ବରଗଡ଼: ଜୀରା ନଦୀ ବ୍ରିଜ୍ରୁ ଲେଂଗୁ ମିଶ୍ର ଛକ ଯାଏଁ ରାସ୍ତା ଜବରଦଖଲ ସଂଘାତିକ ସ୍ଥିତିରେ। ଜବରଦଖଲ ଉଚ୍ଛେଦ ପାଇଁ ଏବେ ଜନଆନ୍ଦୋଳନ ମୁଣ୍ଡ ଟେକିଛି। ଶୀଘ୍ର ଏହି ପ୍ରକ୍ରିୟା ସାରିବାକୁ ପ୍ରଶାସନ ଉପରେ ଚାପ ପଡ଼ୁଛି। ଗୁରୁବାର ରାସ୍ତାର ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ମାତ୍ର ୨୫-୩୦ ଫୁଟ୍ ଓସାର ରାସ୍ତା ଥିବା ଚିହ୍ନଟ କରାଯାଇଥିଲା। ଅର୍ଥାତ ଯଦି ଉଚ୍ଛେଦ ହୁଏ, ତେବେ ନାମୀ ଲୋକଙ୍କ କେବଳ ବାରଣ୍ଡା ଟିକିଏ ଭଂଗା ହୋଇଥାନ୍ତା। ତହସିଲଦାର ପ୍ରଶାନ୍ତ ମହାପାତ୍ର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନ୍ସେନା ଏବଂ ସ୍ଥାନୀୟ ଆର୍ଆଇ ସଞ୍ଜୀବ ମିଶ୍ରଙ୍କ ଉପସ୍ଥିତିରେ ଉଭୟ ପୌର ଓ ରାଜସ୍ବ ବିଭାଗର କର୍ମଚାରୀମାନେ ମାପଚୁପ ଆରମ୍ଭ କରିଥିଲେ। ବ୍ୟାପକ ପୁଲିସ୍ ଫୋର୍ସ ବି ମୁତୟନ ଥିଲେ। କିନ୍ତୁ ରାଜସ୍ବ ଓ ପୌର ବିଭାଗ ପାଖରେ ଥିବା ନକ୍ସାକୁ ଭିତ୍ତି କରି ରାସ୍ତାର ଉଭୟ ପଟରେ ଲାଲ ରଙ୍ଗ ଦେଇ ସୀମା ଚିହ୍ନଟ ଚାଲିଥିଲା। କିନ୍ତୁ ମେଜର ପଟ୍ଟା ଆଧାରରେ ସୀମା ଚିହ୍ନଟ ଧାରାକୁ ସଚେତନ ଅଧିବାସୀମାନେ ବିରୋଧ କରିଥିଲେ।
ମେଜର୍ ବନ୍ଦୋବସ୍ତ ପଟ୍ଟାରେ ହିଁ ଜାଲିଆତି ଥିବାରୁ ପୂର୍ବର ଜାତୀୟ ରାଜପଥ ବିଭାଗର ନକ୍ସା ବା ହମିଦ ସେଟଲମେଣ୍ଟ ନକ୍ସା ଆଧାରରେ ରାସ୍ତା ଚିହ୍ନଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ। କର୍ମଚାରୀମାନଙ୍କୁ ବାଧା ଦେଇଥିଲେ। ତେବେ ଜବରଦସ୍ତି ଚିହ୍ନଟ ପ୍ରକ୍ରିୟା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କ ନେତୃତ୍ବରେ ସଂଘର ପ୍ରତିନିଧିମାନେ ପ୍ରଶାସନିକ ଜିଦ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଥମେ ଜିଲ୍ଲାପାଳ ତଳିପଡ଼ାକୁ ଆସି ଜନଶୁଣାଣି କରନ୍ତୁ, ତା'ପରେ ଚିହ୍ନଟ ହେବ ବୋଲି ସଂଘ ଯୁକ୍ତି ରଖିବା ପରେ ଅଧିକାରୀମାନେ ସୀମା ଚିହ୍ନଟ ପ୍ରକ୍ରିୟାରୁ ଓହରିଥିଲେ। ବହୁ ସଂଘ ଓ ସଙ୍ଗଠନର ସଦସ୍ୟମାନେ ଉପସ୍ଥିତ ରହି ଜାଲିଆତି କରାଯାଇଥିବା ମେଜର ପଟ୍ଟା ବଦଳରେ ହମିଦ ପଟ୍ଟା ବଳରେ ସୀମା ଚିହ୍ନଟ କରାଯାଉ ବୋଲି ଦାବି କରିଥିଲେ। ତେବେ ପ୍ରଶାସନ କାମଚଳା ଭାବେ ଚିହ୍ନଟ ପ୍ରକ୍ରିୟା ସାରି ବଡ଼ବଡ଼ିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ସ୍ପଷ୍ଟ ବାରି ହୋଇଛି।