ରାଜନଗର: ଗହୀରମଥାରେ ପାଟ୍ରୋଲିଂ ପାଇଁ ଥିବା ଦୁଇଟି ସ୍ପିଡ୍ ବୋଟ ଅଚଳ। ଟ୍ରଲର ଅଲିଭିୟା ଗତ ଏକ ସପ୍ତାହ ହେଲା ଧାମରାରେ ସଜଡ଼ା ହେଉଛି। ଭଡ଼ାରେ ଟ୍ରଲର ଆଣିବାକୁ ଏଯାଏଁ ଟେଣ୍ତର ବି ଡକାଯାଇନି। ଏପଟେ ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ସମାଗମ ନଭେମ୍ବର ପହିଲାରୁ ଆରମ୍ଭ ହୋଇଛି। ବନବିଭାଗ ପାଟ୍ରୋଲିଂ କରୁଛି ବୋଲି ଡିଏଫ୍ଓ ଗଣମାଧ୍ୟମକୁ ସୂଚନା ଦେଉଛନ୍ତି। କିନ୍ତୁ ପ୍ରକୃତ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ବନବିଭାଗ ହାତରେ ପାଟ୍ରୋଲିଂ ପାଇଁ ଏବେ ଗୋଟିଏ ବି ଟ୍ରଲର ନାହିଁ। ଅତିଥି ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ସବୁ ସ୍ତରରେ ଗୁରୁତ୍ବାରୋପ କରାଯାଉଥିବା ବେଳେ ଆଜି ଯାଏଁ କାହିଁକି ପାଟ୍ରୋଲିଂ ପାଇଁ ଟ୍ରଲରର ବ୍ୟବସ୍ଥା କରାଯାଇନି, ସେ ନେଇ ପ୍ରଶ୍ନ ଉଠିଛି।
୪ କୋଟି ଟଙ୍କାର ୨ଟି ସ୍ପିଡ୍ବୋଟ୍ ଅଚଳ
ଏଯାଏଁ ଭଡ଼ାରେ ଟ୍ରଲର ଆଣିବାକୁ ହୋଇନି ଟେଣ୍ତର
ବିନା ଟ୍ରଲରରେ ଚାଲିଛି କଇଁଛ ସୁରକ୍ଷା
ଓଡିଶା ଉପକୂଳର ଗହୀରମଥା ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ରୂପେ ପରିଚିତ। ସମଗ୍ର ବିଶ୍ବରେ ଉପଲବ୍ଧ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଗହୀରମଥାରେ ସମାଗମ ହୋଇଥାନ୍ତି। ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଚଳିତବର୍ଷ ନଭେମ୍ବର ପହିଲାରୁ ୧୪୩୭ ବର୍ଗ କିମି ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ୧୬୦ କିମି ପର୍ଯ୍ୟନ୍ତ ଟ୍ରଲର ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଅତିଥି କଇଁଛଙ୍କ ଆଗମନ ହୋଇ ସାରିଥିବା ବେଳେ ବନବିଭାଗ ପାଖରେ ଆଦୌ ଟ୍ରଲର ବା ସ୍ପିଡ୍ବୋଟ୍ ନଥିବାରୁ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଇଁଛଙ୍କ ସୁରକ୍ଷା ପାଇଁ ୨୦୧୫ରେ ୫୪୦ ହର୍ସପାୱାର ବିଶିଷ୍ଟ ଦୁଇଟି ହାଇସ୍ପିଡ୍ ବୋଟ ଅଣାଯାଇଥିଲା। ଗହୀରମଥା–୧ ଓ ଗହୀରମଥା–୨ ନାମରେ ଦୁଇଟି ବୋଟ୍ ଆସିବା ପରେ କଇଁଛ ସୁରକ୍ଷା ତ୍ବରାନ୍ବିତ ହୋଇଥିଲା। ତେବେ ଗୋଟିଏ ବର୍ଷ ପରେ ବୋଟ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା।
ବୋଟ୍ ଯୋଗାଇଥିବା କମ୍ପାନି ୱାରେଣ୍ଟି ଓ ଗ୍ୟାରେଣ୍ଟି ସମୟରେ ସଜାଡ଼ିବାର ନାଁ ଧରି ନଥିଲା। ରାଜ୍ୟରେ ଏହି ଇଂଜିନ୍ର ଯନ୍ତ୍ରାଂଶ ମିଳୁନଥିବାରୁ ଗତ ୭ ବର୍ଷ ହେଲା ଗୋଟିଏ ଚାଲିଲେ, ଅନ୍ୟଟି ଅକାମି ହୋଇ ରହୁଥିଲା। ଗତ ୩ ବର୍ଷ ହେଲା ଗହୀରମଥା–୧ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଗହୀରମଥା–୨ର ଗୋଟିଏ ଇଂଜିନ ଖରାପ ହୋଇଯିବା ପରେ ଗୋଟିଏ ଇଂଜିନରେ କମ୍ ସ୍ପିଡ୍ରେ କାମ ଚଳୁଥିଲା। ମାତ୍ର ବର୍ଷେ ହେଲା ଏହା ବି ସଂପୂର୍ଣ୍ଣ ଅଚଳ। ବନବିଭାଗ ପାଖରେ ଥିବା ଅଲିଭିୟା ଟ୍ରଲର ଗତ ଏକ ସପ୍ତାହ ହେଲା ଧାମରାରେ ସଜଡ଼ା ହେଉଛି। ସଜାଡ଼ିବାକୁ ଆଉ ଏକ ସପ୍ତାହ ଲାଗିବ। ଅନ୍ୟପଟେ ପ୍ରତିବର୍ଷ ବନବିଭାଗ ଗୋଟିଏ ଟ୍ରଲର ଭଡ଼ାରେ ଆଣିଥାଏ। ମାତ୍ର ଚଳିତବର୍ଷ ଭଡ଼ାରେ ଟ୍ରଲର ଆଣିବାକୁ ଏଯାଏଁ ଟେଣ୍ତର ଡକାଯାଇନି। ବନବିଭାଗ ପକ୍ଷରୁ ଅତିଥି କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି, ମାଦଳି ଓ ଶାସନପେଟାରେ ଟ୍ରଲର ରଖି ପାଟ୍ରୋଲିଂ କରାଯାଇଥାଏ। ଡିଏଫ୍ଓ ସୁଦର୍ଶନ ଗୋପିନାଥ ଯାଦବ ଗଣମାଧ୍ୟମକୁ କହିଛନ୍ତି ନଭେମ୍ବର ୧ରୁ ପାଟ୍ରୋଲିଂ ଆରମ୍ଭ ହୋଇଛି। ବିନା ଟ୍ରଲରରେ ବନବିଭାଗ କିପରି ପାଟ୍ରୋଲିଂ କରୁଛି ବୋଲି ପ୍ରଶ୍ନ ଉଠୁଛି।