ସମ୍ବଲପୁର/ହୀରାକୁଦ: ମଙ୍ଗଳବାର ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ରାତି ୭ଟାରେ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ୩ ଲକ୍ଷ ୧୨ ହଜାର କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧୨ଟା୨୦ ମିନିଟରେ ଅପର ମହାନଦୀ ବେସିନ୍ର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱ(ହୀରାକୁଦ)ର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲିଥିଲେ। ଏହା ପରେ ପର୍ଯ୍ୟାୟକ୍ରମେ ରାତି ୭ଟା ସୁଦ୍ଧା ବାକି ୧୯ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିଲା। ଜଳଭଣ୍ଡାରର ଜଳସ୍ତର ୬୧୮.୦୨ ଫୁଟ୍ ରହିଥିବା ବେଳେ ୧ ଲକ୍ଷ ୪ ହଜାର ୪୦୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ହୀରାକୁଦ ସହର ପାର୍ଶ୍ୱର ୧୫ଟି ଗେଟ୍ ଏବଂ ବୁର୍ଲା ସହର ପାର୍ଶ୍ୱର ୫ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଜଳଭଣ୍ଡାର ଜଳସ୍ତର ୬୦୯ ଫୁଟ୍କୁ ହ୍ରାସ ପାଇବା ପର୍ଯ୍ୟନ୍ତ ଗେଟ୍ଗୁଡ଼ିକ ଖୋଲା ରଖାଯିବ ବୋଲି ମୁଖ୍ୟଯନ୍ତ୍ରୀ ଇଂ.ରଥ ସୂଚନା ଦେଇଛନ୍ତି। ମହାନଦୀର ଏହି ବନ୍ୟା ଜଳ ମୁଣ୍ଡୁଳିକୁ ପହଞ୍ଚିବାକୁ ଅନ୍ୟୂନ ୩୬ ଘଣ୍ଟା ସମୟ ଲାଗିବ ବୋଲି ଆକଳନ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଗେଟ୍ ଖୋଲାଯିବା ବେଳେ ଜଳସ୍ତର ୬୧୮.୦୮ ଫୁଟ୍ ରହିଥିଲା। ହୀରାକୁଦର ଉପରେ ଛତିଶଗଡ଼ର କଲ୍ମା ବ୍ୟାରେଜ୍ରେ ସମସ୍ତ ୬୬ଟି ଖୋଲା ରହିଛି। ତେବେ ଉପର ମୁଣ୍ଡରେ ଗତ ୨୪ ଘଣ୍ଟା (ସକାଳ ସାଢ଼େ ୮ଟା ସୁଦ୍ଧା) ମଧ୍ୟରେ ମାତ୍ର ୨.୧୫ ମିମି ବର୍ଷା ହୋଇଥିବାରୁ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇବ ବୋଲି ନିୟନ୍ତ୍ରଣ କକ୍ଷ ସୂତ୍ରରୁ କୁହାଯାଇଛି। ଗେଟ୍ ଖୋଲାଯିବା ସମୟରେ ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଉତ୍ତରାଞ୍ଚଳ ଆର୍ଡିସି ଡି.ଭି.ସ୍ୱାମୀ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ସଂଜୀବ ଅରୋରା, ହୀରାକୁଦ ମୁଖ୍ୟବନ୍ଧ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜୁଲାଇରୁ ୫ ଅଗଷ୍ଟ ଏବଂ ତୃତୀୟ ପର୍ଯ୍ୟାୟରେ ୧୧ରୁ ୧୬ ଅଗଷ୍ଟ ମଧ୍ୟରେ ବନ୍ୟା ଜଳ ନିଷ୍କାସନ କରାଯିବାର ଯୋଜନା ରହିଛି। ଜଳ ନିଷ୍କାସନ ପାଇଁ ଜଳଭଣ୍ଡାରର ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରିଷ୍ଟ ଗେଟ୍ ରହିଛି। ସର୍ବମୋଟ୍ ୯୮ଟି ଗେଟ୍ ମଧ୍ୟରୁ ୨୦ ସେପ୍ଟେମ୍ବର ୧୯୮୦ରେ ସର୍ବାଧିକ ୮୮ଟି ଗେଟ୍ ଖୋଲା ଯାଇଥିଲା। ୧୮ ଜୁଲାଇ ୨୦୦୧ ରେ ୫୨ଟି ସ୍ଲୁଇସ୍ ଗେଟ୍, ୨୮ ଅଗଷ୍ଟ ୨୦୦୩ରେ ୫୪ଟି, ୧୦ ସେପ୍ଟେମ୍ବର ୨୦୧୧ରେ ୫୯ଟି ଗେଟ୍ ଖୋଲାଯାଇଥିଲା। ହୀରାକୁଦ ବନ୍ଧର ସୁରକ୍ଷା ଦୃଷ୍ଟିକୋଣରୁ ଏବେ ଅତିରିକ୍ତ ସ୍ପିଲ୍େଓ୍ଵ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି।
ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ, ଖୋଲିଲା ୨୦ ଗେଟ୍
/sambad/media/post_attachments/wp-content/uploads/2018/07/SBPHO24-SB-811.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)