ମୁକୁଳା ବୋରେଓ୍ଵଲ୍‌ ପାଇଁ ଯନ୍ତ୍ରୀ, ଠିକା ସଂସ୍ଥା ଦାୟୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ହଣ୍ଡପା ଥାନା ଜାମୁନାଳି ପଞ୍ଚାୟତ ଗୋଳାସର ଗାଁର ୩ବର୍ଷର ଶିଶୁକନ୍ୟା ରାଧାରାଣୀ ସାହୁ ୨୦ଫୁଟ୍‌ ଗଭୀର ବୋରେଓ୍ଵଲ୍‌ ଖାତରେ ପଡ଼ିବା ଘଟଣାରେ ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି। ଜିଲ୍ଳାପାଳ ଅନିଲ କୁମାର ସାମଲ ଆଜି ଏହି ଘଟଣାରେ ଅବହେଳା ପାଇଁ ବୋରେଓ୍ଵଲ୍‌ ଖୋଳିଥିବା ଠିକା ସଂସ୍ଥାକୁୁ କଳା ତାଲିକାଭୁକ୍ତ ଏବଂ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛନ୍ତି। ଉଠା ଜଳ ସେଚନ ବିଭାଗ ନିର୍ବାହ ଯନ୍ତ୍ରୀ ସନ୍ତୋଷ ପ୍ରସାଦ ମିଶ୍ରଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଆଜି ରାଜ୍ୟ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛନ୍ତି। ଏହାସହିତ ଆସନ୍ତା ସାତ ଦିନ ଭିତରେ ଜିଲ୍ଲାରେ ମୁକୁଳା ଥିବା ବୋର୍‌େଓ୍ଵଲ୍‌କୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସନ୍ତୋଷ କୁମାର ସାହୁଙ୍କ ବାଡ଼ି ପଛପଟେ ଜଳସେଚନ ବିଭାଗ ପକ୍ଷରୁ ୨୦୧୬-୧୭ରେ ଏକ ଗଭୀର ବୋରେଓ୍ଵଲ୍‌ ଖୋଳା ଯାଇଥିଲା। ବିଜୁ କୃଷକ ଯୋଜନାରେ ଛତିଶଗଡ଼ର ଗଣେଶ ବୋରେଓ୍ଵଲ୍‌ ନାମକ ଏକ ଠିକା ସଂସ୍ଥା ସନ୍ତୋଷଙ୍କ ବାପା ଧୋବେଇ ସାହୁଙ୍କ ନାଁରେ ଏହି ବୋରେଓ୍ଵଲ୍‌ ଖୋଳିଥିଲା। କିନ୍ତୁ ମାଟି ତଳେ ପଥର ପଡ଼ିବାରୁ ବୋରେଓ୍ଵଲ୍‌ ଖନନକୁ ଅଧାରୁ ବନ୍ଦ କରିଦିଆଯାଇଥିଲା। ସେବେଠୁ ବୋରେଓ୍ଵଲ୍‌ ମୁକୁଳା ପଡ଼ିଥିଲା। ସୋମବାର ପୂର୍ବାହ୍ନରେ ସନ୍ତୋଷଙ୍କ ପତ୍ନୀ ବାଡ଼ିପଟୁ ପାଣି ଆଣିବାକୁ ଯାଇଥିବା ବେଳେ ଝିଅ ରାଧା ତାଙ୍କ ପଛେପଛେ ଯାଇ ହଠାତ୍‌ ବୋରେଓ୍ଵଲ୍‌ ଖାତରେ ଖସିପଡ଼ିଥିଲେ। ପାଖାପାଖି ୨୦ଫୁଟ୍‌ ଗଭୀର ଖାତ ଭିତରେ ରାଧା ପଡ଼ି ଜୋର୍‌ରେ କାନ୍ଦିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଆଲୋଡ଼ନ ଖେଳି ଯାଇଥିଲା। ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା ଗାୟତ୍ରୀ କନଷ୍ଟ୍ରକସନ୍‌ ଠିକା ସଂସ୍ଥା ଜେସିବି ମେସିନ୍‌ ଓ ଶ୍ରମିକ ଯୋଗାଇ ଦେବା ପରେ ବୋର୍‌େଓ୍ଵଲ୍‌ ନିକଟରେ ସମତାଳରେ ୨୦ ଫୁଟ୍‌ ଗଭୀରର ଆଉ ଗୋଟିଏ ଗାତ ଖୋଳା ଯାଇଥିଲା। ଗାୟତ୍ରୀ କନଷ୍ଟ୍ରକସନ୍‌ ସଂସ୍ଥାର ଉପସଭାପତି ବି.ଭି.ୟୁ ଭାସ୍କର, ପ୍ରୋଜେକ୍ଟ୍‌ ମ୍ୟାନେଜର୍‌ ନାନାଜି, ଆସିଷ୍ଟାଣ୍ଟ୍‌ ଜେନେରାଲ୍‌ ମ୍ୟାନେଜର ଅର୍ଜୁନ୍‌ ଛତ୍ରୀ, ପ୍ରୋଜେକ୍ଟ୍‌ ମ୍ୟାନେଜର୍‌ ଆପା ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁଦ୍ଧକାଳୀନ ଭିତ୍ତିରେ ଖୋଳା ଯାଇଥିଲା। ଦୀର୍ଘ ୭ଘଣ୍ଟାର ଅପରେସନ୍‌ ପରେ ଅଗ୍ନିଶମ କର୍ମଚାରୀ ଗାତ ଭିତରେ ପଶି ରାଧାକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ବୋରେଓ୍ଵଲ୍‌ କେଉଁ ପରିସ୍ଥିତିରେ ମୁକୁଳା ପଡ଼ିଥିଲା, ତାହାର ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ।

ଏହି କ୍ରମରେ ଆଜି ନିର୍ବାହୀ ଯନ୍ତ୍ରୀ ଇଂ. ମିଶ୍ର ଦେଇଥିବା ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଉଭୟ ଠିକାଦାର ଏବଂ ତଦାରଖ କରୁଥିବା ଯନ୍ତ୍ରୀ କାର୍ଯ୍ୟରେ ଅବହେଳା କରିଛନ୍ତି। ବୋରେଓ୍ଵଲ୍‌ ଖନନ ଫେଲ୍‌ ମାରିବା ପରେ ତାହାକୁ ପୋତି ନାହାନ୍ତି। ଏଣୁ ଠିକା ସଂସ୍ଥା ଏବଂ ଯନ୍ତ୍ରୀ ଦୋଷୀ। ଏହି ରିପୋର୍ଟ ଆଧାରରେ ଆଜି ଜିଲ୍ଲାପାଳ ଜଳସଂପଦ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଠିକାଦାରଙ୍କୁ କଳା ତାଲିକାଭୁକ୍ତ ଏବଂ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛନ୍ତି।

ସମ୍ବନ୍ଧିତ ଖବର