ନାରୀ ହିଁ ନାରୀର ସମସ୍ୟା ବୁଝିପାରେ: ତନୟା

ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ଖୋର୍ଦ୍ଧା: ନାରୀ ହିଁ ନାରୀର ସମସ୍ୟା ଓ ମନକଥା ବୁଝିପାରେ। ଜଣେ କର୍ମଜୀବୀ ମହିଳା ଓ ମହିଳା ଉଦ୍ୟୋଗୀ ଭାବେ ସେ ଏହା ଅଙ୍ଗେ ନିଭେଇଛନ୍ତି। ମହିଳାଟିଏ ଯେତେବେଳେ ସ୍ବର ଉତ୍ତୋଳନ କରେ, ଖାଲି ନିଜ ପାଇଁ ନୁହେଁ, ସମଗ୍ର ମହିଳା ସମାଜର କଥା କୁହେ। ଏଣୁ ଜଣେ ମହିଳା ଭାବେ ଅନ୍ୟ ଜଣେ ମହିଳା ବିଶେଷତଃ କର୍ମକ୍ଷେତ୍ରରେ ସହାୟତା ଓ ସହଯୋଗ କରିବା ଉଚିତ। ପୂର୍ବତଟ ରେଳବାଇ ଶ୍ରମିକ ସଂଘ ପକ୍ଷରୁ ଜଟଣୀ ଶ୍ରମିକ ସଂଘର କାର୍ଯ୍ୟାଳୟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହା କହିଛନ୍ତି।

ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ ସମାଜରେ ଓ ପ୍ରତ୍ୟେକ ପରିବାରରେ ବର୍ତ୍ତମାନ ସୁଦ୍ଧା ପୁଅକୁ ଅଧିକ ସୁଯୋଗ ଦେବାର ଋଢ଼ିବାଦୀ ଚିନ୍ତାଧାର ବଳବତ୍ତର ରହିଛି। ଏହା ଧୀରେ ଧୀରେ ହଟୁଛି ଓ ଭବିଷ୍ୟତରେ ଏହା ନିଶ୍ଚିତ ଭାବେ ହଟିବ। ରେଳଠାରୁ ବିମାନ ଚଳାଇବା କାମ, ୧୦ମ ଶ୍ରେଣୀର ପରୀକ୍ଷାଠାରୁ ବିଭିନ୍ନ ପ୍ରବେଶିକା ପରୀକ୍ଷାର ଫଳକୁ ଅନୁଧ୍ୟାନ କଲେ ଜଣାଯାଉଛି ଯେ ଯଦି ଝିଅମାନଙ୍କୁ ସମାନ ସୁଯୋଗ ଦିଆଯାଏ ତେବେ ସେମାନେ ମଧ୍ୟ ନିଜର ଉତ୍କର୍ଷତା ଦେଖାଇଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ମତ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳବାଇ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପି କେ ପାଟ୍ଟଶାଣୀ, ପୂର୍ବତଟ ରେଳବାଇ ମହିଳା ସଂଗଠନର ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ଜେନା, ଭୁବନେଶ୍ବର ଟ୍ରାଫିକ୍ ଡିସିପି ଏସ୍‌ ସୁଶ୍ରୀ ଅତିଥି ଭାବେ ମଞ୍ଚାସୀନ ଥିଲେ। ତପସ୍ବିନୀ ମହାନନ୍ଦିଆ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଜୋନାଲ୍ ମହିଳା ସଂଗଠନର ଅଧ୍ୟକ୍ଷା ଇତିଶ୍ରୀ ନିବେଦିତା ସାହୁ ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରୀତିଲିସା ଦାସଙ୍କ ସଂଯୋଜନାରେ ପୂର୍ବରୁ ଅନୁଷ୍ଠିତ ଝୋଟି, ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର