ପର୍ଯ୍ୟଟନ ହିଁ ରାଜ୍ୟ ଅର୍ଥନୀତିକୁ ବଦଳାଇପାରିବ: ଜେକେ ମହାନ୍ତି

ରାଜ୍ୟର ପର୍ଯ୍ୟଟନ ସୁଯୋଗକୁ ସରକାର ପୂରା ବ୍ୟବହାର କରନ୍ତୁ
ସରକାରୀ ପ୍ରୋତ୍ସାହନ ମିଳିଲେ ହୋଟେଲ୍‌ ଶିଳ୍ପରେ ପୁଞ୍ଜିନିବେଶ ବଢ଼ିବ

ଭୁବନେଶ୍ୱର : ଓଡ଼ିଶାରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ଓ ସମ୍ଭାବନା ରହିଛି। କଳା, ଭାସ୍କର୍ଯ୍ୟ, ସଂସ୍କୃତି ଠାରୁ ଆରମ୍ଭ କରି ବେଳାଭୂମି, ହ୍ରଦ, ପର୍ବତ, ପ୍ରାକୃତିକ ସମ୍ଭାର, ଖାଦ୍ୟ ଆଦିରେ ରାଜ୍ୟ ସମୃଦ୍ଧ। ଏହା ସହ ଓଡ଼ିଶୀ ନୃତ୍ୟ, ଓଡ଼ିଶାର ଶାଢ଼ୀ, ବାଲୁକା ଶିଳ୍ପ ଆଦିର ସ୍ବତନ୍ତ୍ର ପରିଚୟ ରହିଛି। ଏସବୁ ସୁଯୋଗ ଓ ସମ୍ଭାବନାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବ୍ୟବହାର କରନ୍ତୁ। କୋଭିଡ୍‌ ପରେ ପର୍ଯ୍ୟଟନ ହିଁ ରାଜ୍ୟ ଅର୍ଥନୀତିକୁ ବଦଳାଇପାରିବ ବୋଲି ହୋଟେଲ୍‌ ଆଣ୍ଡ୍ ରେସ୍ତୋରାଁ ଆସୋସିଏସନ୍‌ର ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍‌ ସିଏମ୍‌ଡି ଜେ କେ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ କୋଭିଡ୍‌ରେ ରାଜ୍ୟ ଓ ଦେଶ ସମେତ ସାରା ବିଶ୍ବରେ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷେତ୍ର ସମ୍ପୂର୍ଣ୍ଣ ସ୍ବାଭାବିକ ଅବସ୍ଥାକୁ ଆସିବା ପାଇଁ ଅତି କମ୍‌ରେ ଏକ ବର୍ଷ ସମୟ ଲାଗିବ। ‌କରୋନା ସମୟରେ ଲକ୍‌ଡାଉନ୍ ପାଇଁ ଲୋକମାନେ ଘରେ ବସିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ସେମାନେ ମଧ୍ୟ ପରବର୍ତ୍ତୀ ସମୟରେ ବୁଲାବୁଲି କରିବାକୁ ବହୁ ମାତ୍ରାରେ ଆଗ୍ରହୀ। କୋନ୍‌ଡେ ନାଷ୍ଟ୍‌ ଟ୍ରାଭେଲର୍‌ ପକ୍ଷରୁ ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ୮୧ ପ୍ରତିଶତ ଭାରତୀୟ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବା ପାଇଁ ବ୍ୟାକୁଳ ହେଲେଣି। ତାହା ମଧ୍ୟରୁ ୮୬ ପ୍ରତିଶତ ଭାରତ ଭିତରେ ହିଁ ଭ୍ରମଣ କରିବାକୁ ଚାହୁଁଛନ୍ତି। ଦେଶୀୟ ପର୍ଯ୍ୟଟନର ଏକ ବଡ଼ ବଜାର ସୃଷ୍ଟି ହେବାର ସମ୍ଭାବନା ସ୍ପଷ୍ଟ ହେଉଥିଲା ବେଳେ ରାଜ୍ୟ ସରକାର ପର୍ଯ୍ୟଟନ ଭିତ୍ତିଭୂମି ବଢ଼ାଇବାର ଉଦ୍ୟମକୁ ତ୍ବରାନ୍ବିତ କରନ୍ତୁ। ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ଉତ୍ସାହିତ କରିବା ପାଇଁ ସରକାର ଆକର୍ଷଣୀୟ ପ୍ରୋତ୍ସାହନ ଦିଅନ୍ତୁ।

ହାରୋର ଅଧ୍ୟକ୍ଷ କହିଛନ୍ତି ଯେ ଓଡ଼ିଶାରେ ପର୍ଯ୍ୟଟନ ପାଇଁ ଏତେ ସମ୍ଭାବନା ଅଛି ଯେ ଏହା ଦେଶର ଏକ ନମ୍ବର ପର୍ଯ୍ୟଟନ ଭିତ୍ତିକ ରାଜ୍ୟ ହୋଇପାରିବ। ତାହା ସତ୍ତ୍ବେ ଆମ ରାଜ୍ୟକୁ କମ୍ ପର୍ଯ୍ୟଟକ ଆସୁଛନ୍ତି। ଏହାର ମୁଖ୍ୟ କାରଣ ହେଲା ଓଡ଼ିଶାରେ ସବୁ ବର୍ଗର ପର୍ଯ୍ୟଟକଙ୍କୁ ସୁହାଇଲା ପରି ହୋଟେଲ୍‌ର ଅଭାବ ରହିଛି। ହୋଟେଲ୍‌ ଶିଳ୍ପରେ ସାଧାରଣତଃ ବ୍ୟବସାୟୀମାନେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। କାରଣ ଏଥିରେ ଅଧିକ ନିବେଶ ହୁଏ ଏବଂ ଅନ୍ୟ କ୍ଷେତ୍ର ତୁଳନାରେ ‌େହା‌େଟଲ୍‌ ଶିଳ୍ପରେ ଲାଭ ମଧ୍ୟ କମ୍ ଥାଏ।

ନିଜ ଅନୁଭୂତିରୁ ଶ୍ରୀ ମହାନ୍ତି କହିଛନ୍ତି ଯେ ୧୯୮୧ ମସିହାରୁ ସ୍ବସ୍ତି ଗ୍ରୁପ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ୍‌, ରିସୋର୍ଟ ନିର୍ମାଣ କରି ରାଜ୍ୟ ପର୍ଯ୍ୟଟନର ବିକାଶକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛି। ଭୁବନେଶ୍ବରରେ ସ୍ବସ୍ତି ପ୍ରିମିୟମ୍ ଓ ସ୍ବସ୍ତି ଗ୍ରାଣ୍ଡ୍‌, ଗୋପାଳପୁରରେ ସ୍ବସ୍ତି ପାମ୍ ରିସୋର୍ଟ ବାଦ୍ ଚିଲିକା କୂଳରେ ନିର୍ମାଣ କରାଯାଇଥିବା ‘ସ୍ବସ୍ତି ଚିଲିକା ରିସୋର୍ଟ’ ଖୁବ୍ କମ୍ ଦିନରେ ପର୍ଯ୍ୟଟକ, ପରିବେଶପ୍ରେମୀ, ପକ୍ଷୀପ୍ରେମୀଙ୍କ ପସନ୍ଦର ସ୍ଥାନ ପାଲଟିଯାଇଛି। ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆସି ଆତିଥେୟତା ଓ ପରିବେଶକୁ ଉଚ୍ଚପ୍ରଶଂସା କରିଛନ୍ତି। ଏହା ପ୍ରମାଣିତ କରୁଛି ଯେ ଓଡ଼ିଶାରେ ହୋଟେଲ୍‌ ଶିଳ୍ପ ପାଇଁ ବ୍ୟାପକ ସୁଯୋଗ ରହିଛି।

ହୋଟେଲ୍‌ ଶିଳ୍ପର ବିକାଶ ପାଇଁ ପ୍ରସ୍ତାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ହୋଟେଲ୍‌ ଶିଳ୍ପରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। କେରଳରେ ୬୮୨ ତାରକା ହୋଟେଲ୍‌ରେ ୧୭୫୨୧ ରୁମ୍‌, ମହାରାଷ୍ଟ୍ରରେ ୧୦୬ ହୋଟେଲ୍‌ରେ ୧୫୫୪୩ ରୁମ୍‌, ‌ତାମିଲନାଡ଼ୁରେ ୧୧୨ ହୋଟେଲ୍‌ରେ ୬୬୭୨ ରୁମ୍‌, ପଡ଼ୋଶୀ ପଶ୍ଚିମବଙ୍ଗରେ ୭୬ ‌େହାଟେଲ୍‌ରେ ୪୧୯୪ ରୁମ୍‌, ଆନ୍ଧ୍ରପ୍ରଦେଶରେ ୩୩ ହୋଟେଲ୍‌ରେ ୩୦୫୧ ରୁମ୍‌ ଥିଲା ବେଳେ ଓଡ଼ିଶାରେ ମାତ୍ର ୮ଟି ତାରକା ହୋଟେଲ୍‌ ରହିଛି, ଯେଉଁଥିରେ କି ରୁମ୍‌ ସଂଖ୍ୟା ମାତ୍ର ୬୦୦। ଭୁବନେଶ୍ବର ଓ ପୁରୀ ବାଦ୍‌ ରାଜ୍ୟର ଅନ୍ୟ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ତାରକା ହୋଟେଲ୍‌ ନ ଥିବାରୁ ଦେଶୀୟ ପର୍ଯ୍ୟଟକଙ୍କୁ ମଧ୍ୟ ଆମେ ଆଶାନୂରୂପ ପାଇ ପାରୁ ନାହୁଁ। ତେଣୁ ସରକାର ଏହି ସମସ୍ୟାକୁ ହୃଦୟଙ୍ଗମ କରି ଯୋଜନା ପ୍ରସ୍ତୁତ କରନ୍ତୁ। ଅନ୍ୟ ରାଜ୍ୟର ହୋଟେଲ୍‌ ଭିତ୍ତିଭୂମି ସହ ଆମକୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ପ୍ରାୟ ପାଞ୍ଚ ହଜାର ରୁମ୍‌ (ତାରକା ହୋଟେଲ୍‌ ବର୍ଗ)ର ଆବଶ୍ୟକତା ରହିଛି। ଅତି କମ୍‌ରେ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେଲେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ସହିତ ପ୍ରତିଦ୍ବନ୍ଦ୍ବିତାକୁ ଆସିପାରିବ। ୨୫ କୋଟି ପର୍ଯ୍ୟନ୍ତ ପୁଞ୍ଜିନିବେଶ ଉପରେ ସରକାର ୩୦ ପ୍ରତିଶତ ସବ୍‌ସିଡି ଦିଅନ୍ତୁ। ଟର୍ମ ଲୋନ୍‌ର ପରିଶୋଧ ପାଇଁ ୧୧ ବର୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ ସବ୍‌ସିଡି ରିହାତି ଦିଅନ୍ତୁ। ଫଳରେ ହୋଟେଲ୍‌ ଶିଳ୍ପର ବିକାଶ ସମ୍ଭବ ‌େହାଇପାରିବ। କରୋନା ମହାମାରୀ ସମୟରେ ଇଏମ୍‌ଆଇ ଦେବାକୁ ପରିଶୋଧ ଉପରେ ୬ ମାସ ମୋରାଟୋରିୟମ୍‌ ଯଥେଷ୍ଟ ନୁହେଁ। କାର୍ଯ୍ୟକାରୀ ପୁଞ୍ଜି, ମୂଳଧନ, ସୁଧ ପଇଠ, ଋଣ, ଓଭର୍‌ଡ୍ରାଫ୍ଟ୍‌ ଉପରେ ହୋଟେଲ୍‌ ଶିଳ୍ପ ୧ ବର୍ଷ ମୋରାଟୋରିୟମ୍‌ ଆବଶ୍ୟକ କରୁଛି। କାରଣ ଲକ୍‌ଡାଉନ୍‌ ପରେ ମଧ୍ୟ ୬ ମାସ ପର୍ଯ୍ୟନ୍ତ ଏହି ବ୍ୟବସାୟ ସୁଧୁରିବାର ସମ୍ଭାବନା କମ୍, କାରଣ ଲୋକ ହଠାତ ଭ୍ରମଣରେ ବାହାରିବେ ନାହିଁ। ଯୋଜନା ପ୍ରସ୍ତୁତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାହାକୁ କାର୍ଯ୍ୟକାରୀ କରିପାରିଲେ ହିଁ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର