ଭିମସାର୍‌ରେ ଓପିଡି ବନ୍ଦ: ୨୪ ଘଣ୍ଟାରେ ୩ ଡାକ୍ତର, ୩ ନର୍ସଙ୍କ ସମେତ ୭ ଆକ୍ରାନ୍ତ

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନା(ଭିମ୍‌ସାର)କୁ ଗ୍ରାସିଗଲାଣି କରୋନା। ଗତକାଲି ସେଣ୍ଟ୍ରାଲ ଆଇସିୟୁର ଜଣେ ଡାକ୍ତର ଓ ଜଣେ ନର୍ସ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲେ। ଆଜି ମେଡିସିନ୍‌ ବିଭାଗର ଜଣେ ଡାକ୍ତର, କର୍କଟ ବିଭାଗର ଜଣେ ଡାକ୍ତର ଓ ୨ ଜଣ ନର୍ସ ଓ ଜଣେ ଆଟେଣ୍ଟାଣ୍ଟଙ୍କ ସମେତ ୫ ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ସରକାରୀ ଭାବେ ଘୋଷଣା କରାଯାଇନଥିଲେ ମଧ୍ୟ ଏହି ଆକ୍ରାନ୍ତମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ସେଠା‌ରେ ବ୍ୟାପକ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆସନ୍ତାକାଲି ଆକ୍ରାନ୍ତ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ସଂକ୍ରମଣ ଯେମିତି ଅଧିକ ନ ବ୍ୟାପିବ ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ମେଡିକାଲର ସମସ୍ତ ଆଉଟ୍‌ଡୋର୍‌କୁ ବନ୍ଦ କରି ଦିଆଯାଇଛି। ନିୟମିତ ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଛି। କେବଳ କାଜୁଆଲିଟି ଓ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଖୋଲା ରହିଛି। ସର୍ବସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ଓ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତେବେ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ବୁର୍ଲା ମେଡିକାଲରେ ଚିକିତ୍ସା ସେବା ଏଭଳି ଅଚଳ ହେବା ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ପୂର୍ବରୁ ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲରେ ରୂପାନ୍ତରିତ କରାଯିବା ଫଳରେ ବୁର୍ଲା ବଡ଼ ମେଡିକାଲରେ ରୋଗୀ ସଂଖ୍ୟା ବଢ଼ି ଯାଇଥିଲା। ଏଥିସହ ପଶ୍ଚିମ ଓଡ଼ିଶାର ବହୁ ସଂଖ୍ୟକ କକର୍ଟ ରୋଗୀ ବାହାର ରାଜ୍ୟକୁ ଚିକିତ୍ସା ପାଇଁ ଯାଇନପାରି ବୁର୍ଲାରେ ଚିକିତ୍ସିତ ହେଉଥିଲେ। କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଠପ୍‌ ହେବା ପରେ ଏଠାରେ ରୋଗୀଙ୍କ ସଂଖ୍ୟା ଆହୁରି ବଢ଼ି ଯାଇଥିଲା। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ପଡୋଶୀ ରାଜ୍ୟମାନଙ୍କରୁ ମଧ୍ୟ ବହୁ ରୋଗୀ ରେଫର ହୋଇ ଏଠାକୁ ଆସୁଥିଲେ। ମାତ୍ର ଏବେ ବୁର୍ଲାରେ ଚିକିତ୍ସା ସେବା ପ୍ରଭାବିତ ହେବା ପରେ ଏହି ରୋଗୀମାନେ କୁଆଡ଼େ ଯିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭିମ୍‌ସାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ଦୁଇ ଦିନ ମଧ୍ୟରେ ଭିମ୍‌ସାର୍‌ର ୩ ଜଣ ଡାକ୍ତର, ୩ ଜଣ ନର୍ସ ଓ ଜଣେ ଆଟେଣ୍ଡାଣ୍ଟ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏଥିସହ ଜଣେ ରୋଗୀ ଓ ତାଙ୍କ ପୁଅ ମଧ୍ୟ ଆକ୍ରାନ୍ତ ବୋଲି ଜଣା ପଡ଼ିଛନ୍ତି। ଡାକ୍ତରଖାନାର ବହୁ କର୍ମଚାରୀ, ରୋଗୀ ଓ ପରିଜନ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣା ପଡ଼ିବା ପରେ ଜିଲ୍ଲା ପ୍ରଶାସନ ଓ ଭିମସାର୍‌ କର୍ତ୍ତୃପକ୍ଷଙ୍କ ଏକ ଜରୁରୀ ବୈଠକ ମଙ୍ଗଳବାର ସଂଧ୍ୟାରେ ବସିଥିଲା। ଏହି ବୈଠକରେ ଜିଲ୍ଲାପାଳ, ନିର୍ଦ୍ଦେଶକ, ଅଧ୍ୟକ୍ଷ, ଅଧିକ୍ଷକ, ଭିମସାର୍‌ ପ୍ରଶାସନିକ ଅଧିକାରୀ, କୋଭିଡ୍ ନୋଡାଲ୍ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ପୂର୍ତ୍ତ, ବିଦ୍ୟୁତ୍‌, ଜନସ୍ବାସ୍ଥ୍ୟ, ଅଗ୍ନିଶମ, ପୁଲିସ୍ ଆଦି ବିଭାଗର ଅଧିକାରୀ ଓ ଭିମସାର୍‌ କୋଭିଡ୍ ଟାସ୍କ ଫୋର୍ସର ସଦସ୍ୟମାନେ ବି ଉପସ୍ଥିତ ଥିଲେ। ବୈଠକରେ ବର୍ତ୍ତମାନର ସଂକଟମୟ ସ୍ଥିତି ସଂପର୍କରେ ପୁଂଖାନୁପୁଂଖ ଆଲୋଚନା ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଭିମସାର୍‌ର ସମସ୍ତ ଓପିଡିକୁ ବନ୍ଦ‌ କରିଦିଆଯାଇଛି। ଏହି ସମୟରେ ସମସ୍ତ ଅଣଜରୁରୀ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ରହିବ। ଜରୁରୀ ନଥିଲେ କୌଣସି ରୋଗୀଙ୍କୁ ଆଡ୍‌ମିଟ୍‌ କରାଯିବ ନାହିଁ। କେବଳ ଗୁରୁତର ରୋଗୀ, ରେଫରାଲ୍ ରୋଗୀଙ୍କୁ ଅନ୍ତର୍ବିଭାଗରେ ଭର୍ତ୍ତି କରାଯିବ। କାଜୁଆଲ୍‌ଟି ଖୋଲା ରହିବ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଓ ରୋଗୀଙ୍କର କୌଣସି ସମସ୍ୟା ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର