ଘରକୁ ଫେରିବ ଜଗା, ଅସ୍ତ୍ରୋପଚାରକୁ ୨ ମାସ ପୂରିଲା

ନୂଆଦିଲ୍ଲୀ: ଜଗା-ବଳିଆଙ୍କ ଯୋଡ଼ାମୁଣ୍ଡ ଅଲଗା ପାଇଁ ସଫଳ ଅସ୍ତ୍ରୋପଚାରକୁ ଦୁଇ ମାସ ପୂରିଛି। ନିୟମିତ ବ୍ୟବଧାନରେ ଡାକ୍ତରୀ ଦଳ ସମସ୍ତ ପ୍ରକାର ଯାଞ୍ଚ କରି ତ୍ୱରିତ ପଦକ୍ଷେପ ନେଉଛନ୍ତି। ଏହା ଭିତରେ ଜଗା ସ୍ୱାସ୍ଥ୍ୟରେ କୌଣସି ବଡ଼ ଧରଣର ସମସ୍ୟା ଦେଖାଯାଇନାହିଁ। ସେ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛି। ଅପରପକ୍ଷେ, ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଏମ୍ସ ସୂତ୍ରରୁ ଜଣାପଡ଼ିଛି।

ବଳିଆକୁ ସମୟ ଲାଗିବ

ଡାକ୍ତରଙ୍କ ଆକଳନ ଅନୁଯାୟୀ ଜଗା ଆରୋଗ୍ୟ ଲାଭ କରୁଥିବାରୁ ତାକୁ ଆଉ ଅଧିକ ଦିନ ଚିକିତ୍ସିିତ ହେବାକୁ ପଡ଼ିବନି ଏବଂ ସେ ଖୁବ୍‌ ଶୀଘ୍ର ଡିସଚାର୍ଜ ହୋଇଯିବ ବୋଲି ଜଣାଯାଇଛି। ସେ ଏବେ ବାପା-ମା’ଙ୍କ ସହ ସମୟ ବିତାଉଛି ଏବଂ କଥା ହେବାପାଇଁ ମଧ୍ୟ ଚେଷ୍ଟା କରୁଛି। ତେବେ ତା’କୁ କେବେ ଡିସ୍‌ଚାର୍ଜ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। କିନ୍ତୁ ଡିସଚାର୍ଜ କରିବା ପୁର୍ବରୁ ଜଗାର ଖପୁରି ପ୍ରତିରୋପଣ ପାଇଁ ପ୍ଲାଷ୍ଟିକ୍‌ ସର୍ଜରି କରାଯିବ। ତେବେ ଯେକୌଣସି ସମୟରେ ପ୍ଲାଷ୍ଟିକ୍‌ ସର୍ଜରି କରାଯିବା ନେଇ ଡାକ୍ତରୀଦଳ ଯୋଜନା କରୁଥିବା ଜଣାପଡ଼ିଛି। ଗତ ରବିବାର ଅସ୍ତ୍ରୋପଚାର ଯୋଜନା ଥିଲେ ହେଁ କୌଣସି କାରଣରୁ ତାହା ହୋଇପାରିନଥିଲା। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଅସ୍ତ୍ରୋପଚାର ହେବ ବୋଲି ଜଗା ବଳିଆଙ୍କ ପରିବାର ସୁତ୍ରରୁ ଜଣାପଡ଼ିଛି। ଏଥି ପାଇଁ ୫ରୁ ୬ଘଣ୍ଟା ସମୟ ଲାଗିବ ବୋଲି ଡାକ୍ତରୀଦଳ ଅନୁମାନ କରୁଛନ୍ତି। ଅସ୍ତ୍ରୋପଚାର ପରେ ଜଗା ଡିସଚାର୍ଜ ହେବ, କିନ୍ତୁ ତା’ପରେ ସୋ ତୁରନ୍ତ ଓଡ଼ିଶା ଫେରିନଯାଇ ଦିଲ୍ଲୀରେ କିଛିଦିନ ରହି ନିୟମିତ ଯାଞ୍ଚ ଲାଗି ଏମ୍ସକୁ ଆସିବ। ଜଗାର ସେହି ଖପୁରି ଅସ୍ତ୍ରୋପଚାର ପର ଦିଲ୍ଲୀରେ ରହଣି ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ଲାଗି ଜଗା ବଳିଆଙ୍କ ବାପା ମା’ ଆବେଦନ କରିବେ ବୋଲି କହିଛନ୍ତି। ଅପରପକ୍ଷେ, କାର୍ଡିଓ ନ୍ୟୁରୋ ପ୍ରାଇଭେଟ୍‌ ଓ୍ଵାର୍ଡର ସ୍ୱତନ୍ତ୍ର କ୍ୟାବିନ୍‌ରେ ଚିକିତ୍ସିତ ହେଉଥିବା ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଆଶାନୁରୂପ ସୁଧାର ଆସିନି ଏବଂ ଏଥିଲାଗି ଅଧିକ ଦିନ ସମୟ ଲାଗିବ ବୋଲି ଏମ୍ସ ଡାକ୍ତରୀ ଦଳ କହିିଛନ୍ତି।

 

ସମ୍ବନ୍ଧିତ ଖବର