତାଲିମ ରହିଥାଏ। ପୁଣି ଅଫିସ କାର୍ଯ୍ୟରେ ବାହାରକୁ ଯିବାକୁ ପଡିଥାଏ।

Advertisment

publive-image

ଜଣେ ଶିକ୍ଷକ କାଲିମେଳା ଯିବା ଏବଂ ଆସିବାକୁ ପ୍ରାୟ ଦୁଇ ଦିନ ଲାଗିବ। ପୁଣି କାମ ସରିନଥିଲେ ଆହୁରି କେତେ ଦିନ ଲାଗିବ ତାହା କାହାକୁ ଜଣାନାହିଁ। ସେହି ଦିନଗୁଡ଼ିକରେ ସ୍କୁଲ ସଂପୂର୍ଣ୍ଣ ବନ୍ଦ ରହିବ।ପିଲା ଶିକ୍ଷାଦାନରୁ ବଂଚିତ ହେବେ। ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହା କୌଣସି ବିହିତ ପଦକ୍ଷେପ ଶିକ୍ଷା ବିଭାଗ ନନେବା ଦୁର୍ଗମ ଅଂଚଳର ପିଲାଙ୍କ ପାଇଁ ବୈମାତୃକ ମନଭାବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏହି ଅଂଚଳ ସଂପୂର୍ଣ୍ଣ ନକ୍ସଲ ପ୍ରବଣ ରହିଥିଲା। ଏବେ କିଛି ଦିନ ହେଲା ନକ୍ସଲଙ୍କର ପାଦୁର୍ଭାବ କମିଥିଲେ ମଧ୍ୟ ଲୋକେ ଆଜି ବି ଅଶିକ୍ଷିତ ହୋଇ ରହିଛନ୍ତି। ଶିକ୍ଷା ବିଭାଗ ଦୁର୍ଗମ ଅଂଚଳର ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା କୁହାଯାଇଛି। ଏଠାରେ ଆଉ ଏକ ଶିକ୍ଷକ ନିଯୁକ୍ତି ଦେଲେ ଶିକ୍ଷାଦାନ ଏବଂ ଅନ୍ୟ କାମ ମଧ୍ୟ ସୁରୁଖୁରୁରେ ହୋଇପାରନ୍ତା ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ସେମାନେ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରିଲା ନାହିଁ ବୋଲି କହିଛନ୍ତି। ଏହି ବିଦ୍ୟାଳୟରେ ଶିକ୍ଷାଦାନ ଦେଉଥିବା ସଘନ ମଲ୍ଲିକ କିନ୍ତୁ ଏଠାରେ ରହିବା ସହ ଶିକ୍ଷାଦାନ କରୁଥିବା ନେଇ ଗ୍ରାମବାସୀ କହନ୍ତି। କିନ୍ତୁ ସେ ସ୍କୁଲ କାର୍ଯ୍ୟରେ ବାହାରକୁ ଗଲେ ଦିନ ଦିନ ଧରି ସ୍କୁଲ ବନ୍ଦ ରହେ, ଯାହାକୁ ନେଇ ଅନେକ ସମସ୍ୟା ସୃଷ୍ଟି ହେଉଛି।

ଏହି ପାଠ ପଢ଼ନ୍ତୁ: ହ୍ରାସ ପାଉଛି ସଲପ ଗଛ