ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା : ବନ୍ଦ ରହିଲା ଓପିଡି‌ ସେବା

ଏମ୍‌ସରେ ରୋଗୀ ସେବା ବାଧାପ୍ରାପ୍ତ, ସାମିଲ ହେଲା ଘରୋଇ ମେଡିକାଲ ସଂଘ, କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଲେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର

ଭୁବନେଶ୍ବର : ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପେର ହୋଇଥିବା ଆକ୍ରମଣ ପ୍ରତିବାଦରେ ଚାଲିଥିବା ଆନ୍ଦୋଳନ ଡାକରାର ପ୍ରଭାବ ଓଡ଼ିଶାରେ ପଡିଥିଲା। ଏହାକୁ ସମର୍ଥନ ଜଣାଇ ଆଜି ଏମ୍‌ସ ସମେତ ରାଜ୍ୟରେ ଥିବା ଘରୋଇ ନର୍ସିଂହୋମ୍ ଓ କ୍ଲନିକ୍‌ର ଓପିଡି ବା ବହିର୍ବିଭାଗ ସେବାକୁ ବନ୍ଦ ରଖିଥିଲେ। ଡାକ୍ତରଙ୍କ ଉପରେ ଏଭଳି ଆକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ କଡ଼ା ଆଇନ ପ୍ରଣୟନ କରନ୍ତୁ ବୋଲି ଦାବି କରାଯାଇଥିଲା। ଭୁବନେଶ୍ବର ଏମ୍‌ସରେ କନିଷ୍ଠ ଡାକ୍ତରମାନେ କାମ ବନ୍ଦ କରି ଦେଇଥିଲେ। ଫଳରେ ଓପିଡିରେ ପ୍ରଫେସରମାନେ ହିଁ ରୋଗୀ ଦେଖିଥିଲେ। ପୂର୍ବରୁ ଦୈନିକ ପ୍ରାୟ ଅଢ଼େଇ ହଜାର ରୋଗୀଙ୍କୁ ଓପିଡ଼ିରେ ଚିକିତ୍ସା ସେବା ମିଳୁଥିଲା। ଧର୍ମଘଟ କାରଣରୁ ଏହି ସଂଖ୍ୟା ଏକ ହଜାର ତଳକୁ ଖସିଆସିଥିଲା।

ଅପରପକ୍ଷରେ ଏହି ଧର୍ମଘଟରେ ଘରୋଇ ମେଡିକାଲ ସେବା ସଂଘ ସହିତ ଓମ୍‌ସା, ଏସ୍‌ସିବି ୟୁଜି ଓ ପିଜି ସଂଘ ପ୍ରମୁଖ ସାମିଲ ହୋଇଥିଲେ। କ୍ୟାପିଟାଲ ହସ୍ପିଟାଲର ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଥିଲେ। ଆଇଏମ୍‌ଏ ଭୁବନେଶ୍ବର ଓ ଅଲ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ବା ଏଓପିଏମ୍‌ଇଏଫ୍ ମିଳିତ ଭାବେ ଆଇଏମ୍‌ଏ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏଥିରେ ଆଇଏମ୍‌ଏ ଭୁବନେଶ୍ବର ସଭାପତି ଡା.ପି.କେ ମହାପାତ୍ର କହିଲେ, କେବଳ ଜରୁରୀ ସେବାକୁ ବାଦ୍ ଦେଲେ ରାଜ୍ୟବ୍ୟାପୀ ଓପିଡି ସେବାକୁ ଆଜି ସକାଳ ୬ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ରାଜ୍ୟରେ ୫୮୦ରୁ ଅଧିକ ଘରୋଇ ନର୍ସିଂହୋମ୍ ରହିଥିବା ବେଳେ ବହୁ ସଂଖ୍ୟାରେ କ୍ଲିନିକ୍ ରହିଛି। ବର୍ତମାନ ସମୟରେ ଡାକ୍ତରଙ୍କୁ ଆକ୍ରମଣ ଏକ ସାଧାରଣ ଘଟଣା ହୋଇଗଲାଣି। ଓଡ଼ିଶାରେ ମଧ୍ୟ ଏ ସଂକ୍ରାନ୍ତରେ ଏକ ଆଇନ ରହିଛି। କେନ୍ଦ୍ର ସରକାର ଯଦି ଏ ନେଇ ଦେଶବ୍ୟାପୀ ଏକ ଦୃଢ଼ ଆଇନ ପ୍ରଣୟନ କରନ୍ତି ତେବେ ସବୁ ରାଜ୍ୟ ଏହି ଆଇନକୁ ମାନିବେ ବୋଲି ଡା.ମହାପାତ୍ର କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏଓପିଏମ୍‌ଇଏଫ୍‌ର ସଭାପତି ଡା.ଏ.କେ ମିଶ୍ର, ସଂପାଦକ ଡା.ଇନ୍ଦ୍ରମଣି ଜେନା, ଡା.ବିଜୟ କୁମାର ମିଶ୍ର, ଡା.ସରୋଜ କୁମାର ସାହୁ, ଡା.ଅଜୟ କୁମାର ମିଶ୍ର, ଡା.ଜଗନ୍ନାଥ ମହାପାତ୍ର, ଡା.ସନ୍ତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

କଟକ ବଡ଼ ମେଡିକାଲ୍‌, ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ର, ଶିଶୁଭବନ, ସିଟି ହସ୍‌ପିଟାଲ ଆଦିରେ କାର୍ଯ୍ୟରତ ଡାକ୍ତରମାନେ ଆନ୍ଦୋଳନ କରିବାରୁ ଆଉଟଡୋର ବନ୍ଦ ହୋଇଯାଇଥିଲା। ଫଳରେ ଗୁରୁତର ରୋଗୀମାନେ ଆଶୁ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ହୋଇ ଫେରିଥିବା ଦେଖିବାକୁ ମିଳିଛି। ତେବେ ଏହି ଆନ୍ଦୋଳନରୁ ଓଟି, ଇଣ୍ତୋର‌୍‌ ଓ ଅନ୍ୟାନ୍ୟ ଜରୁରିକାଳୀନ ସେବାକୁ ବାଦ୍‌ ଦିଆଯାଇଥିଲା ବୋଲି ସୂଚନା ଦିଆଯାଇଛି।

ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ମଧ୍ୟ ଜୁନିଅର୍‌ ଡାକ୍ତର ଆସୋସିଏସନ୍‌(ଜେଡିଏ) ତରଫରୁ ଆଉଟ୍‌‌ଡୋର୍‌ରେ ଚିକିତ୍ସା ସେବା ବନ୍ଦ ରଖାଯାଇଥିଲା। ଫଳରେ ରୋଗୀସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

ଭିମସାର୍‌ରେ ମଧ୍ୟ ପିଜି, ୟୁଜି ଓ ହାଉସ୍‌ ସର୍ଜନ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି। କିଛି ବରିଷ୍ଠ ଆବାସିକ ଡାକ୍ତର ମଧ୍ୟ ଏହାକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ସକାଳ ସାଢ଼େ ୯ଟାରୁ ମେଡିକାଲ କଲେଜ ସମ୍ମୁଖ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ତଳେ ଛାତ୍ରଛାତ୍ରୀ ମାନେ ବ୍ୟାନର ଧରି ପ୍ରତିବାଦ ଜଣାଇଥିଲେ। ଆବାସିକ ଡାକ୍ତର ଓ ସମସ୍ତ କନିଷ୍ଠ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ବହିର୍ବିଭାଗଗୁଡ଼ିକରେ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର