କଟକ: ଓଡ଼ିଶାର ୪୮୭ କିଲୋମିଟର ଦୀର୍ଘ ଉପକୂଳ ଏବେ ଅନୁପ୍ରବେଶକାରୀଙ୍କ ପାଇଁ ଏକପ୍ରକାର ମୁକୁଳା ପଡ଼ିଛି। ଉପକୂଳ ସୁରକ୍ଷା ପାଇଁ ଆଧୁନିକ ନିୟନ୍ତ୍ରଣ କକ୍ଷ ନାହିଁ କି ଭିତ୍ତିଭୂମି ନାହିଁ। ଓଡ଼ିଶା ପୁଲିସର ୧୫ଟି ଫାଇବର ବୋଟ୍ ଉପକୂଳକୁ ଜଗୁଛି। ହେଲେ ତାହା ଅଶାନ୍ତ ସମୁଦ୍ରରେ ଚାଲି ବି ପାରୁନି। ସ୍ଥିତି ଏମିତି ଯେ ସମୁଦ୍ରରେ ପାଟ୍ରୋଲିଂ କରୁଥିବା ଥାନା ଅଥବା ନୌସେନା ଓ ତଟରକ୍ଷୀ ପାଟ୍ରୋଲିଂ ବୋଟକୁ କୌଣସି ଜରୁରୀ ସୂଚନା ସିଧାସଳଖ ଦିଆଯାଇପାରୁ ନାହିଁ।
ଓଡ଼ିଶା ପୁଲିସ ମୁଖ୍ୟାଳୟର ସୂଚନା ଅନୁଯାୟୀ, ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ତିନୋଟି ସ୍ତରରେ ଭାଗ କରାଯାଇଛି। ପ୍ରଥମ ସ୍ତରରେ ନୌସେନା, ଦ୍ବିତୀୟରେ ତଟରକ୍ଷୀ ଏବଂ ତୃତୀୟରେ ଓଡ଼ିଶା ପୁଲିସର ସାମୁଦ୍ରିକ ଥାନା ରହିଛି। ତେବେ ତାମିଲନାଡ଼ୁ, କେରଳ, ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟରେ ସମୁଦ୍ର ଉପକୂଳ ଥାନାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଯେଭଳି ବିଧବଦ୍ଧ ଉପକୂଳ ସୁରକ୍ଷା ନିୟନ୍ତ୍ରଣ କକ୍ଷ ରହିଛି, ସେ ପ୍ରକାର ବ୍ୟବସ୍ଥା ଓଡ଼ିଶା ପୁଲିସରେ ନାହିଁ। ଏହି ନିୟନ୍ତ୍ରଣ କକ୍ଷ ସହିତ ତଟରକ୍ଷୀ, ନୌସେନା, ଉପକୂଳ ଥାନା ଅଧିକାରୀ, ମତ୍ସ୍ୟ ବିଭାଗର ଅଧିକାରୀ ଯୋଡ଼ି ରହିବା ଆବଶ୍ୟକ। ଏହାକୁ ବହୁ ବିଭାଗୀୟ ନିୟନ୍ତ୍ରଣ କକ୍ଷ କୁହାଯାଏ। ଏଭଳି ନିୟନ୍ତ୍ରଣ କକ୍ଷ ଉପକୂଳ ସୁରକ୍ଷା ବିଭାଗରେ ନଥିବାରୁ ସମୁଦ୍ର ଭିତରେ ଥିବା ନୌସେନା, ତଟରକ୍ଷୀ ଓ ସାମୁଦ୍ରିକ ଥାନାର ପାଟ୍ରୋଲିଂ ବୋଟକୁ କୌଣସି ଜରୁରୀ ସୂଚନା ସିଧାସଳଖ ଦିଆଯାଇପାରୁନାହିଁ। ସମୁଦ୍ର ଭିତରେ ଫୋନ୍ ନେଟଵାର୍କ ନଥିବାରୁ ଯୋଗାଯୋଗ ସମ୍ଭବପର ହୋଇପାରୁନାହିଁ। ଉପକୂଳ ସୁରକ୍ଷା ବିଭାଗ ପକ୍ଷରୁ ମୋବାଇଲ୍ ଯୋଗେ ସାମୁଦ୍ରିକ ଥାନାଗୁଡ଼ିକୁ ଜରୁରୀ ସୂଚନା ପ୍ରଦାନ କରାଯାଉଛି। ପରେ ସାମୁଦ୍ରିକ ଥାନା ପକ୍ଷରୁ ଭିଏଚଏଫ୍ ମାଧ୍ୟମରେ ସମୁଦ୍ର ଭିତରେ ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀଙ୍କୁ ସୂଚନା ଦିଆଯାଉଛି। ସେତେବେଳକୁ ଅନେକ କ୍ଷେତ୍ରରେ ସନ୍ଦିଗ୍ଧ ବୋଟଗୁଡ଼ିକ ଚମ୍ପଟ ମାରୁଛନ୍ତି। ପାଟ୍ରୋଲିଂ ବୋଟଗୁଡ଼ିକର ଲାଇଭ୍ ଲୋକେସନ୍, ପାଟ୍ରୋଲିଂ ହେଉଛି କି ନାହିଁ, ସେ ସମ୍ପର୍କିତ ତଥ୍ୟ ବି ବିଭାଗ ନିକଟରେ ରହୁନି। ସାମୁଦ୍ରିକ ଥାନାଗୁଡ଼ିକୁ ମଧ୍ୟ ସିସି କ୍ୟାମେରାରେ ଉପକୂଳ ସୁରକ୍ଷା ବିଭାଗ ଦେଖିପାରୁନାହିଁ।
ପ୍ରତି ଥାନାକୁ ଗୋଟିଏ ଲେଖାଏଁ ଆଣ୍ଟି ଡ୍ରୋନ୍ ଦେବାର ଆବଶ୍ୟକତା ରହିଛି। ଆତଙ୍କବାଦୀ ଗୋଷ୍ଠୀ ଉପକୂଳରେ କୌଣସି ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍ ଉଡ଼ାଇବା ସମୟରେ ଏହାକୁ ଠାବ କରି ତଳକୁ ଖସାଇବାରେ ସକ୍ଷମ ହୋଇପାରୁନାହିଁ। ଅନେକ ସମୟରେ ଏଭଳି କାର୍ଯ୍ୟକଳାପ ଦୃଷ୍ଟିକୁ ଆସୁଥିବା ବେଳେ ବିଭାଗ ଏକ ପ୍ରକାର ଅସହାୟ ହୋଇପଡ଼ୁଛି।
ଅନ୍ୟପଟେ ୧୮ଟି ସାମୁଦ୍ରିକ ଥାନା ପାଇଁ ଯେଉଁ ୧୫ଟି (୧୦ଟି ୧୨ ଟନ୍ ଓ ୫ଟି ୫ ଟନ) ବୋଟ୍ ରହିଛି ସେଗୁଡ଼ିକ ୧୦ ବର୍ଷ ପୁରୁଣା ଫାଇବର୍ ବୋଟ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଗୁଡ଼ିକୁ ଯୋଗାଇ ଦିଆଯାଇଛି। ସମୁଦ୍ର ବେଳାଭୂମିରୁ ପ୍ରାୟ ୨୧ କିମି ପର୍ଯ୍ୟନ୍ତ ରାଜ୍ୟ ସୀମା ହୋଇଥିବାରୁ ସମୁଦ୍ରକୂଳ ଥାନା ଏହି ସୀମା ମଧ୍ୟରେ ପାଟ୍ରୋଲି˚ କରିବାର ନିୟମ ରହିଛି। କିନ୍ତୁ ଯେଉଁ ବୋଟ୍ ରହିଛି, ଏଗୁଡ଼ିକ ସମୁଦ୍ର ଭିତରେ ୨ କିମି ପର୍ଯ୍ୟନ୍ତ ଯିବା ବି ସମ୍ଭବପର ହେଉନାହିଁ। ସମୁଦ୍ର ଅଶାନ୍ତ ଥିଲେ ଲହଡ଼ିକୁ ସମ୍ଭାଳିଲା ଭଳି କ୍ଷମତା ଏହି ବୋଟ୍ର ନାହିଁ। କେନ୍ଦ୍ର ସରକାରଙ୍କ ନୂଆ ଏସ୍ଓପି ଅନୁଯାୟୀ, ସମୁଦ୍ରକୂଳରୁ ୯ କିମି (୫ ନଟିକଲ୍ ମାଇଲ୍) ଯାଏ ବୋଟ୍ରେ ପୁଲିସ ପାଟ୍ରୋଲି˚ କରିବ। ବୋଟ୍ର ଏଭଳି ସ୍ଥିତି ପାଇଁ ପୁଲିସ ବିଭାଗର ସମୁଦ୍ରତଟ ସୁରକ୍ଷା ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏ ସ˚କ୍ରାନ୍ତରେ ଚିଠି ଲେଖାଯାଇଥିଲା। ପ୍ରତ୍ୟେକ ଥାନାକୁ ୩୬ ଟନରୁ ଅଧିକ ଓଜନର ବୋଟ୍ ଦେବାକୁ ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। କିନ୍ତୁ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରଂସଗ ହେଉଛି, ୧୮ଟି ସାମୁଦ୍ରିକ ଥାନାର ପାଟ୍ରୋଲିଂ ବୋଟ୍ ରଖିବା ପାଇଁ ଗୋଟିଏ ବି ଜେଟି ନାହିଁ। ମତ୍ସ୍ୟଜୀବୀ, ବନ୍ଦର କିମ୍ବା ମତ୍ସ୍ୟ ବିଭାଗର ଜେଟି ଉପରେ ଏଥିପାଇଁ ନିର୍ଭର କରିବାକୁ ପଡ଼ୁଛି। ଉପକୂଳ ସୁରକ୍ଷା ବିଭାଗର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଓଡ଼ିଶା ଉପକୂଳ ଏବେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଅଟକାଇବା ବଡ଼ ଆହ୍ବାନ।