ପୁରୀ : ମୁଣ୍ଡ ଉପରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ତଥାପି ଅଧାପନ୍ତରିଆ ଭାବେ ପଡ଼ିଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉନ୍ନୟନ କାର୍ଯ୍ୟ। ଚାରିଆଡ଼ ଖାଲଖମାରେ ଭର୍ତ୍ତି। ସିଂହଦ୍ବାର. ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ବାର, ଚାରିଆଡ଼େ ବଡ଼ ବଡ଼ ଗର୍ତ୍ତ। ଆବୁଡ଼ାଖାବୁଡ଼ା ରାସ୍ତା। ସ୍ଥିତି ଏପରି ହୋଇଛି ଯେ ଭକ୍ତମାନେ ବଡ଼ଦାଣ୍ଡକୁ ବାହାରିବାକୁ ବାଟ ପାଉନାହାନ୍ତି। ଖାଲଖମା ରାସ୍ତା ଯୋଗୁ ନୀତି ପ୍ରଭାବିତ ହେଉଥିବା ବେଳେ ରଥଯାତ୍ରା ନୀତିକାନ୍ତିକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ସେବକ। କାରଣ ନିର୍ମାଣ କାର୍ଯ୍ୟର ମନ୍ଥର ଗତି କେବଳ ରଥଯାତ୍ରା ନୀତିକାନ୍ତିକୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି କରିନି, ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତି ଦଳାଚକଟା ଉପୁଜିପାରେ ବୋଲି ବରିଷ୍ଠ ସେବାୟତମାନେ ଅଭିଯୋଗ କରିଛନ୍ତି।
/sambad/media/post_attachments/wp-content/uploads/2023/04/P19-638x430.jpg)
୨୦୧୯ ମସିହାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଜମି ଅଧିଗ୍ରହଣ ସହ ଦୁଇବର୍ଷ ହେବ ନିର୍ମାଣ କାର୍ଯ୍ୟ ଜାରିରହିଛି। ମାତ୍ର ନିର୍ମାଣ କାର୍ଯ୍ୟରେ ମନ୍ଥରତା ଭକ୍ତଙ୍କ ଯନ୍ତ୍ରଣା ବଢ଼ାଇବାରେ ଲାଗିଛି। ଯେଉଁ ଭକ୍ତମାନେ ଦର୍ଶନ ପାଇଁ ଆସୁଛନ୍ତି, ସେମାନେ ଟ୍ରାଫିକ୍ରେ ଫସି ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। ଯେହେତୁ ଚତୁଃପାର୍ଶ୍ବ ଖୋଳି ଦିଆଯାଇଛି, ବଡ଼ଦାଣ୍ଡକୁ ବାଟ ବି ପାଉନାହାନ୍ତି। ମହାପ୍ରସାଦ ନେବାକୁ ଆସୁଥିବା ଭକ୍ତ ବି କଲବଲ ହେଉଛନ୍ତି। ଆଉ ୧୨ ଦିନ ପରେ ଅକ୍ଷୟ ତୃତୀୟା ଓ ପରେ ପରେ ରଥଯାତ୍ରା। ଏଭଳି ସ୍ଥିତିରେ ପ୍ରଶାସନର ଚିନ୍ତା ବଢ଼ିଛି। ସେବାୟତ ମହଲରେ ବି ନିର୍ମାଣ କାର୍ଯ୍ୟକୁ ନେଇ ପ୍ରତିକ୍ରିୟା ଆରମ୍ଭ ହେଲାଣି।
ଏ ସମ୍ପର୍କରେ ବରିଷ୍ଠ ଦଇତାପତି ସେବକ ବିଶ୍ବବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଆଗକୁ ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଲୋକାରଣ୍ୟ ହେବ। ଏଭଳି ସ୍ଥିତିରେ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବେ ପଡ଼ି ରହିଛି। ଏତେ ସଂଖ୍ୟାରେ ଲୋକେ ଏକାଠି ହେଲେ, ଭୟଙ୍କର ସ୍ଥିତି ଉପୁଜିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିବା ସହ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ଶ୍ରୀ ଦାସମହାପାତ୍ର କହିଛନ୍ତି, ଆସନ୍ତାକାଲି ରଥଯାତ୍ରା ସମନ୍ବୟ ବୈଠକରେ ଏହି ପ୍ରସଙ୍ଗ ଉଠିବ। ସମସ୍ତ ସେବାୟତ ଏହି ପ୍ରସଙ୍ଗ ଉଠାଇବେ। କେତେ ଦିନ ଭିତରେ କାମ ସରିବ, ତାର ଜବାବ ମାଗିବୁ। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ସଂଖ୍ୟାରେ ଡାକ୍ତର ପଦବି ଖାଲିପଡ଼ିବା ପ୍ରସଙ୍ଗ ବି ଉଠିବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/p23.jpg)