ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଓପେ

ଘନେଇଲା ଜେଇଇ ମେନ୍‌ରେ ଓଡ଼ିଶା ଭାଗ ନେବା ବିବାଦ

ଭୁବନେଶ୍ୱର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାକୁ ନେଇ ପୁଣିଥରେ ସୃଷ୍ଟି ହୋଇଛି ବିବାଦ। ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଏବଂ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)। ୨୦୧୮ରେ ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ଜେଇଇ ମେନ୍‌ରେ ସାମିଲ୍‌ ନ ହେବାକୁ ଓପେକା ବାରମ୍ବାର ଦାବି କରିଛି। ଗତ ତିନି ମାସରେ ଏନେଇ ତିନିଥର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବଙ୍କୁ ଚିଠି ଲେଖିଛି ସଂଘ। ଏହାପରେ ବି ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ତେଣୁ ଘଟଣାରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରସ୍ଥ ହୋଇଛି ଓପେକା। ‘ଏକ ଦେଶ ଏକ ପରୀକ୍ଷା’ ବ୍ୟବସ୍ଥା ଲାଗୁ ନ ହେବା ପର୍ଯ୍ୟନ୍ତ ଓଡ଼ିଶା ଜେଇଇ ମେନ୍‌ରେ ସାମିଲ ନ ହେଉ ବୋଲି ଓପେକା ସମ୍ପାଦକ ବିନୋଦ ଦାସ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଓପେକା ପକ୍ଷରୁ କୁହାଯାଇଛି ଗତ ୪ ବର୍ଷ ହେଲା ଜେଇଇ(ମେନ୍‌)ରେ ଓଡ଼ିଶା ଅଂଶଗ୍ରହଣ କରିବା ପରେ ବି.ଟେକ୍‌ ପାଠ୍ୟକ୍ରମ ସ୍ଥିତି ଖରାପ ହୋଇଯାଇଛି। ୨୦୧୨-୧୩ରେ ୫୦ ପ୍ରତିଶତ ସିଟ୍‌ ଖାଲି ପଡ଼ୁଥିବା ବେଳେ ଏବେ ତାହା ୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ଛାତ୍ରଛାତ୍ରୀଙ୍କ ନାମଲେଖା କମିବା ଫଳରେ ଇଞ୍ଜିନିୟରିଂ କଲେଜଗୁଡ଼ିକ ବି ପ୍ରଭାବିତ ହୋଇଛନ୍ତି। ତିଷ୍ଠି ରହିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଦେଶର ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ମାତ୍ର ୬ଟି ରାଜ୍ୟର ଛାତ୍ରଛାତ୍ରୀ ଜେଇଇ ମେନ୍‌ରେ ଅଂଶଗ୍ରହଣ କରୁଛନ୍ତି। ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ପରି ରାଜ୍ୟ ଏ ପର୍ଯ୍ୟନ୍ତ ଜେଇଇ ମେନ୍‌ରେ ଭାଗନେଇ ନାହାନ୍ତି। ଯେଉଁଥିପାଇଁ ସେମାନଙ୍କ ପିଲାମାନେ ଅଧିକ ସଂଖ୍ୟାରେ ପାସ୍‌ କରି ନାମଲେଖାର ସୁଯୋଗ ପାଉଛନ୍ତି। ଏପରିକି ଜେଇଇ ମେନ୍‌ରେ ସାମିଲ ହେଇଥିବା ୬ଟି ରାଜ୍ୟ ମଧ୍ୟରୁ ଗୁଜୁରାଟ ୨୦୧୮ରୁ ଭାଗନେବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଏନେଇ ଜେଇଇ ମେନ୍‌ ବ୍ରୋଚରରେ ବି ସୂଚନା ଦିଆଯାଇଛି।

ଜେଇଇ ମେନ୍‌ ସିବିଏସ୍‌ଇ ପାଟର୍ନରେ ହେଉଛି। ହେଲେ ଓଡ଼ିଶାର ପିଲାମାନେ ସିଏଚ୍‌ଏସ୍‌ଇ ପାଟର୍ଣ୍ଣରେ ପଢ଼ୁଥିବାରୁ ଭଲ ରେଜଲ୍ଟ କରିପାରୁନାହାନ୍ତି। ଜେଇଇ ମେନ୍‌ ଲାଗି ଓଡ଼ିଶାରେ ଅଧିକ କେନ୍ଦ୍ର ହେଉ ନ ଥିବାରୁ ଅଧିକ ପିଲା ଜେଇଇ ମେନ୍‌ରେ ଭାଗନେଇପାରୁ ନାହାନ୍ତି। ଯେତେବେଳେ କି ୩୦ଟି ଜିଲ୍ଲାରେ ୩୦ଟି କେନ୍ଦ୍ରର ଆବଶ୍ୟକତା ରହିଛି। ଇଞ୍ଜିନିୟରିଂ ପାଠ୍ୟକ୍ରମ ଲାଗି ଓଜେଇଇ କରାଯାଉଥିବା ବେଳେ ୧୭ରୁ ୧୯ ହଜାର ବାହାର ରାଜ୍ୟର ପିଲା ଅଂଶଗ୍ରହଣ କରୁଥିଲେ। କିନ୍ତୁ ଜେଇଇ ମେନ୍‌ ହେବା ଫଳରେ ଏହି ସଂଖ୍ୟା ୫୦ ପ୍ରତିଶତ କମିଯାଇଛି। ଖାଲି ସିଟ୍‌ ସଂଖ୍ୟା ପ୍ରତିବର୍ଷ ବଢ଼ି ଚାଲିଛି। ଏମ୍‌ସିଏ, ଏମ୍‌ବିଏ, ଫାର୍ମାସି ପରି ପାଠ୍ୟକ୍ରମରେ ନାମଲେଖା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଜେଇଇ ହେଉଛି। ତେଣୁ ସେଥିରେ ବି.ଟେକ୍‌ ପାଠ୍ୟକ୍ରମକୁ ସାମିଲ କରାଗଲେ ଅଧିକ ଚାପ ପଡ଼ିବ ନାହିଁ ବୋଲି ଓପେକା ସମ୍ପାଦକ ଶ୍ରୀ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନରଙ୍କ ନିକଟକୁ ବି ଏଭଳି ଚିଠି ପଠାଯାଇଛି।

ସମ୍ବନ୍ଧିତ ଖବର