ଆଚାର୍ଯ୍ୟ ହରିହରରେ ରୋଗୀ ଦେଖା ଆରମ୍ଭ

କରୋନା ପଜିଟିଭ୍‌ ଚିହ୍ନଟ ପରେ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ ରହିଥିଲା

ଆଣ୍ଟିଜେନ୍‌ ଟେଷ୍ଟ୍‌ ସହ କଟକଣା ଭିତରେ ରୋଗୀଙ୍କୁ ଦେଖିବେ ଡାକ୍ତର
କେବଳ ଡେ କେୟାର୍‌ରେ ହେବ କେମୋଥେରାପି
୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଏକ୍ସ-ରେ
୧୭ରୁ ଗୁରୁତର ରୋଗୀ ଭର୍ତ୍ତି, ୨୦ରୁ ଅସ୍ତ୍ରୋପଚାର

କଟକ : ପାଖାପାଖି ସପ୍ତାହେ ପର୍ଯ୍ୟନ୍ତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଶୋଧନ ପ୍ରକ୍ରିୟା ଚାଲିବାପରେ ଆଜିଠୁ ରୋଗୀ ଦେଖା ଆରମ୍ଭ ହୋଇଛି। ହେଲେ କୌଣସି ରୋଗୀଙ୍କୁ ଭର୍ତ୍ତି କରାଯିବା ପରିବର୍ତ୍ତେ କେବଳ ଡେ କେୟାର୍‌ରେ କେମୋଥେରାପି ଓ ରେଡିଓଥେରାପି କରାଯାଇଛି। ପ୍ରତ୍ୟେକ ରୋଗୀଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯିବା ପରେ ସେମାନଙ୍କୁ ଏହି ଦୁଇ ଥେରାପି ପାଇଁ ଅନୁମତି ମିଳୁଛି। ଡେ କେୟାରରେ ମୋଟ ୧୫ ବେଡ୍‌ ଥିବାବେଳେ ଆଣ୍ଟିଜେନ୍‌ ଟେଷ୍ଟ ଓ ବିଶୋଧନ କରାଯିବା ପରେ ରୋଗୀଙ୍କୁ ସେଠାରେ ଥେରାପି ଦିଆଯାଉଛି। ଆଉ ଯେପରି ରୋଗୀ ଅଧିକ ଆକ୍ରାନ୍ତ ନହେବେ ସେଥିପାଇଁ କେନ୍ଦ୍ର କତ୍ତୃର୍ପକ୍ଷ କେତେକ କଠୋର ନିଷ୍ପତ୍ତି ନେଇଛନ୍ତି।

ନୂଆ ନିଷ୍ପତ୍ତିକ୍ରମେ, ଆଉଟଡୋର ସବୁ ରୋଗୀଙ୍କ ପାଇଁ ଖୋଲା ରହିବ। ହେଲେ ଆଉଟଡୋର୍‌କୁ ଆସିବା ପୂର୍ବରୁ ରୋଗୀଙ୍କର ଥର୍ମାଲ ସ୍କ୍ରିନି˚ ବାଧ୍ୟତାମୂଳକ କରାଯାଇଥିଲାବେଳେ ସ୍ବତନ୍ତ୍ର କାଉଣ୍ଟର୍‌ରେ ରୋଗୀଙ୍କ ବିବରଣୀ ନିଆଯିବ। ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଏକ୍ସ-ରେ କରାଯିବ। ସପ୍ତାହରେ ତିନିଦିନ ଅଲ୍‌ଟ୍ରାସୋନୋଗ୍ରାଫି ଖୋଲା ରହିବ। ଏଣ୍ତୋସ୍କୋପି ସୁବିଧା କେବଳ ଓପିଡିରେ ଉପଲବ୍ଧ ହେବ ଏବ˚ ଆଣ୍ଟିଜେନ୍‌ ଟେଷ୍ଟ ପରେ ହିଁ ରୋଗୀଙ୍କ ପରୀକ୍ଷା କରାଯିବ। ଏଥିସହ ଆସନ୍ତା ୧୭ ତାରିଖରୁ ରୋଗୀଙ୍କୁ ଭର୍ତ୍ତି କରାଯିବା ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ କେବଳ ଗୁରୁତର ରୋଗୀଙ୍କୁ ଭର୍ତ୍ତି କରାଯିବ। ସେମାନଙ୍କ ସହ ମାତ୍ର ଜଣେ ଆଟଣ୍ତାଣ୍ଟ୍‌ଙ୍କୁ ପାସ୍‌ ସହ ରହିବାକୁ ଅନୁମତି ମିଳିବ। ଯଦି ଅଧିକ ଗୁରୁତର କିମ୍ବା ଦୂର ସ୍ଥାନରୁ ରୋଗୀ ଆସିଥାନ୍ତି, ସେଭଳ ପରିସ୍ଥିତିରେ ଦୁଇଜଣ ଆଟେଣ୍ତାଣ୍ଟ୍‌ଙ୍କୁ ରହିବା ପାଇଁ ଅନୁମତି ଦିଆଯାଇପାରିବ। ୨୦ ତାରିଖରୁ ଆଣ୍ଟିଜେନ୍‌ ଟେଷ୍ଟରେ ପାସ୍‌ କରିବା ରୋଗୀଙ୍କର ଅସ୍ତ୍ରୋପଚାର ଆରମ୍ଭ ହେବ। କିନ୍ତୁ ଅସ୍ତ୍ରୋପଚାର ପରେ ୪ରୁ ୫ ଦିନ ରୋଗୀ ହସ୍‌ପିଟାଲରେ ରହିବା ପରେ ଡିସ୍‌ଚାର୍ଜ କରିଦିଆଯିବ। ଏଠାରୁ ଯିବାପରେ ରୋଗୀମାନେ ନିଜର ବ୍ୟକ୍ତିଗତ ସୁବିଧାରେ ଜିଲ୍ଲା ଚିକିତ୍ସାଳୟ ମାଧ୍ୟମରେ ପରବର୍ତ୍ତୀ ଚିକିତ୍ସା ସୁବିଧା ପାଇବେ। ଆବଶ୍ୟକସ୍ଥଳେ କର୍କଟ କେନ୍ଦ୍ର ବିଶେଷଜ୍ଞମାନେ ଟେଲିମେଡିସିନ୍‌ ଜରିଆରେ ସେମାନଙ୍କୁ ପରାମର୍ଶ ଦେଇପାରିବେ। ଅଧିକ ଦିନ ରୋଗୀ ହସ୍‌ପିଟାଲରେ ରହିଲେ କୋଭିଡ୍‌ ଆକ୍ରାନ୍ତ ହେବାର ଆଶଙ୍କା ରହୁଛି। ତେଣୁ କେନ୍ଦ୍ରରେ ରୋଗୀଙ୍କ ସ˚ଖ୍ୟା ଯଥାସମ୍ଭବ କମ୍‌ କରିବାକୁ ଚେଷ୍ଟା କରାଯିବ ବୋଲି ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଉକ୍ତ ନିଷ୍ପତ୍ତି ସ˚କ୍ରାନ୍ତରେ କେନ୍ଦ୍ରାଞ୍ଚଳ ଆର‌୍‌ଡିସି, ଜିଲ୍ଲାପାଳ ଓ ସିଏମ୍‌ସି କମିସନରଙ୍କୁ ଅବଗତ କରାଯାଇଛି। ଆଜି ସ୍ବାସ୍ଥ୍ୟବିଭାଗକୁ ମଧ୍ୟ ଏ ବିଷୟରେ ଜଣାଯିବା ପରେ ସେଠାରୁ ସବୁଜ ସଙ୍କେତ ମିଳିଥିବା ସୂଚନା ମିଳିଛି। ତେବେ ଯେଉଁ ରୋଗୀମାନେ ଦୂର ସ୍ଥାନରୁ ଆସୁଛନ୍ତି ଏବ˚ ପରୀକ୍ଷାଠୁ ଆରମ୍ଭ କରି ରିପୋର୍ଟ ଆସିବା ମଧ୍ୟରେ ଅଧିକ ଦିନ ବ୍ୟବଧାନ ରହୁଥାଏ କିମ୍ବା ‘ୱେଟି˚ ଲିଷ୍ଟ୍‌ରେ ଅଧିକ ଦିନ ରହିବାକୁ ପଡୁଥାଏ, ସେଭଳି ରୋଗୀଙ୍କ ପାଇଁ ସିଏମ୍‌ସି ପକ୍ଷରୁ ଆବାସ ବ୍ୟବସ୍ଥା କରିବା ପାଇଁ କମିସନରଙ୍କୁ ଅନୁରୋଧ କରାଯାଇଛି।

ଡାକ୍ତର ଷଡ଼ଙ୍ଗୀଙ୍କ ମତରେ, ବର୍ତ୍ତମାନ କର୍କଟ କେନ୍ଦ୍ରରେ ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଦିନକୁ ଦୁଇଥର ବିଶୋଧନ ପ୍ରକ୍ରିୟା ଚାଲିବ। ଯଦି ରୋଗୀ ବେଡ୍‌ରେ ରୁହନ୍ତି, ତାହେଲେ ବିଶୋଧନ କରିବା ସହଜ ହେବ। କିନ୍ତୁ ରୋଗୀ ତଳେ ରହିଲେ, ଆମକୁ ସମସ୍ୟା ହେବ। ତେଣୁ ରୋଗୀଙ୍କୁ ଚିକିତ୍ସା ଦିଆଯିବା ପରେ ନିଜସ୍ବ ବ୍ୟବସ୍ଥା ମଧ୍ୟରେ ପରବର୍ତ୍ତୀ ଡାକ୍ତରୀ ସହାୟତା ନେବାକୁ ସେମାନଙ୍କୁ ପରାମର୍ଶ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନସୁଦ୍ଧା କର୍କଟ କେନ୍ଦ୍ର ଭିତରୁ ୧୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ସେମାନଙ୍କ ମଧ୍ୟରେ ପାଖାପାଖି ୧୨ଜଣ ନର୍ସ ଓ ଆଉଟସୋର୍ସି˚ କର୍ମଚାରୀ ସାମିଲ ଅଛନ୍ତି। ସେମାନଙ୍କ ସ˚ସ୍ପର୍ଶରେ ଆସି ସହରର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥିତି ଉଦ୍‌ବେଗଜନକ ହେବାରୁ କର୍କଟ କେନ୍ଦ୍ରକୁ ସପ୍ତାହେ ବନ୍ଦ ରଖାଯାଇ ସ˚ପୂର୍ଣ୍ଣ ବିଶୋଧନ କରାଯାଇଛି। କର୍କଟ କେନ୍ଦ୍ରରେ ଆଜି ୨୬ଜଣ ରୋଗୀଙ୍କ ସହ ମୋଟ ୮୧ ଜଣଙ୍କର ଆଣ୍ଟିଜେନ୍‌ ଟେଷ୍ଟ ଶେଷ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର